୭ ବାଲି ବୋଝେଇ ହାଇୱା ଜବତ
ହିଞ୍ଜିଳିକାଟୁ : ସ୍ଥାନୀୟ ଥାନା ସିକିରି ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବାଲି ଚାଲାଣ ଖବର ପାଇ ହିଞ୍ଜିଳି ପୁଲିସ ଓ ରାଜସ୍ୱ ବିଭାଗ ଅତର୍କିତ ଚଢ଼ଉ କରି ୭ ବାଲି ବୋଝେଇ ହାଇୱା ଜବତ କରିଥିଲେ । ଏହାସହ ଘଟଣାରେ ଜଡ଼ିତ ୪ଜଣଙ୍କୁ ଗିରଫ କରିଛି ପୁଲିସ୍ । ଗୁରୁବାର ସନ୍ଧ୍ୟାରେ ଏହି ଚଢ଼ଉ କରାଯାଇଥିବା ବେଳେ ବାଲି ବୋଝେଇ ହାଇୱାଗୁଡ଼ିକ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳିକାଟୁ ରାଜସ୍ୱ ବିଭାଗୀୟ ଅଧିକାରୀମାନେ ସ୍ଥାନୀୟ ଥାନା ଶ୍ୟାମଳାଇ ଛକ ନିକଟରେ ଚଢ଼ଉ କରିଥିଲା । ଚଢାଉ ସମୟରେ ୭ଟି ବାଲି ବୋଝେଇ ହାଇୱାକୁ ହିଞ୍ଜିଳି ଥାନାରେ ଅଟକ ରଖାଯାଇଛି । ବିନା ଟ୍ରାଞ୍ଜିଟ୍ ଫର୍ମ ଓ ନିର୍ଦ୍ଧାରିତ ଠାରୁ ଅଧିକ ପରିମାଣରେ ବାଲି ବୋଝେଇ କରି ଚାଲାଣ ଅଭିଯୋଗରେ ସଂପୃକ୍ତ ହାଇୱା ଗୁଡିକୁ ହିଞ୍ଜିଳି ଥାନାରେ ଅଟକ ରଖାଯାଇଛି । ହିଞ୍ଜିଳିକାଟୁ ତହସିଲଦାର ତପନ ମହାପାତ୍ରଙ୍କୁ ପଚାରିବାରୁ ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ପ୍ରକାଶ ଥାଉକି, ଘୋଡାହାଡ, ଋଷିକୂଲ୍ୟା, ବାଘୁଆ ଓ ବଡନଦୀରୁ ବାଲି ମାଫିଆମାନେ କିଛି ପ୍ରଶାସନିକ ଅଧିକାରୀମାନଙ୍କ ସହ ସଲାସୁତୁରା କରି ରାତିଅଧିଆ ଶହ ଶହ ଗାଡ଼ି ବାଲି ଚାଲାଣ ଘଟଣା ନିତିଦିନିଆ ହୋଇପଡ଼ିଛି । ବେଆଇନ ବାଲି ଚୋରାଚାଲାଣ ହେଉଥିବା ଯୋଗୁଁ ନଦୀ ନିକଟବର୍ତ୍ତୀ ଅଞ୍ଚଳର ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ନଦୀ ଉପକୂଳବର୍ତ୍ତୀ ଗ୍ରାମବାସୀ ଅଭିଯୋଗ କଲେ ବାଲି ମାଫିଆ ଅସାମାଜିକ ବ୍ୟକ୍ତିମାନଙ୍କ ଜରିଆରେ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି । ଗତ ୩ ଦିନ ପୂର୍ବେ ସିକିରି ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା ।