ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ମିଳିଲା ଜଙ୍ଗଲ ଜମିରେ ନିର୍ମାଣ ଅନୁମତି
ଭୁବନେଶ୍ୱର: ଆଉ ପାଦେ ଆଗେଇଲା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାମ । ଦଶପଲ୍ଲା ଏବଂ ଆଢ଼େଣିଗଡ଼ ମଧ୍ୟରେ ଥିବା ରେଳ ସେକ୍ସନ ପାଇଁ ନିହାତି ଦରକାର ଥିବା ଦ୍ୱିତୀୟ ପର୍ୟ୍ୟାୟ ଜଙ୍ଗଲ ଜମିରେ କାମ ପାଇଁ ଅନୁମତି(କ୍ଲିୟରାନ୍ସ) ମିଳିଛି । ଏହି ଅନୁମୋଦନ ପ୍ରକଳ୍ପକୁ ସର୍ବନିମ୍ନ ପରିବେଶଗତ ପ୍ରଭାବ ସହିତ ଆଗକୁ ବଢ଼ିବା ପାଇଁ ସବୁଜ ସଙ୍କେତ ଦେଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୩୦୧ କିଲୋମିଟର ରେଳ ଲାଇନ ମଧ୍ୟରୁ ୨୨୬ କିଲୋମିଟର ରେଳ ଲାଇନ୍ କାମ ସରିଛି । ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ୟ୍ୟନ୍ତ ୧୦୬ କିଲୋମିଟର ଏବଂ ବଲାଙ୍ଗୀରରୁ ପୁରୁଣାକଟକ ପର୍ୟ୍ୟନ୍ତ ୧୨୦ କିଲୋମିଟର କାମ ହୋଇଛି । ପୁରୁଣାକଟକ ଏବଂ ଦଶପଲ୍ଲା ମଧ୍ୟରେ ଅବଶିଷ୍ଟ ୭୫ କିଲୋମିଟର ପାଇଁ ନିର୍ମାଣ କାର୍ୟ୍ୟ ଜାରି ରହିଛି ।
ଏହି ପ୍ରକଳ୍ପ ପାଇଁ ୩,୨୭୪.୩୩୬ ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ । ସେଥିରୁ ୭୪୬.୪୨ ହେକ୍ଟର ଜଙ୍ଗଲ ଜମି ହୋଇଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିବା ଜଙ୍ଗଲ ଜମିରେ ପରିବେଶ ନେଇ ଆହ୍ୱାନ ଭରି ରହିଥିଲା । ତେବେ ପରିବେଶ ମନ୍ତ୍ରଣାଳୟ ଓ ବନ ବିଭାଗ ସହିତ ପରାମର୍ଶ କରି, ପ୍ରକଳ୍ପ ଦଳ ଏକ ବ୍ୟାପକ ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନା କରିଥିଲେ । ଯାହାକୁ ଓଡ଼ିଶାର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଅନୁମୋଦନ କରିଥିଲେ ।
ସେହିପରି ଏହି ରେଳ ଲାଇନରେ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ୭୫ କିଲୋମିଟରରେ ୭ଟି ସୁଡ଼ଙ୍ଗ ରହିଛି । ଯାହାର ମୋଟ ଲମ୍ୱ ୧୨.୭୬ କିଲୋମିଟର । ଏହି ସୁଡ଼ଙ୍ଗଗୁଡ଼ିକ ନିର୍ମାଣରେ ସବୁଠାରୁ ଚ୍ୟାଲେଞ୍ଜିଂ ଇଞ୍ଜିନିୟରିଂ ରହିଛି । ତେବେ ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ୪.୮୮୫ କିଲୋମିଟର ଟନେଲ୍ ପ୍ରକଳ୍ପର ସବୁଠାରୁ ଲମ୍ୱା । ଏଥିରେ ସୁରକ୍ଷା ପାଇଁ ୭୦୦ ମିଟରର ଏକ ଏସ୍କେପ୍ ଟନେଲ୍ ରହିଛି । ପ୍ରକଳ୍ପର ୭ଟି ସୁଡଙ୍ଗ ମଧ୍ୟରୁ ୫ଟି ସୁଡଙ୍ଗରେ ସଫଳତା ମିଳିସାରିଛି ।