ବରିଷ୍ଠଙ୍କୁ ଉପେକ୍ଷା; ଆଶାୟୀ ନିରାଶ : ମାଗୁଣି ବଟକୃଷ୍ଣ ଯାଜପୁର କଂଗ୍ରେସ ସଭାପତି
ଯାଜପୁର : ବଡ଼ଚଣାରୁ ବିଞ୍ଝାରପୁର, ଯାଜପୁରରୁ ସୁକିନ୍ଦା, କୋରେଇରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଯାଜପୁର ଜିଲା କଂଗ୍ରେସ ସଭାପତି ହେବା ନିମିତ ଏକାଧିକ ଆଶାୟି ରହିଥିଲେ । କିନ୍ତୁ ସମସ୍ତ ଆଶାୟୀଙ୍କୁ ନିରାଶ ହେବାକୁ ପଡ଼ିଛି । ଏଆଇସିସି ପକ୍ଷରୁ ଜାରି ଘୋଣାନାମା ଅନୁଯାୟୀ ମାଗୁଣି ବଟକୃଷ୍ଣ ଜେନା ହୋଇଛନ୍ତି ଯାଜପୁର କଂଗ୍ରେସର ମଙ୍ଗୁଆଳ । ଏଆଇସିସିର ଏଭଳି ନିଷ୍ପତ୍ତିକୁ ନେଇ ଯାଜପୁର ଜିଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଶାୟୀ ହୁଅନ୍ତୁ ବା ଦଳ ପ୍ରତି ଆନୁଗତ୍ୟ ରଖିଥିବା ଏକାଧିକ କର୍ମୀ ଜିଲା ସଭାପତିଙ୍କ ନାଁ ପ୍ରକାଶ ପରେ ଅସନ୍ତୋଷ ପ୍ରକାଶ କରି ଦଳ ତୃଣମୂଳ ଏବଂ ଦଳୀୟ ବିଚାରଧାରାରେ ନିଷ୍ପତ୍ତି ନେଇ ନଥିବା ପ୍ରକାଶ କରିଛନ୍ତି । ଯାହା ଦଳକୁ ହିଁ କ୍ଷତି ପହଁଚାଇବ ବୋଲି କହିଛନ୍ତି । କିଛି ନାଁ ପ୍ରକାଶ ନକରିବାକୁ ସର୍ତ୍ତ ରଖିନିଜର କ୍ଷୋଭ ପ୍ରକାଶ କରିଥିବା ବେଳେ ଏକାଧିକ ସ୍ପଷ୍ଟ ଭାବେ ଦଳର ନିଷ୍ପତ୍ତି ଜିଲାରେ କଂଗ୍ରେସକୁ ହିଁ ମୂଳୋତ୍ପାଟନ କରିବ ବୋଲି କହିଛନ୍ତି । ଜିଲାର ଜଣେ ବରିଷ୍ଠ ନେତା ନାମପ୍ରକାଶ ନକରିବା ସର୍ତ୍ତରେ ଯାହା କହିଛନ୍ତି, ତାହା ବିଷ୍ପୋରକ ମତ ଠାରୁ କୈାଣସି ମତେ କମ ନୁହେଁ । ତାଙ୍କ କହିବା କଥା ଥିଲା, କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ ଓ ମଜ୍ବୁତ୍ କରିବା ପାଇଁ ‘ସଂଗଠନ ସୃଜନ ଅଭିଯାନ’ ଜିଲାର ସମସ୍ତ ୭ଗୋଟି ନିର୍ବାଚନ ମଣ୍ଡଳୀରେ କରାଯାଇଥିଲା । ଉକ୍ତ ଅଭିଯାନ ମାଧ୍ୟମରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଚୟନ କରାଯିବ ବୋଲି ଏଆଇସିସିର ନିଷ୍ପତ୍ତି ଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦ ଚୟନ ନିମନ୍ତେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ·ରୁଲତା ଟୋକାସ୍ଙ୍କୁ ନିଯୁକ୍ତି ମିଳିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ସାଂସଦ ଯସୋବନ୍ତ ସିଂହ ଲାଗୁରି, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଶାନ୍ତନୁ ସାହୁ ଏବଂ ୟାକୁବ ଉଜ୍ମାନ ଖାଁଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । ପର୍ଯ୍ୟବେକ୍ଷକ ଟିମ୍ ଚଳିତ ମାସ ୮ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଏବଂ ପୈାରପାଳିକାରେ ‘ସଂଗଠନ ସୃଜନ ଅଭିଯାନ’ ମାଧ୍ୟମରେ କଂଗ୍ରେସ କମିଟି ବୈଠକରେ ସାମିଲ ହୋଇଥିଲେ ।
