କେନ୍ଦୁଝରରେ ଖୋଲିବ ଏନଏସଡ଼ି ଶାଖା

କେନ୍ଦୁଝରରେ ଖୋଲିବ ଏନଏସଡ଼ି ଶାଖା

ଭୁବନେଶ୍ୱର : କଳା ଏବଂ ସଂସ୍କୃତି ଯେକୌଣସି ସମାଜର ଆତ୍ମା । ଏହାଦ୍ୱାରା ଆମର ଚିନ୍ତାଧାରା, ଆମର ସଂଘର୍ଷ, ଆମର ଆଶା ଏବଂ ଆମର ସ୍ୱପ୍ନକୁ ପ୍ରତିଫଳିତ ହୋଇଥାଏ ବୋଲି ଆଜି ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଅଭିନୟ କର୍ମଶାଳାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । କେନ୍ଦୁଝର ଜିଲ୍ଲା ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେଯେ, କେନ୍ଦ୍ର ସରକାରଙ୍କ ସହଯୋଗରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଶାଖା କେନ୍ଦୁଝରରେ ପ୍ରତିଷ୍ଠା ହେବ ଏବଂ ଏହାର ସମସ୍ତ ଆନୁସଙ୍ଗିକ ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ କରିବେ ।


  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ନାଟକ ଆମ ଚିନ୍ତାଧାରାକୁ ପ୍ରଦର୍ଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ । ଏହା କେବଳ ମନୋରଞ୍ଜନ କରେ ନାହିଁ ବରଂ ଶିକ୍ଷା ମଧ୍ୟ ଦିଏ । କେନ୍ଦୁଝର ପ୍ରକୃତି, ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ ଭୂମି । ଲୋକ ସଙ୍ଗୀତ ଏବଂ ନୃତ୍ୟଠାରୁ କାହାଣୀ କହିବା ଏବଂ ରୀତିନୀତି ପର୍ଯ୍ୟନ୍ତ, ଏହି ଜିଲ୍ଲା ଏକ ଗଭୀର ସାଂସ୍କୃତିକ ଐତିହ୍ୟ ବହନ କରେ । ଯେତେବେଳେ ଏନଏସଡି ଭଳି ଜାତୀୟ ପ୍ରତିଷ୍ଠାନ କେନ୍ଦୁଝର ଭଳି ଜିଲ୍ଲାକୁ ଆସନ୍ତି, ସେମାନେ ପାରମ୍ପରିକ ଏବଂ ଆଧୁନିକ କଳା ମଧ୍ୟରେ ସେତୁ ସ୍ଥାପନ କରିବାରେ ସାହାଯ୍ୟ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଳାକୁ ଏବଂ କଳାକାରକୁ ଉଚିତ୍‌ ସମ୍ମାନ ଦେଖାଇ ଆମ ସରକାର କଳାକାରମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କହି ଆସୁଛନ୍ତି, ‘ବିକାଶ ଭି, ବିରାଶତ ଭି’। ଆମ ସରକାର ଏଥିରେ ଉଦବୁଦ୍ଧ ହୋଇ ବିକାଶ ଏବଂ ଓଡିଶାର ସାଂସ୍କୃତିକ ପରିଚୟକୁ ପ୍ରଚାର ପ୍ରସାର କରିବା ପାଇଁ କାର୍ଯ୍ୟରତ । ଓଡିଶାର କୋଣ ଅନୁକୋଣରେ ଭରି ରହିଛି ଲୋକ ସଙ୍ଗୀତ, ଲୋକ କଳାର ମଧୁର ମୂର୍ଚ୍ଛନା । ଏଥିସହିତ ଓଡିଶୀ ଏବଂ ଛଉ ପରି ଶାସ୍ତ୍ରୀୟ ନୃତ୍ୟରେ ଓଡିଶାର ଲୋକକଳା ସମୃଦ୍ଧ । ଆଦିବାସୀ ସଂସ୍କୃତି ଉତ୍କଳୀୟ ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ । ତେଣୁ ଜନଜାତିଙ୍କ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଥିଲେ।


   ସେ ଆହୁରି ମଧ୍‌ଯ କହିଥିଲେ, ଓଡିଶାର ଅନନ୍ୟ ଯାତ୍ରା ପରମ୍ପରା ରହିଛି । ଗଞ୍ଜାମ ଜିଲ୍ଲାର ଭାରତ ଲୀଳା ଯାହା ସୁଭଦ୍ରା ଓ ଅର୍ଜୁନଙ୍କ ବିବାହ ଉପରେ ଆଧାରିତ ହୋଇଛି । ଆଉ ଏକ ଅତ୍ୟନ୍ତ ଲୋକପ୍ରିୟ ଗଣନାଟ୍ୟ ହେଉଛି ‘ଦଣ୍ଡ ନାଚ’ ଯାହାକୁ ଅନେକ ଜାଗାରେ ‘ଝାମୁ ଯାତ୍ରା’ ବି କୁହାଯାଇଥାଏ। ଏହି ଯାତ୍ରାରେ ଗ୍ରାମାଞ୍ଚଳ ଓ ଜନଜାତିଙ୍କ ଜୀବନଶୈଳୀ ଓ ପରମ୍ପରା ପ୍ରଦର୍ଶିତ ହୋଇଥାଏ। ଆମ ପଡୋଶୀ ଜିଲ୍ଲା ମୟୂରଭଞ୍ଜର ବିଶ୍ୱ ପ୍ରସିଦ୍ଧ ‘ଛଉ ନାଚ’ ଶାସ୍ତ୍ରୀୟ ଏବଂ ମାର୍ଶାଲ ଆର୍ଟ ଫର୍ମର ଏକ ସୁନ୍ଦର ସମାହାର । ତେଣୁ ଓଡିଶାର ଏହିସବୁ ସମ୍ଭ୍ରାନ୍ତ ନାଟ୍ୟ ପରମ୍ପରା ସହିତ ଲୋକକଳା ଓ ଲୋକ ପରମ୍ପରାକୁ ସୁରକ୍ଷିତ ରଖି ତାର ପ୍ରଚାର-ପ୍ରସାର କରିବା ପାଇଁ ଆମେ ବଦ୍ଧ ପରିକର । ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଏହି ସମାରୋହରେ ସାଂସଦ ଅନନ୍ତ ଚରଣ ନାୟକ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଶାଳ ସିଂହ, ଏନ୍‌ଏସଡିର ରେଜିଷ୍ଟ୍ରାର ପ୍ରଦୀପ ମହାନ୍ତି, ସ୍ପିରିଜାର ପ୍ରତିଷ୍ଠାତା ପ୍ରଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।