ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଭାରତୀୟ ଜନସଙ୍ଘର ପ୍ରତିଷ୍ଠତା, ମହାନ ରାଷ୍ଟ୍ରଭକ୍ତ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଜେପି କିମ୍ବା ଜନସଙ୍ଘର କାର୍ଯ୍ୟକର୍ତ୍ତାଙ୍କ ପାଇଁ କେବଳ ନେତା ନଥିଲେ ବରଂ ଥିଲେ ଜଣେ ବିଚାରଧାରା । ଭାରତର ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ପାଇଁ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ । ସୋମବାର ନୂଆଦିଲ୍ଲୀ ଠାରେ ଏହି ଯୋଗଜନ୍ମାଙ୍କ ବଳିଦାନ ଦିବସ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡଃ ମୁଖାର୍ଜୀ ଗୋଟିଏ ଦେଶ - ଗୋଟିଏ ସମ୍ବିଧାନ ପାଇଁ ଲଢେଇ କରି ନିଜକୁ ବଳିଦାନ ଦେଇଥିଲେ । ତାଙ୍କ ପରି ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଭଳି ମହାପୁରୁଷ ଆମ ପରି କୋଟି କୋଟି କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ଚିର ନମସ୍ୟ । ଏହି ଏହି ଦୁଇ ମହାନ ନେତୃତ୍ୱଙ୍କ ବିଚାର ‘ରାଷ୍ଟ୍ର ପ୍ରଥମ ଏବଂ ଏକାତ୍ମ ମାନବବାଦ’କୁ ପାଥେୟ କରି କୋଟି କୋଟି ବିଜେପି କାର୍ଯ୍ୟକର୍ତ୍ତା ନିଜକୁ ସମର୍ପିତ କରିଛନ୍ତି ବୋଲି କହିଥିଲେ ।