ଖାଲି ପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ: ୩ କାର୍ଯ୍ୟାଳୟ ମୁରବୀ ହୀନ
ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଟି କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପରିସରରେ ରହିଛି। ଏଠାରେ ଦୁଇ ଦୁଇଜଣ ବିଧାୟକ ରହିଥିବା ସତ୍ତ୍ୱେ ମୁରବୀ ହୀନ ହୋଇପଡ଼ିଛି କାର୍ଯ୍ୟାଳୟ। ଯାହାଦ୍ବାରା ଲୋକେ ସେମାନଙ୍କ ନିଜ ନିଜର କାର୍ଯ୍ୟ ଲାଗି ଗୁହାରି ଜଣାଇବାକୁ ଆସି ନିରାଶ ହୋଇ ଫେରିବାରେ ଲାଗିଛନ୍ତି। ଏହାସହ ସେମାନଙ୍କ ମୌଳିକ କାର୍ଯ୍ୟ ହାସଲରୁ ବଞ୍ଚିତ ହୋଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ପୁରୁଷୋତ୍ତମପୁର ଅଞ୍ଚଳଟି କେବଳ ଭଗବାନଙ୍କ ଭରସାରେ ହିଁ ଚାଲିଛି। ଏଠାରେ ରହିଥିବା ପୋଲିସ ବିଭାଗୀୟ ସବ୍ଡିଭିଜନ କାର୍ଯ୍ୟାଳୟ ସମେତ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ମୁଖ୍ୟ ଅଧିକାରୀ ପଦବୀମାନ ଖାଲିପଡିଛି। ଗତ କିଛିଦିନ ହେଲା ଏସବୁ କାର୍ଯ୍ୟାଳୟ ମୁରବୀ ହୀନ ହୋଇପଡ଼ିଛି। କେବଳ କାମଚଳା ନୀତିରେ ସରକାର ଏହି ଅଫିସଗୁଡ଼ିକୁ ଚଳାଇଛନ୍ତି। ଫଳରେ ଉନ୍ନୟନମୂଳକ କାମ ତ୍ୱରାନ୍ବିତ ହୋଇପାରୁନଥିବା ବେଳେ ବିଭିନ୍ନ କାର୍ଯ୍ୟ ଲାଗି ଅଫସ୍କୁ ଆସୁଥିବା ଲୋକେ ଓ ଛାତ୍ରୀଛାତ୍ର ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।
ଏଠାରେ ଥିବା ବିଡିଓ ମନୋଜ କୁମାର ନାୟକ ଗତ ମାସ ୨୦ ତାରିଖରୁ ବଦଳି ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଏବିଡିଓ ନିରାକାର ଜେନା ଦାୟିତ୍ୱରେ ରହିଛନ୍ତି। ସେହିପରି ତହସିଲଦାର ବିନୋଦ କୁମାର ବେହେରା ସରକାରଙ୍କ ତିନି ମାସିଆ ତାଲିମ ଲାଗି ଗତ ୧ ତାରିଖଠାରୁ ଚାଲିଯାଇଥିବା ହେତୁ ଏହି ପଦବୀଟି ଖାଲିପଡ଼ିଛି। ଦୁଇଦୁଇଟି ଅତିରିକ୍ତ ତହସିଲଦାର ପଦବୀ ଦୀର୍ଘ ମାସ ହେଲା ଖାଲିପଡ଼ିଥିବାରୁ ଏନ୍ଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ତହସିଲଦାର ଦାୟିତ୍ୱରେ ଅଛନ୍ତି। ଅପରପକ୍ଷରେ ପୋଲିସ ବଭାଗଟି ଅତି ସମ୍ବେଦନଶୀଳଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବା ବେଳେ ଏଠାରେ ସବ୍ଡିଭିଜିନାଲ କାର୍ଯ୍ୟାଳୟ ରହିଛ। ଏହା ଅଧୀନରେ ପୁରୁଷୋତ୍ତମପୁର ଥାନା ସମେତ ବେଗୁନିଆପଡ଼ା,ପୋଲସରା, କୋଦଳା, କବିସୂର୍ଯ୍ୟନଗର ଆଦି ୫ଟି ଥାନା ସମେତ ବାଲିଛାଇ ଫାଣ୍ଡି ଓ ପୁରୁଷୋତ୍ତମପୁର, କୋଦଳା, ପୋଲସରା, କବିସୂର୍ଯ୍ୟନଗର କୋର୍ଟମାନ ରହିଛି। ଏଭଳି ସ୍ଥିତିରେ ସରକାରଙ୍କ ଗୃହବିଭାଗ ଏପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାହାରିକୁ ନିଯୁକ୍ତି ନଦେଇ ଏଠାରେଥିବା ଏସ୍ଡିପିଓ ରଜନୀକାନ୍ତ ସାମଲଙ୍କୁ ଭୁବନେଶ୍ବର କମିଶନରେଟ୍ ପୋଲିସକୁ ବଦଳି କରିନେଇଛନ୍ତି। ଫଳରେ ସେ ଗୁରୁବାର ରିଲିଭ୍ ହୋଇଯାଇଥିବା ହେତୁ ଗଞ୍ଜାମ ଜିଲା ଅତିରିକ୍ତ ଏସ୍ପି ପି.କେ ଦାଶ ଏହି ଦାୟିତ୍ୱରେ ରହିଛନ୍ତି।
ବର୍ତ୍ତମାନ ଏଭଳି ପରିସ୍ଥିତିରେ ୩ ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ମୁଖ୍ୟ ପଦାଧିକାରୀଙ୍କ ପଦବୀ ଖାଲି ପଡ଼ିବାରୁ ବିଭିନ୍ନ ସମସ୍ୟା ଦେଖାଦେଇ ଏହି କାର୍ଯ୍ୟାଳୟମାନ ଏବେ ଖାଁ ଖାଁ ହୋଇପଡ଼ିଛି। ଏଣୁ ସରକାରଙ୍କ ଗୃହବିଭାଗ, ପଞ୍ଚାୟତିରାଜ ବିଭାଗ ଓ ରାଜସ୍ବ ବିଭାଗୀୟ ମନ୍ତ୍ରୀ, ସଚିବ, ବିଧାୟକ, ଏମ୍ପି ଓ ପଦାଧିକାରୀମାନେ ଗୁରୁତ୍ୱ ଦେଇ ପଦବୀମାନ ତୁରନ୍ତ ପୂରଣ କରିବା ଲାଗି ସାଧାରଣରେ ଦାବି ହୋଇଛି।