ସରକାରୀ ଜମି ମାପଚୁପ୍ ପ୍ରଣବଙ୍କ କାର୍ଯ୍ୟାଳୟ ଓ ବାସଭବନରେ ପଡ଼ିଲା କଡ଼ି
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା : ପ୍ରାକ୍ତନ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜାରକାସ୍ଥିତ ଦଳୀୟ କାର୍ଯ୍ୟାଳୟ ଏବଂ ବାସଭବନରେ କଡ଼ିପଡ଼ିଛି । ଯାହାର ପରିସୀମାରେ ସରକାରୀ ଜମି ରହିଥିବା ଏବଂ ଏହାକୁ ଅକ୍ତିଆର କରି ରଖାଯାଇଥିବାର ଅଭିଯୋଗ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ଆଲୋକ ଲେଙ୍କା ପ୍ରଶାସନ ନିକଟରେ କରିଥିଲେ । ଆଲୋକ ପ୍ରଶାସନକୁ କରିଥିବା ଅଭିଯୋଗରେ ପ୍ରାକ୍ତନ ବିଧାୟକ ପ୍ରଣବ ନୂଆଗାଁ ମୌଜାରେ ପାଞ୍ଚ ଏକର ସରକାରୀ ଜମିକୁ ଜବର ଦଖଲ କରିବା ସହ ଦଳୀୟ କାର୍ଯ୍ୟାଳୟ ଚଳାଇ ଆସୁଛନ୍ତି ବୋଲି ଦର୍ଶାଇଥିଲେ । ନୂଆଗାଁ ମୌଜାରେ ଥିବା ଜମି ଜଙ୍ଗଲ କିସମ ହୋଇଥିବା ବେଳେ ସେଠାରେ ଫରେଷ୍ଟର ଗାର୍ଡ ଘର, କୂଅ, ଶିଶୁ ଓ ଶାଗୁଆନ ଗଛ ରହିଥିଲା ବୋଲି କୁହାଯାଇଥିଲା । ପ୍ରାକ୍ତନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସ କ୍ଷମତାଶାଳୀ ଥିବା ବେଳେ ନୂଆଗାଁ ମୌଜାର ଏହି ଜଙ୍ଗଲ କିସମ ଜମିକୁ ଚଞ୍ଚକତା କରି ଗୋକର୍ଣ୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ନାମରେ କରି ନେଇଥିଲେ । ସ୍ୱର୍ଗତ ଦାସଙ୍କ ଜୀବିତ ଅବସ୍ଥାରେ ଏହି ଜମି ଜାଲିଆତି ହୋଇଥିବା ଅଭିଯୋଗ ପରେ ଏହି ବିଷୟ ଏବେ ସାମ୍ନାକୁ ଆସିଛି । ନୂଆଗାଁ ମୌଜାର ଖାତା ନମ୍ୱର୍ ୧୯୨, ପ୍ଲଟ ନମ୍ବର ୮୦ରେ ଗୋକର୍ଣେଶ୍ୱର୍ ଚାରିଟେବୁଲ ଟ୍ରଷ୍ଟ ନାମରେ କାଗଜପତ୍ର କରି ନିଆଯାଇଛି । ଯାହାକୁ ପ୍ରଣବ ଦଖଲ କରି ବିଜେଡି କାର୍ଯ୍ୟାଳୟ ଚଳାଇ ଆସୁଥିଲେ । ତେବେ ଆଜି ରାଜସ୍ୱ ବିଭାଗ ପକ୍ଷରୁ ପ୍ରାଥମିକ ମାପଚୁପ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଣବଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ କଡ଼ି ପକାଇ ପ୍ରଶାସନୀକ କଳ ମାପଚୁପ କରିଛି । ଯାହାକୁ ନେଇ ରାଜନୀତି ଉଷ୍ମ ଧରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।