କାମରେ ଆସୁ ନି ରାମୁଡ ବନ୍ଧ: ପାଣିରେ ପଡ଼ିଲା ଲକ୍ଷ ଲକ୍ଷ ଟଙ୍କା
ଭବାନୀପାଟଣା : ସରକାର ଗାଁମାନଙ୍କରେ ଥିବା ନୂତନ ଜଳାଶୟ ହେଉ କି ଜଳାଶୟର ପୁନଃରୁଦ୍ଧାର ପାଇଁ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ତାହା ଲୋକଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି । ତାହା ପୁଣି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ନୁନପୁର ପଞ୍ଚାୟତ ଅଧିନରେ ଥିବା ରାମୁଡ ବନ୍ଧରେ । ଏହି ବନ୍ଧ ପାଇଁ ଆର୍ଥôକ ବର୍ଷ ୨୦୨୨-୨୩ରେ ମନରେଗା ଯୋଜନାରେ କାର୍ଯ୍ୟର କୋଡ ନଂ୨୪୧୦୦୦୪୦୧୦/ଡବ୍ଲୁଏଚ/୧୦୫୦୭୭୯୨ରେ ରାମୁଡ ବନ୍ଧର ପୁନରୁଦ୍ଧାରର ୪ର୍ଥ ପର୍ଯ୍ୟାୟରେ ୮ଲକ୍ଷ ୮୫ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ପଞ୍ଚଦଶ ସିଏଫସି ୨୦୨୨-୨୩ ଆର୍ଥôକ ବର୍ଷରେ ବନ୍ଧର ଉନ୍ନତିକରଣ ପାଇଁ ୩ଲକ୍ଷ ୮୦ହଜାର ୧ଶହ ଟଙ୍କା ଓ ଆର୍ଥôକ ବର୍ଷ ୨୦୨୩-୨୪ରେ ପଞ୍ଚଦଶ ଏସ୍ଏଫ୍ସି ରେ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତା’ସହିତ ଗାର୍ଡୱାଲ ନିର୍ମାଣରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ବାସ୍ତବରେ ସେହି ବନ୍ଧରେ ପାଣି ରହୁନଥିବା ଦେଖିବାକୁ ମିଳୁଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବନ୍ଧରେ ପାଣି ରହୁନାହିଁ । ଫଳରେ ଗାଁ ଲୋକମାନେ ବନ୍ଧର ପାଣିକୁ ବ୍ୟବହାର କରିପାରୁ ନାହାଁନ୍ତି । ତେଣୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ବନ୍ଧ ନିର୍ମାଣ ହେଲେ ପାଣି ସମସ୍ୟାରୁ ମୁକ୍ତି ପାଇବେ ବୋଲି ଆଶା ବାନ୍ଧିଥିବା ବେଳେ ଏଭଳି ଅବସ୍ଥା ଦେଖି ଲୋକମାନଙ୍କ ପାଇଁ ପାଣି ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । ବିଭାଗୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଏହି ବନ୍ଧରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହା କାମରେ ଆସୁନାହିଁ । ତେଣୁ କାହା ସ୍ୱାର୍ଥରେ କ'ଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନୁନପୁର ପଞ୍ଚାୟତର ସରପଞ୍ଚ ମହିଳା ଥିବାବେଳେ ଅଧିକାଂଶ ସମୟରେ ତାଙ୍କ ସ୍ୱାମୀ ପଞ୍ଚାୟତ ଅଧିନରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାମରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହେଉଛି । ଯଦି ଏହି ବନ୍ଧରେ ପାଣି ରହୁନାହିଁ ତା ହେଲେ କ'ଣ ପାଇଁ ପ୍ରତି ବର୍ଷ ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚ କରାଯାଉଛି ତାହା ଏବେ ବଡ ପ୍ରଶ୍ନ ଉଠିଛି । ବିଭାଗୀୟ ଅଧିକାରୀ ଓ ସରପଞ୍ଚ କ'ଣ ପାଇଁ ପ୍ରତି ବର୍ଷ ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ତିନି ବର୍ଷ ହେଲା ଏହି ବନ୍ଧର ପୁନଃରୁଦ୍ଧାର, ନିର୍ମାଣ ପାଇଁ ଖର୍ଚ୍ଚ କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ଲୋକଙ୍କ କାମରେ ଆସୁନଥିବା ଦେଖିବାକୁ ମିଳିଛି । ସେହିପରି ଏହି ପଞ୍ଚାୟତରେ ମନରେଗା ଯୋଜନାରେ ହେଉଥିବା ନିର୍ମାଣ କାମରେ ମେସିନ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ଏହି ପଞ୍ଚାୟତ ମାଇଗ୍ରେଟେଡ ପଞ୍ଚାୟତ ହୋଇଥିବାବେଳେ ପ୍ରତ୍ୟେକ ଦିନ ବିଭିନ୍ନ କାମ ପାଇଁ ଶ୍ରମିକ ନିୟୋଜିତ କରି କାମ କରିବା ନିୟମ ରହିଛି । ହେଲେ କମ୍ ଶ୍ରମିକ କାମ କରୁଥିବା ବେଳେ ଅଧିକ ସଂଖ୍ୟକ ଶ୍ରମିକ କାମ କରୁଥିବା ଦର୍ଶାଉଥିବା ଅଭିଯୋଗ ହେଉଛି । ଏହି ପଞ୍ଚାୟତରେ ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ହେଲେ କ'ଣ ପାଇଁ ତାର ତଦନ୍ତ କରାଯାଉନାହିଁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ପଞ୍ଚାୟତରେ ହେଉଥିବା ଦୁର୍ନୀତି ପଦାକୁ ଆସିବ ଓ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।