କ୍ରପ୍ ୱେଦର ୱାଚ୍ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ଆଜି କୃଷି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ କ୍ରପ୍ ୱେଦର୍ ୱାଚ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ଫସଲର ସ୍ଥିତି, ପାଣିପାଗ, ସାର ଯୋଗାଣ ସ୍ଥିତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ବହୁଳ ମାତ୍ରାରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହେଉଛି । ଏହି ସବୁଜିମା ଅଭିଯାନ ଅନ୍ତର୍ଗତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୨୩ ଲକ୍ଷ ଚାରା ରୋପଣ କରାଯିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସମୟରେ ପାଣିପାଗ ଅନୁକୂଳ ଥିବାରୁ ଚାଷ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । କେନାଲ ଗୁଡ଼ିକର ମରାମତି କରି ଆବଶ୍ୟକ ପରିମାଣର ପାଣି ଚାଷ ଜମିକୁ ଯୋଗାଇ ଦିଆଯାଇଛି । ସେହିଭଳି ସାରା ରାଜ୍ୟରେ ସାର ଯୋଗାଣ କରାଯାଉଛି । ଯେଉଁଠାରୁ ସାର ଯୋଗାଣ ନେଇ କିଛି ବି ଅଭିଯୋଗ ଆସୁଛି ବିଭାଗ ତା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଡ଼ ପାଢୀ ମତବ୍ୟକ୍ତ କରିଛନ୍ତି । ଏହାବ୍ୟତୀତ କୃଷି ସମୃଦ୍ଧି ହେଲ୍ପ ଲାଇନ ମାଧ୍ୟମରେ ଚାଷୀଙ୍କୁ ସଠିକ ସୂଚନା ପ୍ରଦାନ କରାଯାଉଛି । ଆଗାମୀ ସମୟରେ ସାର ଯୋଗାଣକୁ ସୁଦୃଢ କରିବା ନିମନ୍ତେ ଅଧିକ ରେଳ ରେକ୍ ପଏଣ୍ଟ ପାଇଁ ବିଭାଗ ତରଫରୁ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖା ଯାଇଛି ।
ବୈଠକରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଉଦ୍ୟାନ କୃଷି ନିଦେ୍ର୍ଦଶକ କୁଲାଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିଦେ୍ର୍ଦଶକ ସୁବ୍ରତ କୁମାର ପଣ୍ଡା, କୃଷି ନିଦେ୍ର୍ଦଶକ ଲିଟି ପଟ୍ଟନାୟକ, ପାଣିପାଗ ନିଦେ୍ର୍ଦଶକ ଡ଼ ମନୋରମା ମହାନ୍ତି, କୃଷି ବିଭାଗ, ସମବାୟ ବିଭାଗ, ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।