ସିଏମସି କାଉନସିଲ ବୈଠକ : ୧୨ଶହ କୋଟିର ବଜେଟ ପ୍ରସ୍ତାବ ଆଗତ

 କଟକ: କଟକ ମହାନଗର ନିଗମ (ସିଏମସି)ର କାଉନସିଲ ବୈଠକ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ   ଅନୁଷ୍ଠିତ ହୋଇଯାଇଛି । ତେବେ ବୈଠକ ଆରମ୍ଭରୁ ଦେଖାଦେଇଥିଲା ମୁକ୍ତା ଯୋଜନାର ଝଡ଼ । ମୁକ୍ତା ଯୋଜନାରେ ବହୁ ଅନିୟମିତତା ଓ ଦୁର୍ନୀତି ହୋଇଛି ବୋଲି ଦର୍ଶାଇ ବିଜେପି ଓ କଂଗ୍ରେସ ସଦସ୍ୟମାନେ ବୈଠକରେ ହୋହାଲ୍ଲା କରିଥିଲେ । ବିଜେପି କର୍ପୋରେଟରମାନଙ୍କ ପକ୍ଷରୁ ମୁକ୍ତା ଯୋଜନାରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରାଯାଇଥିଲା । କାର୍ଯ୍ୟର ତଦନ୍ତ କରି ବିଲ ଦେବାକୁ ଦାବି କରି ବିଜେପି ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ । ଅପରପକ୍ଷରେ କାର୍ଯ୍ୟ ସରିଥିବା ୱାର୍ଡ଼ର ବିଲ ଦେବାକୁ ବିଜେଡ଼ି ସଦସ୍ୟମାନଙ୍କ ପକ୍ଷରୁ ଦାବି କରାଯାଇଥିଲା । କଂଗ୍ରେସ କର୍ପୋରେଟରମାନେ ମଧ୍ୟ ପୈଠ ପାଇଁ ଦାବି କରିବାକୁ ବୈଠକରେ ଯୁକ୍ତିତର୍କ ହୋଇଥିଲା । ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହେବାରୁ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲ । ହଟଗୋଳ ପାଇଁ ବୈଠକ ଅଧାରୁ ମେୟର ଶ୍ରୀ ସିଂହ ଉଠି ଯାଇଥିଲେ । ଅପରାହ୍ନରେ ପରିସ୍ଥିତି ଶାନ୍ତ ପଡ଼ିବା ପରେ ବୈଠକ ପୁଣି ଆରମ୍ଭ ହୋଇଥିଲା । କାଉନସିଲ ବୈଠକରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୨ଶହ କୋଟି ଟଙ୍କାର ବଜେଟ ପ୍ରସ୍ତାବ ମେୟର  ଆଗତ କରିଥିଲେ । ଏହି ବୈଠକରେ ସିଏମସି କମିଶନର ଅନାମ ଚରଣ ପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ କର୍ପୋରେଟରମାନେ ବୈଠକରେ ଉପସ୍ଥିତ ଥିଲେ । ଶେଷରେ ଡେପୁଟି ମେୟର ଦମୟନ୍ତୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।