ବୈଠକରେ ସଭାପତି ଆଶାୟୀ ଦଳ ପାଇଁ କ’ଣ କରିଛନ୍ତି, ଏବଂ କ’ଣ କରିବେ ମତ ରଖିବା ସହ ନିଜର ଦସ୍ତାବିଜ ପଇଠ କରିଥିଲେ । ବୈଠକରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଏବଂ ପ୍ରମୁଖ କର୍ମୀଙ୍କ ମତାମତ ପର୍ଯ୍ୟବେକ୍ଷକ ନେଇଥିଲେ । ପ୍ରାୟତ ସବୁ ନିର୍ବାଚନ ମଣ୍ଡଳୀରୁ ଏକାଧିକ ସଭାପତି ଆଶାୟୀ ରହିଥିଲେ । ହେଲେ ଏଆଇସିସି ମାଗୁଣିଙ୍କ ନାମ ଘୋଣଷା କଲେ । ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳର ନିଷ୍ପତ୍ତି ବିରୁଦ୍ଧରେ ମୁଁ ଯାଇପାରିନି, କିନ୍ତୁ ଦଳ ଯାହା ନିଷ୍ପତ୍ତି ନେଲା, ତାହା ଦଳପାଇଁ ଶୁଭଙ୍କର ନୁହେଁ । ଜିଲାର ଅନ୍ୟତମ ବରିଷ୍ଠ ନେତା ବିଦ୍ୟାଧର ମହାନ୍ତ୍ି ମାଗୁଣିଙ୍କ ନାଁ ଘୋଷଣା ପରେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କଂଗ୍ରେସ ସହ ଦୀର୍ଘବର୍ଷ ଧରି ଯୋଡ଼ି ହୋଇ ରହିଥିବା ଜଣେ ଆଶାୟୀ କହିଛନ୍ତି, ଯୋଗ୍ୟତା ଦକ୍ଷତା ଯାହା ସବୁ ପରଖା ଯାଇ ନିଷ୍ପତ୍ତି ନେବାକୁ କୁହାଯାଇଥିଲା । କିନ୍ତ୍ୁ ଯାଜପୁର କ୍ଷେତ୍ରରେ ଏହା କରାଗଲାନି । ସୃଜନ ଅଭିଯାନ କଥା କୁହାଯାଇଥିଲେ ହେଁ ଯାଜପୁର କ୍ଷେତ୍ରରେ ମତ ଚୋରି କରାଯାଇଛି । ଦଳରେ ୫ବର୍ଷ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ସଭାପତି କରିବାର ନିୟମ କରାଯାଇଥିଲେ ହେଁ ଯାଜପୁର କ୍ଷେତ୍ରରେ ବ୍ୟତିକ୍ରମ ଘଟିଛି । ଯାହାଙ୍କୁ ସଭାପତି ଘୋଷଣା କରାଯାଇଛି, ତାଙ୍କୁ ମୁଁ ବ୍ୟକ୍ତଗତ ବିରୋଧ କରୁନି, କିନ୍ତୁ ସେ କେବେ ଦଳରେ ଥିଲେ ସେକଥା ଯାଜପୁରକୁ ଆସିଥିବା ପର୍ଯ୍ୟବେକ୍ଷକ ପରଖିଲେନି । ଗଲା ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ଆସିଥିବା ଜଣଙ୍କୁ ଜିଲା ଦାୟିତ୍ୱ ଟେକି ଦେବା ପଛରେ ପ୍ରତେକ ଆବେଦନକାରୀଙ୍କୁ ଛଳନା କରାଯାଇଛି । ଏପରିକି ଜିଲା ସଭାପତି ଚୟନ ବିଜେଡ଼ି ନେତାଙ୍କ କଥାରେ ହୋଇଛି, ଏବଂ ରାଜ୍ୟସଭାପତି ମଧ୍ୟ ତାହାକୁ ସ୍ୱିକୃତି ଦେଇଛନ୍ତି । କୋରେଇ ବ୍ଲକ ଜୋନ ସଭାପତି ବିଜୟ ବୋଇତାଇ କହିଛନ୍ତି ନୂତନ ସଭାପତିଙ୍କୁ ଜିଲାର କର୍ମୀ ଭଲ ଭାବେ ଚିହ୍ନି ନାହାନ୍ତି । ସୁପାରିଶ କରି ପଦ ହାସଲ କରିଥିବା ସଭାପତି ଦଳକୁ କେତେ ଆଗକୁ ନେଇ ପାରିବେ, ତାହାତ ସମୟ କହିବ କିନ୍ତୁ କର୍ମୀ ତାଙ୍କୁ ସହଜରେ ଗ୍ରହଣ କରିପାରିବେନି ।
