ପାଣି ପାଇଁ ଡହଳ ବିକଳ ସରୁପଡା ଗ୍ରାମବାସୀ: ନଳକୂପ ଅଚଳ, ଚୁଆ ପାଣି ମେଣ୍ଟାଉଛିି ଶୋଷ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦାପଡା ପଞ୍ଚାୟତର ବାଲିଆପଡା ୱାର୍ଡର ସରୁପଡା ଗ୍ରାମବାସୀ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି ।
ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ଯୋଗାଇ ଦେଉଛନ୍ତି କିନ୍ତୁ ଆଦିବାସୀ ଅଧିଷ୍ଠିତ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ସୁବିଧା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ ପାଲଟିଛି ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ଏମିତିକି ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ବାଲନ୍ଦା ପଡା ପଞ୍ଚାୟତର ବାଲିଆପଡା ୱାର୍ଡର ସରୁପଡା ଗାଁରେ କାହିଁ କେଉଁ କାଳରୁ ଜନ ବସତି ଥିବା ବେଳେ ଏବେ ପ୍ରାୟ ୧୫ ଘର ରହିଆସୁଛନ୍ତି ଏହି ଗାଁରେ ପାଣି ପାଇଁ ସେମିତି କିଛି ସୁବିଧା ନଥିବା ବେଳେ ଗାଁରେ ସରକାରଙ୍କ ପକ୍ଷରୁ ଏକ ନଳ କୂପ ଯୋଗାଇ ଦିଆ ଯାଇଥିଲା କିନ୍ତୁ ତାହା ବର୍ତ୍ତମାନ ପାଣି ବାହାରୁନଥିବା ବେଳେ ଭାଙ୍ଗି ରୁଜି ପଡି ରହିଛି । ଗାଁରେ ପାଣି ପାଇଁ ଅନ୍ୟ କୌଣସି ସୁବିଧା ନଥିବା ବେଳେ ବାଧ୍ୟ ହୋଇ ବହୁ ଦୂରରେ ଥିବା ଚୁଆ ପାଣିକୁ ଭରସା କରି ଚଲୁଛନ୍ତି ଗ୍ରାମବାସୀ । ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ବାରମ୍ବାର ଅଭିଯୋଗ ପରେ ଗାଁରେ ନଳ କୂପ ଖୋଲିବା ପରିବର୍ତ୍ତେ ଅନ୍ୟ ଜାଗାରେ ପାହାଡ଼ ଉପରେ ଏକ ନଳ କୂପ ଖୋଳା ଯାଇଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ନିମନ୍ତେ ଅନ୍ୟପଟେ ନଳକୂପ ଦୂରରେ ଖୋଳିଥିଲେ ବି ଆଜି ପର୍ଯ୍ୟନ୍ତ ସେହି ନଳକୂପକୁ କୌଣସି ପାଇପ ସଂଯୋଗ ମଧ୍ୟ ହୋଇ ପାରିନାହିଁ । ପୁଣି ଏକ ନଳକୂପ ଏହି ସରୁପଡା ଗାଁରେ ତୁରନ୍ତ ନିର୍ମାଣ କରି ଗ୍ରାମବାସୀଙ୍କ ପାଇଁ ପିଇବା ପାଣି ଯୋଗାଇଦେବାକୁ ଦାବି କରିଛନ୍ତି ଗାଁର ଗୋବିନା ଦିଗାଲ, ହାଡୁ ଦିଗାଲ,ବୁଡୁ ଦିଗାଲ, ମହେଶ ଦିଗାଲ, ଚୈତନ୍ୟ ଦିଗାଲଙ୍କ ସହ ସମୂହ ଗ୍ରାମବାସୀ । ଏହି ଘଟଣାକୁ ନେଇ ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ ।