ବସ୍ ଧକ୍କାରେ ଯୁବକଙ୍କ ମୃତୁ୍ୟ

 ସାରସକଣା/ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ସ୍ଥିତ ଦୁଆରଶୁଣି ଘାଟି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବସ୍ ଓ ବାଇକ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ମଟରସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଯୋଶଦା ନାମକ ବସ୍ଟି ରାଇରଙ୍ଗପୁର ପଟୁ ଆସି ବାଙ୍ଗିରିପୋଷି ବସ୍ଷ୍ଟାଣ୍ଡ ଯିବାକୁ ଓଲଟା ରାସ୍ତାରେ ଆସୁଥିବା ବେଳେ ବାଙ୍ଗିରିପୋଷି ପଟୁ ବିପରୀତ ଦିଗରୁ ଆସୁଥିବା (ଓଡି୧୧ଏଏଫ୍୮୦୯୩) ନମ୍ବର ବିଶିଷ୍ଟ ମଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ମଟରସାଇକେଲରେ ବସିଥିବା ତିନି ଯୁବକ ରାସ୍ତା ଉପରେ କଚାଡି ପଡ଼ିଥିଲେ । ସେଥିମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ମୃତ ଯୁବକଙ୍କ ଘର ରାଜସ୍ଥାନ ହୋଇଥିବାବେଳେ ତାଙ୍କ ନାମ ଅନିଲ ପରିହାର ବୋଲି ଜଣାଯାଇଥିବାବେଳେ ଆହତ ଦୁଇଜଣ ପଥରଖୋମ ଗ୍ରାମର ଶିବ ସିଂ ଓ  ଶିବଶଙ୍କର ରଣା ବୋଲି ସୂଚନା ମିଳିଛି । ଘଟଣାକୁ ନେଇ ତିନିଘଣ୍ଟାରୁ ଅଧିକ ସମୟ ଧରି ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ପୁଲିସର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।