ଖଇରା ମହାବିଦ୍ୟାଳୟର ବାର୍ଷିକୋତ୍ସବ
ଖଇରା: ଯେଉଁଠି ପରସ୍ପର ମଧ୍ୟରେ ସହଯୋଗ ଥାଏ ସେଠି ସ୍ୱର୍ଗୀୟ ସୁଖ ମିଳିଥାଏ । ଆଉ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା ମନୋଭାବ ଆମକୁ ନର୍କଗାମୀ କରିଥାଏ । ଏଣୁ ମଣିଷ ଏକ ସାମାଜିକ ପ୍ରାଣୀ ଭଳି ବିବାଦୀୟ ଉକ୍ତିରୁ ଦୂରେଇ ଈଶ୍ୱରଙ୍କର ଏହି ସୃଷ୍ଟି ମଣିଷ ଭିତରେ ଈଶ୍ୱରଙ୍କ ସତ୍ତା ଉପଲବ୍ଧି କରିପାରିଲେ ଆମ ସମାଜ ସ୍ୱର୍ଗ ପାଲଟିବ ଏଥିରେ ସନେ୍ଦହ ନାହିଁ ବୋଲି ଖଇରା ମହାବିଦ୍ୟାଳୟ ୪୫ତମ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ମଧ୍ୟପ୍ରଦେଶ ଇନେ୍ଦାର ସ୍ଥିତ ଅହଲ୍ୟା ବିଶ୍ୱବିଦ୍ୟାଳୟର ପ୍ରାକ୍ତ ପ୍ରଫେସର ଡ ଶଶିକାନ୍ତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ସମାରୋହରେ ପରିଚାଳନା ସମିତିର ପ୍ରାକ୍ତନ ସଭାପତି ମୁକ୍ତିକାନ୍ତ ଶତପଥି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଦେବବ୍ରତୀ ଦାସ ସମ୍ମାନନୀୟ ଅତିଥି, ଉପଦେଷ୍ଟା ଶଶିକାନ୍ତ ପଣ୍ଡା ପ୍ରାରମ୍ଭିକ ସୂଚନା, ଅଧ୍ୟାପକ ବନମାଳି ବାରିକ ଅତିଥି ପରିଚୟ ଓ ଅନ୍ୟତମ ଉପଦେଷ୍ଟା ଗୋପବନ୍ଧୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ଚାମ୍ପିୟନ ହୋଇଥିବା ବାଳିକା ବିଭାଗର ନିରୁପମା ବିଶ୍ୱାଳ ଓ ପ୍ରତିମା ଜେନା ଏବଂ ବାଳକ ବିଭାଗର ଜ୍ୟୋର୍ତିଆଦିତ୍ୟ ରାୟ, ଆଶିଷ କୁମାର ନାୟକ ଓ ଓମ୍ ପ୍ରକାଶ ପୃଷ୍ଟିଙ୍କୁ ପୁରସ୍କୃତ କରାଯାଇଥିଲା ।