ସୁନାରେ ଝଲସିଲେ ସୁନା ଠାକୁର

କେନ୍ଦୁଝର
ବିଶ୍ୱର ସୁଉଚ୍ଚ ରଥ ନନ୍ଦିଘୋଷରେ ଚତୁର୍ଦ୍ଧାର ମୂର୍ତ୍ତିରେ ଦେଉଳ ନିକଟରେ ରଥ ଲାଗିବା ପରେ ପାରମ୍ପରିକ ସୁନାବେଶ ଅନୁଷ୍ଠିତ ହୋଇଛି । ବାହୁଡା ଦଶମୀରେ ରଥ ବଳଗଣ୍ଡିର ଆଗକୁ ରହିଥିବାବେଳେ, ବଡ ଏକାଦଶୀ ଦିନ ରଥଟଣା ହୋଇ ପୂର୍ବାହ୍ନରେ ରଥ ଟଣା ହୋଇଥିଲା । କେନ୍ଦୁଝରର ଆରାଧ୍ୟ ଦେବତା ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ମାତା ସୁଭଦ୍ରାଙ୍କର ସୁନାବେଶ ରଥରେ ଅନୁଷ୍ଠିତ ହୋଇଛି  । ହଜାର ହଜାର ଭକ୍ତ ରଥାରୁଢ ଶ୍ରୀଜୀଉମାନଙ୍କର ସୁନାବେଶ ଦର୍ଶନ କରିବାର ଦୂର୍ଲ୍ଲଭ ସୁଯୋଗ ପାଇଥିଲେ । ଏହି ସୁନାବେଶକୁ ସୁଶୃଙ୍ଖଳିତ ଭାବରେ ସମାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବଡପଣ୍ଡା ରାଜକିଶୋର ପଣ୍ଡା, ରାଜପୁରୋହିତ ପ୍ରସନ୍ନ ନନ୍ଦ ଏବଂ ବ୍ରହ୍ମା ଗଙ୍ଗାଧର ମିଶ୍ର, ପୂଜକ ସୁବ୍ରତ ତ୍ରିପାଠୀ, ସୁଜିତ ଦାଶ, ପଦ୍ମନାଭ ନନ୍ଦ, ସିଦେ୍ଧଶ୍ୱର ମିଶ୍ର ଓ ଜଗନ୍ନାଥ ପତି ପ୍ରମୁଖ ଶ୍ରୀଜୀଉଙ୍କ ସୁନାବେଶ କରାଇଥିଲେ । ଠାକୁରଙ୍କର ୬୩ପ୍ରକାରର ସୁନା ଗହଣା ଥିବାବେଳେ ୧୮ ପ୍ରକାରର ଅଳଙ୍କାରରେ ପ୍ରଭୂଙ୍କୁ ଆଭୂଷିତ କରାଯାଇଛି । ଭଗବାନଙ୍କୁ ସୁନା ମୁକୁଟ, ସୁନା କିରିଟି, ସୁନାର ମରିଚ ହାର, ଝରା ସହିତ ଜଗନ୍ନାଥ ଓ ବଳଭଦ୍ରଙ୍କ ସୁନାପେଟି, ସୁଭଦ୍ରାଙ୍କର ସୁନାପେଟି, ଦୁଇଯୋଡା ସୁନା କୁଣ୍ଡଳ, ଗିରିଗୋଲର ହାର, ରୁଦ୍ରାକ୍ଷ ମାଳ, ୫ଟି କିଆପତ୍ର, ଏକଯୋଡା କୁଣ୍ଡଳ, ଗୋଟିଏ ରୂପା ମୁକୁଟ, ରୂପା ହାତ, ରୂପା ଗୋଡ ଓ ରୂପା ପୟର ଆଦି ଅଳଙ୍କାରେ ପ୍ରଭୂଙ୍କୁ ସଜ୍ଜିତ କରାଯାଇଛି । ଏସ୍ପି ନିତିନ କୁଶଲକର, ଡିଏଫ୍ଓ ଧନରାଜ ଏଚ୍ଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର ପ୍ରଧାନ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ ଓ ପୋଲିସ ଅଧିକାରୀ ଉପସ୍ଥିତଥିଲେ । ରଥାରୁଢ ଶ୍ରୀଜୀଉମାନଙ୍କୁ ୧୦ ହାଣ୍ଡି ରସଗୋଲା ଭୋଗ ଲାଗି ହୋଇଥିଲା  ।

