ସଦର ମହୋତ୍ସବ ପ୍ରସ୍ତୁତି ବୈଠକ
ଯାଜପୁର ସଦର ମହୋତ୍ସବ ନିମନ୍ତେ ସଦର ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇଙ୍କ ଅଧ୍ୟକ୍ଷତାରେ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ବ୍ରଜ କିଶୋର ପାଢୀ ମହୋତ୍ସବର ଆୟୋଜନ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । କମିଟିର ସଭାପତି ବିଜୟ କୁମାର ପାଢି ଚଳିତ ବର୍ଷ ଡିସେମ୍ବର ମାସ ୧୬ତାରିଖରେ କବିରପୁର ଦଶହରା ପଡ଼ିଆଠାରେ ଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ସହ ମହୋତ୍ସବ ଉଦଘାଟିତ ହୋଇ ତା ୨୩ା୧୨ା୨୦୨୪ରେ ଉଦଯାପିତ ହେବ । ପ୍ରତ୍ୟେକ ସନ୍ଧ୍ୟାରେ ପାରମ୍ପରିକ ନୃତ୍ୟ ସଙ୍ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହେବା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ପଡିଆରେ ମୀନା ବଜାର ଓ ଦୋକାନ, ଷ୍ଟଲ୍ମାନ ପଡ଼ିବା ସହ ବହୁ ଜନସମାଗମ ହେବ । ଏଥିପାଇଁ ଟ୍ରାଫିକ୍ ବ୍ୟବସ୍ତାକୁ କଡାକଡି କରିବା ସହ ଅଧିକ ପୁଲିସ ମୁତୟନ କରିବାକୁ ଅନୁରୋଧ କରିଥିଲେ । ଏଥି ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗ କାମନା କରି ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ବୋଲି ପ୍ରସ୍ତୁତି ବୈଠକରେ କମିଟିର ସମ୍ପାଦକ ମୋହନ ସୁନ୍ଦର ରାଉତ ସୂଚନା ଦେଇଥିଲେ । ବୈଠକରେ କୋଷାଧ୍ୟକ୍ଷ ରଞ୍ଜନ କୁମାର ପାଢୀ, ସ୍ଥାନୀୟ ସରପଞ୍ଚ ସୁଜିତ୍ କୁମାର ରାୟ, ଜିଲାପରିଷଦ ସଭ୍ୟାଙ୍କ ସ୍ୱାମୀ ଅମିତ୍ କୁମାର ରାଉତ, ବିଭୂତି ଭୂଷଣ ନାୟକ, ବାଦଲ ରାଉତ, ଶରତ ଦାଶ, ଦୀପକ ଜେନା, ଦୋଳଗୋବିନ୍ଦ ବେହେରା, ବିକ୍ରମ ସାମଲ, ସତ୍ୟବ୍ରତ ପତି, ରାମଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।