ଖୋର୍ଦ୍ଧା ମହୋତ୍ସବ ଉଦ୍ୟାପିତ : ପଲିଶ୍ରୀ ମେଳାରେ ୧କୋଟି ଟପିଲା ବେପାର

 ଖୋର୍ଦ୍ଧା : ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓରମାସ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ହାବେଳି ପଡିଆରେ ୫ଦିନ ବ୍ୟାପୀ ଚାଲିଥିବା ଜିଲ୍ଲା ମହୋତ୍ସବ ଏବଂ ରାଜ୍ୟସ୍ତରୀୟ ହସ୍ତତନ୍ତ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ଉଦ୍ୟାପିତ ହୋଇଛି । ଏହି ମେଳାରେ ପ୍ରାୟ ଏକ କୋଟିରୁ ଅଧିକ ବେପାର ହୋଇଥିବା ଜଣାପଡିଛି । ଗତ ଚାରି ଦିନ ମେଳା ଫାଙ୍କା ରହିଥିବା ବେଳେ, ଶେଷ ଦିବସରେ ଭିଡ ରହିଥିଲା । ସନ୍ଧ୍ୟା ବଢିବା ସହିତ ଲୋକଙ୍କ ଭିଡ଼ ବଢିଥିଲା । ମେଳା ବୁଲା ବୁଲି ସହ ଖାଦ୍ୟ ଷ୍ଟଲରେ ବିଭିନ୍ନ ଭେରାଇଟି ଖାଦ୍ୟ ପାଇଁ ଭିଡ ରହିଥିଲା । ଶେଷ ରଜନୀର ସନ୍ଧ୍ୟାରେ ପ୍ରଥମେ ମୋନାଲିସା ଇଂରାଜୀ ମାଧ୍ୟମ ସ୍କୁଲ ଛାତ୍ରୀଛାତ୍ର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବା ବେଳେ, ଜଟଣୀ ନୃତ୍ୟ ଅନୁଷ୍ଠାନ ନୀଳଶୈଳ ଓଡ଼ିଶୀ, ସମ୍ବଲପୁରୀ ଖୋର୍ଦ୍ଧା ଗୌରୀ ସାଂସ୍କୃତିକ ପ୍ରତିଷ୍ଠାନର କଳାକାର ମାନେ ଓଡ଼ିଶୀ ଦେଶାତ୍ମକବୋଧ ନୃତ୍ୟ ପରିବେଷଣ କରିଥିବା ବେଳେ, ଗଞ୍ଜାମ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର କଳାକାର ମାନେ କଣ୍ଢେଇ ନାଚ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଜିଲ୍ଲାସଂସ୍କୃତି ଅଧିକାରୀ ଅରବିନ୍ଦ ଦାସ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପରିଚାଳନା କରିଥିଲେ । ଉଦ୍ୟାପନୀ ଦିବସରେ ଜିଲ୍ଲାପାଳ ଚଞ୍ଚଳ ରାଣା ସଭାପତିତ୍ୱ କରିଥିଲେ । ଅତିରିକ୍ତ କିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ବିଡିଓ କ୍ଷୀରାବ୍ଧି ତନୟା ସାହୁ, ତହସିଲଦାର ନିବେଦିତା ପରିଡା, ଓରମାସ ସିଇଓ ରାଜଗୋପାଳ ଦାସ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମେଳାରେ ଅଧିକ ବେପାର କରିଥିବା ୩ଜଣ ବେପାରାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।