ଅଧାରେ ଅଟକିଛି ମାର୍ଥାପୁର ଘେରିବନ୍ଧ କାର୍ଯ୍ୟ


 ଯଖପୁରା: ବର୍ଷା ଦିନେ ନଦୀରେ ବଢ଼ି ଆସିବା ସମୟରେ ସ୍ଥାନୀୟ ବାସିନ୍ଦାଙ୍କର ଅନେକ ଅସୁବିଧା ହୋଇଥାଏ । ବଢ଼ି ପାଣି ଗାଁ ଗଣ୍ଡାରେ ପଶିବା ଦ୍ୱାରା ଅନେକ ଧନ ଜୀବନ ନଷ୍ଟ ହୋଇଥାଏ । ଏହାକୁ ଆଖି ଆଗରେ ରଖି ସରକାର ନଦୀ ବନ୍ଧକୁ ମରାମତି ହେଉ କି ନୂତନ ବନ୍ଧ ନିର୍ମାଣ ପାଇଁ ପଦକ୍ଷେପ ନେଇଥାନ୍ତି । ବର୍ଷା ଆସିବା ଆସିବା ହେଉଛି । ଯାହାକୁ ଦେଖି ନଦୀ କୂଳ ବାସିନ୍ଦା ମନରେ ଛନକା ପଶିଛି । କେତେ ବେଳେ କଣ ହେବ କିଏ କହିପାରିବ । 
ବର୍ଷା ଦିନକୁ ନେଇ ପ୍ରଶାସନ ତତ୍ପରତା ଦେଖାଇବା ଆରମ୍ଭ କରିଛି । ହେଲେ ତତ୍ପରତା କେବଳ ବୈଠକ ଓ କାଗଜପତ୍ରରେ ସିମିତ ରହି ଯାଉଛି । ବେଳ ଥାଉ ଥାଉ ସମ୍ମୁଖ ସମସ୍ୟା ନଜରକୁ ଆସୁନାହିଁ । ଆମେ କହୁଛୁ ଦାନଗଦୀ ବ୍ଲକ୍ ଖପୁରିଆପଦା ପଞ୍ଚାୟତର ମାର୍ଥାପୁର ଗାଁ ଘେରି ବନ୍ଧର କଥା । ଗ୍ରାମର ଅନେକ ପରିବାର ନଦୀ କୂଳେ କୂଳେ ବସବାସ କରୁଛନ୍ତି । ଅନ୍ୟ ଦିନ କଥା ଛାଡ ମାତ୍ର ବର୍ଷା ଦିନ ଆସିଲେ ନଦୀ କୂଳେ କୂଳେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଛନକା ପଶେ । ନଦୀ କୂଳରେ ଘେରି ବନ୍ଧ ନଥିବାରୁ ବଢ଼ି ପାଣି ସହଜରେ ଗ୍ରାମ ମଧ୍ୟକୁ ପ୍ରବେଶ କରିଥାଏ । ବଢ଼ି ପାଣି ଗ୍ରାମରେ ପଶିବା ଦ୍ୱାରା ଅନେକ କ୍ଷୟ କ୍ଷତି କରିଥାଏ । ଚାଷ ଜମି ଠାରୁ ଆରମ୍ଭ କରି ପନିପରିବା ଚାଷକୁ ନଷ୍ଟ କରୁଥିବାର ଦେଖାଯାଏ । ଯେହେତୁ ନଦୀ କୂଳରେ ଅନେକ ପ୍ରକାର ଚାଷ କରାଯାଏ ତାହା ନଦୀ ବଢ଼ି ପାଇଁ ପ୍ରଭାବିତ ହୁଏ । ଗାଁରେ ପଶିଥିବା ନଈ ପାଣି ମାସ ମାସ ଧରି ଜମା ହୋଇ ରହିଥାଏ । ଫଳରେ ସେହି ସମୟରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଗାଁ ଗଣ୍ଡାର ଖାଲି ପଡିଆ ହେଉ କି ସାଧାରଣ ଲୋକଙ୍କ ଘର ବାଡ଼ିରେ ପାଣି ଜମି ରହିଥାଏ । ଦିନ ଦିନ ଧରି ପାଣି ଜମି ରହିବା ଫଳରେ ବିଭିନ୍ନ ଜନ୍ତୁ ସବୁ ରହିଥାନ୍ତି । ଦୁର୍ଗନ୍ଧରେ ଲୋକମାନେ ଅଣ ନିଃଶ୍ୱାସ ହୋଇ ପଡ଼ନ୍ତି । ହଇଜା ମହାମାରୀ ଭଳି ମାରାତ୍ମକ ରୋଗ ହେଉଥିବାର ଦେଖିବାକୁ ମିଳେ । ଲୋକମାନେ ପଦାକୁ ବାହାରି ପାରନ୍ତି ନାହିଁ । ଫଳରେ ଯାବତୀୟ ସମସ୍ୟା ଦେଖାଯାଏ । ଏହାକୁ ନେଇ ଅନେକ ବାର ସାଧାରଣ ଲୋକ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ମାତ୍ର ଜଳ ସମ୍ପଦ ବିଭାଗର ଅଧିକାରୀ କର୍ଣ୍ଣ ପାତ କରୁନାହାନ୍ତି । ଫଳରେ ଅନେକ ଦିନ ଧରି ଏହି ସମସ୍ୟା ଲାଗିରହିଛି । କିଛି ମାସ ପୂର୍ବରୁ ଘେରି ବନ୍ଧ ସମସ୍ୟାକୁ ନେଇ ସୂର୍ଯ୍ୟପ୍ରଭାର ଏକ ଖବର ପ୍ରକାଶ ପରେ ଘେରି ବନ୍ଧର କିଛି ଅଂଶ ନିର୍ମାଣ କରାଯାଇଥିଲା । ମାତ୍ର ତାହା ସଂପୂର୍ଣ୍ଣ ହୋଇ ପାରିଲାନି । ଅଧାରେ ଅଟକିଛି ଘେରିବନ୍ଧ କାର୍ଯ୍ୟ । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବାରେ ଲଗିଛନ୍ତି । ଜଳ ସଂପଦ ବିଭାଗ ନିଘୋଡ଼ ନିଦରେ ଶୋଇଥିବା ବେଳେ ଜିଲା ପ୍ରଶାସନ ମଧ୍ୟ ଏହାକୁ ନଜର ଅନ୍ଦାଜ କରିଚାଲିଛନ୍ତି । ଏହାକୁ ଯଦି ବର୍ଷା ଦିନ ପୂର୍ବରୁ ସମ୍ପୂର୍ଣ୍ଣ ଭାବରେ ନିର୍ମାଣ ହୋଇପାରନ୍ତା ତେବେ ନଦୀ ବଢ଼ିରୁ ଅନେକ ମାତ୍ରାରେ ଗ୍ରାମବାସୀ ଉପକୃତ ହୋଇପାରନ୍ତା ବୋଲି କହିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି କେବେ ପଡ଼ୁଛି, ଘେରିବନ୍ଧ ସଂପୂର୍ଣ୍ଣ କେବେ ହେଉଛି, ତାହାକୁ ଗ୍ରାମବାସୀ ଅନାଇ ବସିଛନ୍ତି ।