କୁକର୍ମକାରୀକୁ ୧୦ ବର୍ଷ ଜେଲ୍
ବାରିପଦା : ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟରେ ଏକ ନାବାଳିକା କୁକର୍ମ ମାମଲାର ରାୟ ପ୍ରକାଶ ପାଇଛି । ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ୧୦ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧୫ମାସର ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ଆସାମୀ ଜଣକ ହେଲେ ବାଦାମପାହାଡ ଥାନା ଅନ୍ତର୍ଗତ ରହଡିଗୋଡା ଗ୍ରାମର ମଙ୍ଗଲ ସୋରେନ(୩୫) । ସୂଚନାଯୋଗ୍ୟ, ଗତ ୧/୧/୨୦୧୭ରେ ପରିବାର ଲୋକେ ହାଟକୁ ଯାଇଥିବା ବେଳେ ଜନୈକା ନାବାଳିକା ଘରେ ଏକୁଟିଆ ଥିଲା । ଏହାର ସୁଯୋଗ ନେଇ ଆସାମୀ ଜଣକ ଘରେ ପଶି ନାବାଳିକାକୁ କୁକର୍ମ କରିଥିଲା । ସେ ଜୋରରେ ପାଟି କରିବାରୁ ଆସାମୀ ଜଣକ ନାବାଳିକାକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ତେବେ ସ୍ଥାନୀୟ ଅଞ୍ଚଳର ଲୋକେ ଆସିବାରୁ ସେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଏନେଇ ପରିବାର ଲୋକେ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିଥିଲେ । ଯାହାକୁ ନେଇ ନାବାଳିକା କୁକର୍ମର ଶିକାର ହୋଇଥିବା ନେଇ ପରିବାର ଲୋକେ ବାଦାମପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ପୀଡିତାର ବୟାନ ରେକର୍ଡ କରିଥିଲେ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି । ପୀଡିତା ନାବାଳିକାକୁ ୪,୦୦,୦୦୦ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ ।