ହଂସିକାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ପୋଲିସ

ଭୁବନେଶ୍ୱର: ଅନିଲ- ହଂସିକା ଗିରଫ ମାମଲାରେ  ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଅଭିଯୋଗ ପରେ ହଂସିକାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ପୋଲିସ । ଶୁକ୍ରବାର ଜେଏମ୍‌ଏଫ୍‌ସି କୋର୍ଟରେ ଏନେଇ ଆବେଦନ କରାଯିବ ବୋଲି ସୂଚନା ମିଳିଛି । ରିମାଣ୍ଡ ସମୟରେ ହଂସିକାଙ୍କ ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଝାଡ଼ଖଣ୍ଡରୁ କଲଗାର୍ଲ୍‌ ଆଣି କାହାକୁ ଯୋଗାଇଥିଲେ ହଂସିକା, ତାର ଛାନଭିନ କରିବ କମିଶନରେଟ ପୋଲିସ । 

ତେବେ ଜାନୁଆରୀ ୧୯ ତାରିଖରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଅଭିଯୋଗ ପରେ ଇନ୍‌ଫୋସିଟି ଥାନାରେ ପୁଣି ଏକ ମାମଲା ରୁଜୁ ହୋଇଥିଲା । ଏତଲା ଦେଇଥିଲେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ର ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଏମ୍‌.କେ ଦାସ । ସେ ଏତଲାରେ ଦର୍ଶାଇଛନ୍ତି, ହଂସିକା ଦେଶ-ବିଦେଶରୁ  ଯୁବତୀଙ୍କୁ ଆଣି ନେତା, ଖଣି ବ୍ୟବସାୟୀ ଓ ବଡ଼ ବଡ଼ ଅଧିକାରୀମାନଙ୍କ ପାଖକୁ ପଠାଉଥିଲେ । ସେହି ଯୁବତୀଙ୍କ ଜରିଆରେ ଅନ୍ତରଙ୍ଗ ସମୟର ଫଟୋ ସଂଗ୍ରହ କରୁଥିଲେ ହଂସିକା । ତା’ପରେ ସେ ଫଟୋ ଜରିଆରେ ବ୍ଲାକ୍‌ ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏସବୁ ତଥ୍ୟ ହଂସିକାଙ୍କ ମୋବାଇଲ୍‌ରୁ ମିଳିବା ପରେ ଥାନାରେ ଅଭିଯୋଗ ହୋଇଛି ।ପୋଲିସ ମାମଲା ରୁଜୁ କରି ହଂସିକାଙ୍କ ବିରୋଧରେ ଆଇପିସି ଦଫା ୧୨୦ ବି  (ଅପରାଧିକ ଷଡଯନ୍ତ୍ର), ଇମୋରାଲ୍‌ ଟ୍ରାଫିକିଂ (ପ୍ରିଭେନ୍‌ସନ୍‌) ଆକ୍ଟ-୫ ଲଗାଇଛି ।