ଜମି ବିବାଦକୁ କେନ୍ଦ୍ର କରି ଆକ୍ରମଣ, ବୃଦ୍ଧ ଗୁରୁତର

 ସାଲେପୁର : ଜମିଜମା ବିବାଦକୁ କେନ୍ଦ୍ର କରି ସଂପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର ଆହତ ହୋଇଥିବାବେଳେ ପୁଲିସ ଆକ୍ରମଣକାରୀ ସଂପର୍କୀୟ ଭାଇକୁ ଗିରଫ କରିଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ  ଯେ, ଜପକୁଦ ଫାଣ୍ଡି ଅନ୍ତର୍ଗତ କଟରପା ପଞ୍ଚାୟତ ଗରୁଡ଼ପୁର ଗ୍ରାମର ନବକିଶୋର ବେହେରା ଓ  ପ୍ରେମାନନ୍ଦ ବେହେରାଙ୍କ ମଧ୍ୟରେ ଜମି ବିବାଦ ଦୀର୍ଘଦିନ ଧରି ରହିଆସିଥିଲା । ଏହି ଘଟଣାକୁ କେନ୍ଦ୍ର କରି ଆଜି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ନବକିଶୋର ବେହୁରା ତାଙ୍କର ସଂପକୀୟ ଭାଇ ପ୍ରେମାନନ୍ଦ ବେହୁରା(୭୩)ଙ୍କୁ ଏକ କଟୁରୀରେ ହାଣି ଗୁରୁତର ଆହତ କରିଥିଲେ । ପ୍ରେମାନନ୍ଦଙ୍କୁ ପ୍ରଥମେ ସାଲେପୁର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି । ପୁଲିସ ଏହି ଘଟଣାରେ ୨୬୦/୨୫ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ନବକିଶୋରକୁ ଗିରଫ କରିଥିବା ଜଣାଯାଇଛି ।