ଧର୍ମଶାଳା ନେତା କିଶାନ ପଣ୍ଡା କହିଛନ୍ତି ଯେ, ଆମେ ଦାବି ରଖିଥିଲୁ ଜଣେ ଦଳିତ ବା ଆସିବାାସୀଙ୍କୁ ସଭାପତି କରିବା ପାଇଁ । ଦଳ ନିଷ୍ପତ୍ତ ଯାହା ନେଇଛି, ତାହା ଠିକ୍ କି ଭୁଲ ଆଗକୁ ଜଣାପଡ଼ିବ ବୋଲି କହିଥିଲେ । ବିଞ୍ଝାରପୁର ନେତା କନକଲତା ମଲିକ ଦଳ ନିଷ୍ପତ୍ତି ନେଇଛି ଆମେ ମାନିବାକୁ ବାଧ୍ୟ ବୋଲି କହିଥିବା ବେଳେ ପ୍ରାକ୍ତନ ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା ମାଗୁଣିଙ୍କ ନିଯୁକ୍ତି ସୃଜନ ଅଭିଯାନକୁ ଅନୁପାଳନ କରାଯାଇଛି କି ନାହିଁ ତାହା ରାଜ୍ୟ ସଭାପତି ହିଁ କହିପାରିବେ ବୋଲି ମତ ରଖିଥିଲେ । ସୁକିନ୍ଦାର ଜଣେ କଟର କଂଗ୍ରେସ ସଂଗଠକ ବାବୁଲି ପୂର୍ତିି କିନ୍ତୁ ନିଜର ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ସଭାପତି ଚୟନ ଆଗାମୀ ଦିନରେ ଦଳ ଭିତରେ ହିଁ ଦ୍ୱନ୍ଦ ସୃଷ୍ଠି କରିବ । ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରାଯିବା ଦରକାର ନଚେତ ଯାହା ଦଳର କ୍ଷତିଘଟିବ ସେଥିପାଇଁ ରାଜ୍ୟ ସଭାପତି ହିଁ ଦାୟୀ ରହିବେ ବୋଲି କହିଛନ୍ତି । । ପ୍ରଶ୍ନ ଉଠୁଛି ସୃଜନ ଅଭିଯାନରେ ଆସିଥିବା ପର୍ଯ୍ୟବେକ୍ଷକ କ’ଣ ଜନମତ ଭିତିରେ ସଭାପତିଙ୍କ ନାଁ ସୁପାରିଶ କରିଛନ୍ତି ? ।
ମାଗୁଣି ଜଣେ ଦଳିତ ନେତା ଏବଂ ଦଳିତ ଅଧିକାର ପାଇଁ ଦାର୍ଘବର୍ଷ ଧରି କାର୍ଯ୍ୟ କରିଆସିଛନ୍ତି । ତାଙ୍କୁ ସଭାପତି କରିବାକୁ ମଧ୍ୟ ଦଳିତ ସଂଗଠନ ଦାବି ରଖିଥିଲା । ହେଲେ ମାଗୁଣି ଜଣେ ଚିହ୍ନା ପରିଚିତ ଚେହେରା ନୁହଁନ୍ତି । ଗଲା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ସଂକ୍ରିୟ ହୋଇଥିଲେ । ସେଥିପାଇଁ ତାଙ୍କ ଜିଲା ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଆସିନ କରାଯାଇଥିଲା । ତାଙ୍କ ଅଧ୍ୟକ୍ଷରେ ଦଳ ଜିଲାରେ କେତେ ସଫଳତା ପାଇଛି, କାହାକୁ ଅଛପା ନୁହେଁ । ମାତ୍ର ଦେଢବର୍ଷ ତଳେ ଦଳରେ ମିଶିଥିବା ଜଣଙ୍କୁ ସଭାପତି କରିବାକୁ କ’ଣ ପ୍ରତ୍ୟେକ ବ୍ଲକ କଂଗ୍ରେସ ନେତୃମଣ୍ଡଳୀ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ଦଳିତ କଂଗ୍ରେସ, କୃଷକ କଂଗ୍ରେସ, ସେବା ଦଳ ପର୍ଯ୍ୟବେକ୍ଷକଙ୍କ ଆଗରେ ଉପସ୍ଥାପନ କରିଥିଲେ କି ? ସଭାପତି ଚୟନ କଂଗ୍ରେସର ଏକ ଭୁଲ ନିଷ୍ପତି ବୋଲି ପ୍ରମୂଖ ଦଳୀୟ ନେତା କହୁଥିବା ବେଳେ ସାଧାରଣରେ ମଧ୍ୟ ଏହା କୁହାଯାଉଛି । ପର୍ଯ୍ୟବେକ୍ଷକ ସୁପାରିଶ ହେଉ କି ଏଆଇସିସିର ଚୟନ କଂଗ୍ରେସ ପାଇଁ ମହଙ୍ଗା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ନୂତନ ସଭାପତି ମାଗୁଣିଙ୍କ ମତାମତ ନେବାକୁ ଯୋଗା ଯୋଗ କରାଯାଇଥିଲେ ହେଁ ବୈଠକରେ ଅଛି ବୋଲି କହି ଫୋନ କାଟି ଦେଇଥିଲେ । ତେବେ ଦେଖିବାର ଅଛି ଯାଜପୁରରେ ମାଟି କାମୁଡ଼ିଥିବା କଂଗ୍ରେସକୁ ନୂତନ ସଭାପତି କେମିତି ଉଠାଇପାରୁଛନ୍ତି ।