ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ' ଉନ୍ମୋଚିତ
- ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୨ ହଜାର କୋଟି
- ଗୁଣାତ୍ମକ ଶିକ୍ଷାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ : ମୁଖ୍ୟମନ୍ତ୍ରୀ
- ୫ ଏକର ଜମିରେ ହେବ ବିଦ୍ୟାଳୟ
ଭୁବନେଶ୍ୱର : ଲୋକସେବା ଭବନରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ଲୋଗୋ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲୋଗୋ ଉନ୍ମୋଚନ କରି କହିଛନ୍ତିଯେ, ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।
ଉକ୍ତ ବୈଠକର ଆଲୋଚନାରୁ ଜଣାପଡିଛିଯେ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨ ଶହ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଚାରି ବର୍ଷ, ଅର୍ଥାତ୍ ୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହା ଖର୍ଚ୍ଚ କରାଯିବ । ଏହି ବିଦ୍ୟାଳୟଗୁଡ଼ିକ ଗ୍ରାମପଞ୍ଚାୟତର ଏପରି ଏକ ଗ୍ରାମରେ ସ୍ଥାପିତ କରାଯିବ ଯେଉଁଠାରେ ଅନୁନ୍ୟ ୫ ଏକର ଜମି ଉପଲବ୍ଧ ଥିବା ସହିତ ଗମନାଗମନ ସୁବିଧା ଥିବ । ପଞ୍ଚାୟତର ମଧ୍ୟ ସ୍ଥଳରେ ଅନ୍ୟୁନ ୫ ଏକର ଜମି ଉପଲବ୍ଧ ଥିବା ସର୍ବବୃହତ ଗ୍ରାମକୁ ପ୍ରାଥମିକତା ଦିଆଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏହି ଲୋଗୋ ଓଡ଼ିଆ ସଂସ୍କୃତିକୁ ବହନ କରୁଛି । ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ବହନ କରୁଛି । ଏହି ‘ଲୋଗୋ’ ଶିକ୍ଷାର ମହତ୍ୱ ଓ ଭୂମିକାକୁ ପ୍ରତିଫଳିତ କରୁଛି । ‘ଲୋଗୋ’ର ମଧ୍ୟ ଭାଗରେ ଏକ ଖୋଲା ପୁସ୍ତକ ଓ ଏକ କଲମ ମୁନ ରହିଛି । ଖୋଲା ପୁସ୍ତକ ଶିକ୍ଷା ଏବଂ ବୌଦ୍ଧିକ ଶକ୍ତିର ଜାଗରଣକୁ ବୁଝାଏ ଏବଂ କଲମ ମୁନ ସୃଜନଶୀଳତା ଓ ପ୍ରକାଶନକୁ ପ୍ରତିନିଧିତ୍ୱ କରେ । କଲମ ମୁନର ଉପରିଭାଗରେ ଜଳୁଥିବା ମଶାଲ୍, ଜ୍ଞାନ ଓ ସତ୍ୟର ପ୍ରତୀକ, ଯାହା ଅଜ୍ଞାନତା ଦୂର କରିଥାଏ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରିଥାଏ । ଏହା ଆମ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଜାଗରିତ କରିବ । ମଶାଲ୍ ଚାରିପାଖରେ ବିଛୁରିତ ହେଉଥିବା କିରଣ ନୈତିକ ଆଲୋକର ପ୍ରତୀକ ।
‘ଲୋଗୋ’ର ବୃତ୍ତାକାର ରୂପ ଏକତା, ଅନ୍ତର୍ଭୁକ୍ତି ଏବଂ ସମନ୍ୱୟକୁ ବୁଝାଏ । ଲୋଗୋରେ ଥିବା ତିନୋଟି ତାରା - ଜ୍ଞାନ, ଚରିତ୍ର ଓ ସେବାକୁ ପ୍ରତିନିଧିତ୍ୱ କରେ । ଏଥିରେ ବ୍ୟବହୃତ ରଙ୍ଗ ସବୁ ବି ଗଭୀର ଅର୍ଥ ବହନ କରେ । ଲୋଗୋ ଚାରିପାଖରେ ଓଡ଼ିଆ ଲିପିରେ ଲିଖିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଆମ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ଫଳରେ ଉକ୍ତ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମି ଏବଂ ଶିକ୍ଷଣ ପରିବେଶରେ ଉନ୍ନତି ଆସିବ । ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଉପକରଣ ଏବଂ କ୍ରୀଡ଼ା ଉପକରଣ ଭଳି ସୁବିଧା ସେହି ବିଦ୍ୟାଳୟରେ ଉପଲବ୍ଧ ହେବ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ. ତିରୁମାଲା ନାଏକ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।