"ମିସା ବନ୍ଦୀ'ଙ୍କୁ ପେନ୍ସନ୍ ଓ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା : ସରକାରକୁ ଧନ୍ୟବାଦ ଦେଲେ ମନମୋହନ
ଭୁବନେଶ୍ୱର : ୧୯୭୫ ମସିହା ଜୁନ ମାସ ୨୫ ତାରିଖ, ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ କଳାଦିନ ଥିଲା । ଏହି ଦିନରେ ଲକ୍ଷ ଲକ୍ଷ ସଂଗ୍ରାମୀମାନଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଜରୁରୀକାଳିନ ପରିସ୍ଥିତି ଲାଗୁ କରାଇ "ମିସା, ଡିଆଇଆର୍ ଏବଂ ଡିଆଇଏସଆଇଆର୍ ଆଇନ' ବଳରେ ଜେଲରେ ଭର୍ତ୍ତୀ କରିଦିଆଯାଇଥିଲା । ଦୀର୍ଘ ୨୧ମାସ ଧରି ଏହି ବନ୍ଦୀମାନଙ୍କୁ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡିଥିଲା । ଭାରତବର୍ଷର ବହୁ ରାଜ୍ୟରେ ଏହି ମହାନ୍ ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ସାମାଜିକ ଓ ଆର୍ଥୀକ ଭାବେ ପେନ୍ସନ୍ ରାଶି ପ୍ରଦାନ କରାଯାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ଆମ ଓଡିଶା ପାଇଁ ଏକ ଖୁସିର ମୁହୁର୍ତ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ଜରୁରୀକାଳିନ ପରିସ୍ଥିତି ସମୟରେ ବନ୍ଦୀ ଜୀବନ କଟାଇଥିବା ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ମାସିକ ୨୦ହଜାର ଟଙ୍କାର ପେନ୍ସନ୍ ରାଶି ପ୍ରଦାନ ସହିତ ସମସ୍ତଙ୍କର ସ୍ୱାସ୍ଥ୍ୟଗତ ଖର୍ଚ୍ଚ ମାଗଣାରେ ଓଡ଼ିଶା ସରକାର ବହନ କରିବେ ବୋଲି ବିଧିବଦ୍ଧ ଭାବେ ଲାଗୁ କରିଛନ୍ତି । ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କୁ ଭାରତୀୟ ଜନତା ପାର୍ଟି ସବୁ ସମୟରେ ସମ୍ମାନ ଜଣାଇଥାଏ । ଏହି କ୍ରମରେ "ମିସା' ବନ୍ଦୀମାନଙ୍କୁ ସଂଗ୍ରାମୀ ଆଖ୍ୟା ଦେଇ ସମ୍ମାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ବିଜେପି ସରକାରକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ । ଅପରପକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ୱାବଧାନରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି । ବିଜେଡି ସରକାରଙ୍କ ଅସହିଷ୍ଣୁତା କାରଣରୁ ରାଜ୍ୟବାସୀ ପୂର୍ବରୁ ଏହି ଯୋଜନାରୁ ବଞ୍ଚିତ ହେଉଥିଲେ । ଏନେଇ ବାରମ୍ବାର ଦାବି ସତ୍ତ୍ୱେ ତକôାଳିନ ସରକାର ରାଜ୍ୟରେ ଏହି ଯୋଜନା ଲାଗୁ କରେଇ ଦେଉ ନ ଥିଲେ । ମାତ୍ର ବିଜେପି ସରକାର ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରଣ କରିଚାଲିଛି । ନୂତନ ସରକାର ଗଠନ କରିବାର ମାତ୍ର ୭ ମାସ ମଧ୍ୟରେ ବିକଶିତ ରାଜ୍ୟ ଗଠନ କରିବା ପାଇଁ ବିଜେପି ଅନେକ ପଦକ୍ଷେପ ନେଇଛି । ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ବିଜେପି ସରକାର ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ଏକ କୋଟି ପରିବାର ଲାଭାନ୍ୱିତ ହେବେ । ଏନେଇ ରାଜ୍ୟ ସଭାପତି ମନମୋହନ ସାମଲ ମୋଦିଜୀଙ୍କୁ କୃତଜ୍ଞତା ଜଣାଇବା ସହ ବିଜେପି ଉପରେ ବିଶ୍ୱାସ ରଖିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।