ଚାଲାକ୍ ଓ ଧୂର୍ତ୍ତଙ୍କର କଥା
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଚାଲାକ୍ ଆଉ ଧୂର୍ତ୍ତଙ୍କୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜଣେ ଆଉ ଜଣକୁ ଠକିବା ହେଉଛି ପ୍ରାୟ ମଣିଷଙ୍କ ଏକ ସହଯାତ ଗୁଣ । ଦୁନିଆରେ ଜଣେ ଜଣଙ୍କୁ ଠକିବା ହେଉଛି ବହୁ ମଣିଷଙ୍କ ସ୍ୱଭାବ । ଦୋକାନୀ ଗ୍ରାହକକୁ ଠକେ, ଛାତ୍ର ପରୀକ୍ଷାକୁ ଠକେ, ଶ୍ରମିକ ମାଲିକକୁ ଠକେ, ମାଲିକ ଶ୍ରମିକକୁ ଠକେ, କର୍ମଚାରୀ କର୍ତ୍ତବ୍ୟରେ ହେଳା କରି ଠକେ । ଏହିପରି ଭାବରେ ବିଭିନ୍ନ କିସମର ଲୋକେ ବିଭିନ୍ନ ପ୍ରକାରରେ ଠକିବାରେ ଅନେକ ଉଦାହରଣ ରହିଛି । ଏହିସବୁ ଠକାମୀ ଗୁଡ଼ିକ ଏକ ସ୍ୱାଭାବିକ ଢ଼ଙ୍ଗରେ ଘଟିଚାଲେ । ତେବେ ଏହି ଠକାମୀରୁ ବଞ୍ଚିବାକୁ ହେଲେ ନିଜକୁ ସୁରକ୍ଷା ଦେବାକୁ ହେଲେ ବ୍ୟକ୍ତିକୁ ଚାଲାକ୍ ହେବାକୁ ପଡ଼ିବ । ସମସ୍ତେ ଏହି ଚାଲାକ୍ ହେବାର ଗୁଣର କିଛି କିଛି ମାତ୍ରାର ଅଧିକାରୀ । ଖାଲି ସେତିକି ନୁହେଁ ଠକିବା ଗୁଣରେ ମଧ୍ୟ କିଛି କିଛି ଅଧିକାରୀ । ତେବେ ଅନ୍ୟକୁ ଠକିବା ଆଉ ଟାଉଟରି କରି ସବୁବେଳେ ଅନ୍ୟକୁ ଠକିବା କିମ୍ବା ଠକିବାର ମନୋବୃତ୍ତି ହେଉଛି ଧୂର୍ତ୍ତର ଲକ୍ଷଣ । ଧୂର୍ତ୍ତ ବ୍ୟକ୍ତି ନିଜ ଅଲକ୍ଷରେ କିମ୍ବା ନିଜ ଅଜ୍ଞାତସାରରେ ଅନେକ ଶତ୍ରୁ ସୃଷ୍ଟି କରେ । ଖାଲି ସେତିକି ନୁହଁ, ଜଣେ ଯେତେ ଧୂର୍ତ୍ତ ହେଲେ ବି ନିଶ୍ଚିତ ରୂପେ ପ୍ରାକୃତିକ ନ୍ୟାୟ ଭାବରେ ପରିସ୍ଥିତିରେ ପଡ଼ି ନିଜ ଧୂର୍ତ୍ତତାର ପରିଣତି ଭୋଗେ । ସମାଜରେ ଲୋକେ ଏଭଳି ବ୍ୟକ୍ତିକୁ ବିଶ୍ୱାସ କରନ୍ତି ନାହିଁ । ଅନ୍ୟମାନଙ୍କର ସହଯୋଗ ଆବଶ୍ୟକ ଥିବା ବେଳେ ଲୋକେ ସାହାଯ୍ୟ କରନ୍ତି ନାହିଁ । ନିଜକୁ ଧୂର୍ତ୍ତ ବୋଲି ଭାବି ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଚାହୁଁଥିବା ବ୍ୟକ୍ତିମାନେ କେବେ ହେଲେ ଜାଣିନଥାନ୍ତି ଯେ "ଧୂର୍ତ୍ତ' ସମ୍ବୋଧନଟି ସେମାନଙ୍କୁ କାନକୁ ଆନନ୍ଦ ଦେଉଥିଲେ ମଧ୍ୟ ସମାଜ ଏହାକୁ ଏକ ନିନ୍ଦା ସୂଚକ ବିଶେଷଣ ଭାବରେ ଗ୍ରହଣ କରେ ।
ପ୍ରକୃତିଗତ ଭାବରେ ଓ ସ୍ୱଭାବଗତ ଭାବରେ ଅନ୍ୟକୁ ଠକିବା ଗୁଣଟିକୁ ଧୂର୍ତ୍ତ ବୋଲି କୁହାଯାଏ ଏବଂ ସ୍ୱାଭାବିକ ଭାବରେ କୌଣସି ଏକ ସତ୍ୟକୁ ଲଚାଇବା ପାଇଁ କୁହାଯାଉଥିବା ମିଛକୁ ଠକାମୀ ବୋଲି କୁହାଯାଏ । ଠକାମୀ ହୁଏତ ଏକ ଆତ୍ମରକ୍ଷାମୂଳକ ଉଦ୍ୟମ, ମାତ୍ର ଧୂର୍ତ୍ତତା ହେଉଛି ଉଦେ୍ଦଶ୍ୟମୂଳକ ଭାବରେ ଅନ୍ୟକୁ ଠକିବାର ଉଦ୍ୟମ ।
ସାମାଜିକ ଜୀବନରେ କେବେକେବେ ମିଛ କହିବା ଆବଶ୍ୟକ ପଡ଼େ । ହେଲେ ସବୁବେଳେ ଅନ୍ୟକୁ ପ୍ରତାରଣା କରି ନିଜର ସ୍ୱାର୍ଥ ହାସଲ କରିବା ହେଉଛି ଧୂର୍ତ୍ତତା ଏବଂ ଏହାକୁ ସର୍ବଦା ପରିତ୍ୟାଗ କରିବା ଉଚିତ୍ । ଜୀବନରେ ଚାଲାକ୍ ହୁଅନ୍ତୁ, ହେଲେ ଧୂର୍ତ୍ତ ହୁଅନ୍ତୁନି । ଦୁନିଆରେ ସମସ୍ତେ ବୋକା ନୁହଁନ୍ତି ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।