ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ ବିଲ୍ଡିଂ ଭିତ୍ତିପ୍ରସ୍ତର

 ଭୁବନେଶ୍ୱର : ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ ଗ୍ରନ୍ଥାଗାର ଅଟ୍ଟାଳିକାର ଭିତ୍ତିପ୍ରସ୍ତର କରିଛନ୍ତି । ଏହି ନୂତନ ଅଟ୍ଟାଳିକା ପ୍ରାୟ ୨୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବାକୁ ଥିବା ବେଳେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଶିକ୍ଷକ ଆବାସ ଗୃହ, ଛାତ୍ରାବାସ ଓ ଶ୍ରେଣୀଗୃହ ନିର୍ମାଣ କରାଯିବ । ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଥିଲେ, ଗଣିତରେ ଉଚ୍ଚକୋଟୀର ଗବେଷଣା ଓ ଗଣିତ ଶିକ୍ଷାକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ବୋଧଗମ୍ୟ କରିବା, ଶିକ୍ଷା ଓ ଶିକ୍ଷକଙ୍କ ନିମନ୍ତେ ତାଲିମ ଶିବିର ଆୟୋଜନ କରିବା କ୍ଷେତ୍ରରେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ପ୍ରମୁଖ ଭୂମିକା ତୁଲାଇଛି । ଏତଦ୍ବ୍ୟତୀତ ଭୁବନେଶ୍ୱରଠାରେ ୧୦୦ ଏକର ଜାଗାରେ ସାଇନ୍ସ ସିଟି ପ୍ରତିଷ୍ଠା ସହ ଜୈବପ୍ରଯୁକ୍ତି ବିଜ୍ଞାନ ଅନ୍ତର୍ଗତ ପ୍ରମୁଖ ୧୭ଟି କ୍ଷେତ୍ରରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୧୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କହିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଚିତ୍ରା ଅରୁମୁଗମ୍, ଗଣିତ ଓ ବିଜ୍ଞାନ ପ୍ରତିଷ୍ଠାନ ନିଦେ୍ର୍ଦଶକ ପ୍ରଫେସର ଯଶବନ୍ତ ଜେନା, କୁଳସଚିବ ପ୍ରଫେସର ତ୍ରୈଲୋକ୍ୟ ପାଣିଗ୍ରାହୀ, ବିଜ୍ଞାନ ଓ ବୈଷୟିକ ବିଭାଗ ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ବିଦୁ୍ୟତପ୍ରଭା ରାଉତଙ୍କ ସମେତ ଅନ୍ୟମାନେ ଯୋଗ ଦେଇ  ନିଜର ସୁଚିନ୍ତିତ ପରାମର୍ଶ ଦେଇଥିଲେ ।