ତାଳଚେର
ଆଷାଢ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ପବିତ୍ର ତିଥିରେ  ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିବା ଦେଖାଯାଇଥିଲା । ପ୍ରାତଃକାଳରୁ ବୃଦ୍ଧବୃଦ୍ଧାଙ୍କ ଠାରୁ ଆରମ୍ଭ କରି ଆବାଳବୃଦ୍ଧବନିତା ପର୍ଯ୍ୟନ୍ତ ରଥରେ ମହାବାହୁଙ୍କୁ ଦର୍ଶନ କରିଥିଲେ । ଘଂଟଘଂଟା, ହୁଳହୁଳି, ହରିବୋଲ, ଝାଞ୍ଜକୀର୍ତନ, ମୃଦଙ୍ଗ ଶଦ୍ଦରେ ବଡ଼ଦାଣ୍ଡଟି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଭଗବାନଙ୍କର ଏହି ସୁନାବେଶ ବର୍ଷକୁ ପ୍ରାୟ ୫ଥର ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ବିଜୟା ଦଶମୀ (ଦଶହରା), ପୌଷପୂର୍ଣ୍ଣିମା (ପୁଷ୍ୟାଭିଷେକ), ଦୋଳପୂର୍ଣ୍ଣିମା, କାର୍ତିକ ପୂର୍ଣ୍ଣିମା ଓ ଆଶାଢ଼ ଶୁକ୍ଳ ଏକାଦଶୀ (ରଥଉପରେ) ଏହି ବେଶ ଅନୁଷ୍ଠିତ ହୋଇଥାଏ । ଜଗନ୍ନାଥ ମହାପ୍ରଭୁଙ୍କର ଏହି ପବିତ୍ର ସୁନାବେଶର ଉତ୍ପତି ପୌରାଣିକ ଆଧାରିତ ଅନୁଯାୟୀ ଅନୁଷ୍ଠିତ ହୋଇ ଆସୁଛି । ତେଣୁ ଏହି ରୂପ ଦର୍ଶନ କରିବାକୁ ଅତିଉକ୍ରଣ୍ଠାର ସହ ଭକ୍ତ, ଶ୍ରଦ୍ଧାଳୁ ଏକତି୍ରତ ହୋଇଥାନ୍ତି । ରଥଯାତ୍ରା ଠାରୁ ଆରମ୍ଭ କରି ଏକଦଶୀ ପର୍ଯ୍ୟନ୍ତ ମହାବାହୁଙ୍କ ଉଦେ୍ଦଶ୍ୟରେ ଭଜନସମାରୋହର ଆୟୋଜନ କରାଯାଇଥିବାରୁ ଜନସମାଗମ ବେଶ ଯାତ୍ରାକୁ ଆକର୍ଷଣ କରୁଛି । 

କଟକ
ରବିବାର ପ୍ରଭୁ ଶ୍ରୀଜଗନ୍ନାଥଙ୍କର ସୁନାବେଶ । କଟକ ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ସୁନାବେଶ କରାଯାଇ ନାନା ଅଳଙ୍କାରରେ ଭୂଷିତ କରାଯାଇଥିଲା । ରବିବାର ଛୁଟି ଥିବାରୁ ମହାପ୍ରଭୁଙ୍କର ସୁନାବେଶ ଦେଖିବା ପାଇଁ ଭକ୍ତଙ୍କର ବହୁଳ ସମାଗମ ହୋଇଥିଲା । ପ୍ରାତଃ ସମୟରୁ ଶ୍ରୀଜୀଉଙ୍କର ସମସ୍ତ ନୀତି ରଥ ଉପରେ ସଂପନ୍ନ ହୋଇଥିଲା । ସନ୍ଧ୍ୟାରେ ଆଳତୀ କରାଯାଇ ସୁନାବେଶ ଆରମ୍ଭ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇଥିଲା । ପରେ  ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଏହି ଅବସରରେ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସେହିପରି ହରିପୁର/ଦୋଳମୁଣ୍ଡେଇ ପତିତୋପାବନ ଜୀଉ ଜଗନ୍ନାଥ ମନ୍ଦିର ଏବଂ ଯୋବ୍ରା ନୂଆସାହି ସ୍ଥିତ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଯୋବ୍ରା ଜଗନ୍ନାଥ ମନ୍ଦିରରେ ଶ୍ରୀଜୟଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ । ସୋମବାର ଅଧରପଣା ନୀତି ଏବଂ ମଙ୍ଗଳବାର ଦିନ ନିଳାଦ୍ରୀ ବିଜେ ପରେ ମହାପ୍ରଭୁ ରନô ସିଂହାସନକୁ ଫେରିବେ ।

ବାହାରିନରେ ବାହୁଡ଼ା ଯାତ୍ରା
କଟକ : ବାହାରିନ ଓଡ଼ିଆ ସମାଜ ପକ୍ଷରୁ ବାହାରିନ ରାଜଧାନୀ ମାନାମା ଠାରେ ବାହୁଡ଼ା ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଘଣ୍ଟ ଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତମାନେ  ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟାଣିଥିଲେ । ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେବା ପରେ ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇଥିଲେ । ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ କିଛି ଭକ୍ତ ଓଡ଼ିଶାର ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବାହାରିନ ଓଡ଼ିଆ ସମାଜର ସଭାପତି ରାମଚନ୍ଦ୍ର ସାହୁ, ସାଧାରଣ ସଂପାଦକ ସାନ୍ତନୁ ସେନାପତି, ଯୁଗ୍ମ ସଂପାଦକ ସାରଦା ପ୍ରସାଦ ପଟ୍ଟନାୟକ, ସାଂସ୍କୃତିକ ସଂପାଦିକା ଅଙ୍କିତା ନାୟକ, କୋଷାଧ୍ୟକ୍ଷ ପି୍ରୟଦତ୍ତ ରାୟ, କ୍ରୀଡ଼ା ସଂପାଦକ ଅମ୍ରେଶ ପଣ୍ଡା ଓ ଜନସଂପର୍କ ସଂପାଦକ ଅମରନାଥ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ରାଧାଗୋପାଳକୃଷ୍ଣ ମନ୍ଦିରର ସଭାପତି ପ୍ରଶାନ୍ତ ମହାନ୍ତି, ଅନୁଷ୍ଠାନର ବରିଷ୍ଠ ସଦସ୍ୟ କିଶୋର ଦାସ, ବିଷ୍ଣୁ ପ୍ରସାଦ ମହାନ୍ତି, ଦିନେଶ ମହାନ୍ତି, ଭକ୍ତହରି ଅଗସ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।