ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା
ଭୁବନେଶ୍ୱର : ଗଞ୍ଜେଇ ଚାଷର ମୂଳୋତ୍ପାଟନ ହେବ । ବେଆଇନ୍ ବେପାର ଉପରେ ବି ଲଗାମ ଲାଗିବ । ଗଞ୍ଜେଇ ମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଦିବାସୀ ବହୁଳ ଅଞ୍ଚଳରେ ଗଞ୍ଜେଇ ଚାଷରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ଆର୍ଥିକ ଲାଭର ପ୍ରତିଶ୍ରୁତି ଦେଇ ଡ୍ରଗ୍ସ ମାଫିଆମାନେ ପ୍ରାୟତଃ ଗଞ୍ଜେଇ ଚାଷ କରିବାକୁ ପ୍ରଲୋଭିତ କରିଥାନ୍ତି । ଏହାକୁ ଆଖି ଆଗରେ ରଖି ଆଦିବାସୀ ସମ୍ପ୍ରଦାୟ ପାଇଁ ବିକଳ୍ପ ଜୀବିକା ପ୍ରଦାନ କରିବା ନିମନ୍ତେ ଯୋଜନା କରାଯାଉଛି । ଚଳିତ ବର୍ଷ ଆମେ ସର୍ବାଧିକ ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛୁ । ଏଭଳି ବେଆଇନ୍ ଗଞ୍ଜେଇ କାରବାରକୁ ଶେଷ କରିବା ସହ ଆଦିବାସୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଯାହାଦ୍ୱାରା ଓଡ଼ିଶାକୁ ଗଞ୍ଜେଇ ମୁକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି ।
ରାଜ୍ୟ ସରକାର ଗଞ୍ଜେଇ ଚାଷର ବିପଦ ଏବଂ ଏହାର ଆଇନଗତ ପରିଣାମ ବିଷୟରେ ଆଦିବାସୀ ସମ୍ପ୍ରଦାୟକୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରିବେ । ଯୋଗାଣ ଶୃଙ୍ଖଳାକୁ ରୋକିବା ଏବଂ ଦୁର୍ବଳ ସମ୍ପ୍ରଦାୟର ପୁନର୍ବାସ ଉପରେ ଧ୍ୟାନ ଦିଆଯିବ । ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ସହିତ ସରକାର ଡ୍ରଗ୍ସ ମାଫିଆମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବେ ।