ଗଜପତିରେ ଭୟଙ୍କର ଭୂସ୍ଖଳନ: ପୋଲ ଭାସି ଧସିଲା ପାହାଡ

ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବିଶେଷକରି ଗଜପତିରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ। ବ୍ରିଜ କାମ ଲାଗି ଥିବା ବେଳେ ଭସାଇ ନେଲା ସଟର ପ୍ଲେଟ ଗାଡି ସମେତ ଅସ୍ଥାୟୀ ରାସ୍ତା ଘାଟ । ଦିଗପହଣ୍ଡିର ଘୋଡ଼ାହାଡ଼ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଆଞ୍ଚଳ ପାଇଁ ସତର୍କ ସୂଚନା ଜାରି ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସର୍ତକ କରାଇଛି ଘୋଡ଼ାହାଡ଼ ଜଳ ସେଚନ ବିଭାଗ । ସେହିପରି ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକର ଭ୍ରମରପୁର ବ୍ରିଜର ଅସ୍ଥାୟୀ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ହୋଇ ପାତ୍ରପୁର ବ୍ଲକର ତୁରୁବୁଡି ଓ ଖରିଆଗୁଡ଼ାକୁ ଗମନାଗମନ ବିଛିନ୍ନ ହୋଇଛି । ବାହୁଦା ନଦୀ ଶଯ୍ୟାରେ ବ୍ରିଜ କାମ ଚାଲିଥିବା ଯୋଗୁଁ କରାଯାଇଥିଲା ଅସ୍ଥାୟୀ ରାସ୍ତା। ସେହିପରି ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ରାସ୍ତା କଡ଼ରୁ ମାଟି ଅତଡା ଖସିଛି । ଫଳରେ ଅଢେଇ ଗାଁ ଓ କୁଜାସିଂ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗଜପତି ମହେନ୍ଦ୍ରଗିରି ପର୍ବତରେ ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ପାଣି ବଢ଼ିଯିବାରୁ ଫସି ରହିଛନ୍ତି ୧୫ ପର୍ଯ୍ୟଟକ। ବୁରୁଖତ ନିକଟସ୍ଥ ଏକ ବୁଲାଣିରେ ମାଟି ଅତଡା ଧସିବା ସହ ପ୍ରଖର ବେଗରେ ପାଣି ମାଡ଼ି ଆସିଥିଲା । ଫଳରେ ମହେନ୍ଦ୍ରଗିରିକୁ ଯାଇଥିବା ୧୫ରୁ ଅଧିକ ପର୍ଯ୍ୟଟକ ଫଶି ରହିଛନ୍ତି । ପର୍ବତ ଉପରୁ ତଳକୁ ଆସିପାରୁନାହାନ୍ତି ପର୍ଯ୍ୟଟକ । ସମସ୍ତ ପର୍ଯ୍ୟଟକ କଟକ ଓ ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୋଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତା ସଫା ପାଇଁ ଉଦ୍ୟମ କରୁଛି ।