ଘାଟିରୁ ଖସିଲା ଗାଡ଼ି; ଇତିଙ୍କ ସହ ୪ ନିଖୋଜ
ବ୍ୟାସନଗର : ରବିବାର ରାତିରେ ଯାଇଥିଲେ । ଫେରିଥାନ୍ତେ ଶନିବାର ରାତିରେ । କିନ୍ତୁ ଗୁରୁବାର ରାତିରେ ଘଟିଥିଲା ଦୁର୍ଘଟଣା । ସିକିମିର ଏକ ହିଲ୍ଟପର ହଜାରେ ଫୁଟ ତଳକୁ ଖସିପଡ଼ିଥିଲା ଟୁରିଷ୍ଟ ଗାଡ଼ି । ଟୁରିଷ୍ଟଗାଡ଼ିରେ ଥିଲେ ବ୍ୟାସନଗର ପୈାରାଞ୍ଚଳ ଉମାପଦା ଗ୍ରାମର ଗୋଟିଏ ପରିବାର ୫ ଜଣଙ୍କ ସମେତ ୪ଜଣ ବଙ୍ଗୀୟ ପର୍ଯ୍ୟଟକ ଥିଲେ । ଗତ ରାତିରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରେସ୍କୁ୍ୟ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରିରହିଥିଲେ ହେଁ ରାଜ୍ୟ ମହିଳା ବିଜେପି ସଂପାଦିକା ଇତିଶ୍ରୀ ଜେନାଙ୍କ ସମେତ ୪ଜଣଙ୍କ କୈାଣସି ସନ୍ଧାନ ମିଳିପାରିନି । ନିଖୋଜଙ୍କ ମଧ୍ୟରେ ଇତିଶ୍ରୀଙ୍କ ବଡ଼ପୁଅ ସାହିଲ(୨୨), ଭାଇ ଅଜିତ ନାୟକ(୪୭), ଅଜିତଙ୍କ ପତ୍ନୀ ସୁନିତା(୪୩) ରହିଥିବା ବେଳେ ଦୁର୍ଘଟଣାର ୬ଘଣ୍ଟା ଅର୍ଥାତ ଗୁରୁବାର ରାତି ୩ଟାରେ ଗଛରେ ଲାଖି ରହିଥିବା ଦୁଇଜଣଙ୍କୁ ରେସ୍କୁ୍ୟ ଟିମ୍ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଥିଲେ । ଉଦ୍ଧାରଙ୍କ ମଧ୍ୟରେ ଇତିଶ୍ରୀଙ୍କ ସାନ ପୁଅ ସାଇରାଜ(୧୮) ଓ ଅଜିତଙ୍କ ପୁଅ ସ୍ୱଂୟସୁପ୍ରୀତିମ(୧୭) ରହିଥିବା ବେଳେ ଏମାନଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ପ୍ରବଳ ବର୍ଷା ହେଉଥିବାରୁ ରେସ୍କ୍ୟ ଟିମ୍ ଉଦ୍ଧାର କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସାଜୁଥିବା ସାମିଲ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଖବର ଥାଉକି ଗତ ୨୫ତାରିଖ ସିକିମର ଗାଙ୍ଗଟକକୁ ବୁଲିବାକୁ ବାହାରି ଥିଲେ ବ୍ୟାସନଗର ପୌରାଞ୍ଚଳ ଉମାପଦା ଅଞ୍ଚଳର ଭାଇ ଭଉଣୀଙ୍କ ଚାରୋଟି ପରିବାର । ଏମାନେ ଗତକାଲି ଦୁଇଟି ଗାଡିରେ ସିକିମର ଲାଚୁଙ୍ଗ୍ରୁ ହିଲ ଟପକୁ ବୁଲିବାକୁ ଯାଇଥିଲେ । ଗୁରୁବାର ସନ୍ଧ୍ୟାରେ ଲାଚୁଙ୍ଗ୍ରୁ ଫେରୁଥିବା ମୁନସିଥାଙ୍ଗରେ ୧୧ଜଣ ଥିବା ଗାଡ଼ିଟି ହିଲଟପରୁ ଗଳିପଡ଼ିଥିଲା । ଆଗ ଗାଡ଼ିରେ ଇତିଶ୍ରୀଙ୍କ ବଡ଼ ଭଉଣୀ ବାରଗାଡ଼ିଆ ଗ୍ରାମର ମଞ୍ଜୁଲତା ଦେଓ, ଭାଇ ଶିଶିର ନାୟକ, ଦୁଇ ଝିଆରି ଏବଂ ଝିଲି ନାମକ ଜଣେ ଭଉଣୀ ରହିଥିଲେ । ଆଗପଛ ହୋଇ ଦୁଇଟି ଗାଡ଼ି ଯାଉଥିବା ବେଳେ ପଛରେ ଯାଉଥିବା ଟୁରିଷ୍ଟ ଗାଡ଼ିଟି ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିଲା । ପଛ ଗାଡ଼ିର ଲାଇଟ ଜଳୁନଥିବାରୁ ଆଗ ଗାଡ଼ି ଡ଼୍ରାଇଭର ଅଟକି ରହି ପଛ ଗାଡ଼ିକୁ ଅପେକ୍ଷା କରିଥିଲେ । ହେଲେ କିଛି ସମୟ ଭିତରେ ଗାଡ଼ି ନଆସିବାରୁ ଡ଼୍ରାଇଭର ଏବଂ ଗାଡ଼ିରେ ଥିବା ପର୍ଯ୍ୟଟକ ପଛକୁ ଫେରି ଚାହିଁଥିଲେ ହେଁ ଗାଡ଼ିର ସନ୍ଧାନ ପାଇପାରିନଥିଲେ । ଏଣୁ ସେମାନେ ପରିବାର ସଦସ୍ୟଙ୍କୁ ଫୋନ ଲଗାଇଥିଲେ ହେଁ ସୁଇଚଅପ୍ ଦେଖାଇଥିଲା । ଏଣୁ ଇତିଶ୍ରୀଙ୍କ ଭାଇ ଶିଶିର ନିକଟସ୍ଥ ଥାନାରେ ଏସଂପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ରେସ୍କ୍ୟଟିମ୍ ସହ ଯୋଗାଯୋଗ କରି ଘଟଣା ସ୍ଥଳରେ ପହଁଚିଥିଲେ । ସାଙ୍ଗରେ ଇତିଶ୍ରୀଙ୍କ ଭାଇ, ଭଉଣୀ ଉପସ୍ଥିତ ରହି ଖୋଜାଖୋଜି କରିଥିଲେ । ଅଭିଯୋଗ କରିବାର ୬ଘଣ୍ଟା ପରେ ରେସ୍କ୍ୟଟିମ୍ ଇତିଶ୍ରୀଙ୍କ ସାନ ପୁଅ ସାଇରାଜ ଓ ପୁତୁରା ସ୍ୱଂୟସୁପ୍ରୀତିମକୁ ଗଛରେ ଲାଗିଥିବା ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଥିଲେ । ଅଧୁନା ଖବର ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ୪ଜଣଙ୍କ କୈାଣସି ସନ୍ଧାନ ମିଳିପାରିନଥିବା ବେଳେ ରାଜ୍ୟ ବିଜେପି ମହିଳା ସଂପାଦିକା ଇତିଶ୍ରୀଙ୍କ ମୋବାଇଲ ଉଦ୍ଧାର କରିଛି ଟିମ୍ । ଉଦ୍ଧାର କାର୍ଯ୍ୟରେ ଏନଡ଼ିଆରଏଫ, ସିଆରପିଏଫ, ଆଇଟିବିପି. ଫାୟାର, ପୁଲିସ ସାମିଲ ହୋଇଛନ୍ତି । ପ୍ରବଳ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ରେସ୍କୁ୍ୟଟିମ୍ରେ ସାମିଲ ଜଣେ ଅଧିକାରୀ ଦୀପକ ଗୁରୁ ‘ସୂର୍ଯ୍ୟପ୍ରଭା’କୁ କହିଛନ୍ତି । ଘଟଣା ସମଗ୍ର ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି କରିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଓ ଆତ୍ମୀୟ ଓଡିଶା ଏବଂ ସିକିମର ଉଭୟ ସରକାରଙ୍କୁ ନିବେଦନ କରିଛନ୍ତି । କୋରେଇ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିକିମ୍ ପ୍ରଭାରୀ ସମ୍ବିତ୍ ପାତ୍ର ଏଥିରେ ହସ୍ତକ୍ଷେପ କରିଥିଲେ । ସେମାନଙ୍କ ଅନୁରୋଧ କ୍ରମେ ସିକିମର ମୁଖ୍ୟମନ୍ତ୍ରୀଙ୍କ ତତ୍ୱାବଧାନରେ ଘଟଣା ସ୍ଥଳରେ ରେସ୍କ୍ୟୁ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରିରହିଛି । ଘଟଣାକୁ ନେଇ ପୁରା ବ୍ୟାସନଗର ସ୍ତବ୍ଧ ହୋଇପଡ଼ିଛି । ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ବ୍ୟାସନଗର ପୈାରପାଳ ସୁବାସ ବଳ, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ବନ୍ଦିତା ପରିିଡ଼ା, ସବିତା ରାଉତ, ବ୍ୟାସନଗର ବିଜେପି ସଭାପତି ଅଚୁତାନନ୍ଦ ଦାସ, ବିଜେଡ଼ି ସଭାପତି ଅମୂଲ୍ୟ ନାୟକ, କଂଗ୍ରେସ ନଗରସଭାପତି ଦିଲୀପ ମଲିକ, କାଉନସିଲର ଶିବାନନ୍ଦ ନାୟକଙ୍କ ଠାରୁ ଆରମ୍ଭ କରି ବହୁ ବ୍ୟକ୍ତି ନିଖୋଜ ଏବଂ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ।