ଜିଲ୍ଲାପାଳଙ୍କ ରାଜସ୍ୱ ସଂଗ୍ରହ ସମୀକ୍ଷା
ନୂଆପଡ଼ା : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ୱ ଅଧିକାରୀମାନଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଡେପୁଟୀ କଲେକ୍ଟର ଶେଖ୍ ନସିମ, ହେମନ୍ତ ପୁଟା, ପ୍ରବୀର କୁମାର ଦଣ୍ଡସେନା, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧିକ୍ଷକ, ଏମ୍ଭିଆଇ, ସମସ୍ତ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ । ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ, ରାଜସ୍ୱ ଅଧିକାରୀମାନେ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସେମାନଙ୍କ ପରିଶ୍ରମ ଏବଂ କ୍ରିୟଶୀଳତା ଉପରେ ପ୍ରଶାସନର ସଫଳତା ନିର୍ଭର କରେ । ସମସ୍ତ ରାଜସ୍ୱ ଅଧିକାରୀ ନିୟମିତ ବିଭିନ୍ନ ଉତ୍ସରୁ ଜିଲ୍ଳାର ରାଜସ୍ୱ ବୃଦ୍ଧି ପାଇଁ ଧ୍ୟାନ ଦିଅନ୍ତୁ । ସମସ୍ତ ଅଧିକାରୀ ସହଯୋଗ କରି ଜିଲ୍ଲା ରେଡକ୍ରସ୍ ପାଣ୍ଠି ବୃଦ୍ଧି କରନ୍ତୁ । ବିଭିନ୍ନ ବିଭାଗର ସମୀକ୍ଷାରୁ ଜଣାଗଲା ଯେ, ଚଳିତ ଆର୍ଥôକ ବର୍ଷ ୨୦୨୫ ଜୁନ୍ ପର୍ଯ୍ୟନ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ୩,୫୪,୧୦,୦୦୦ ଟଙ୍କା ସଂଗ୍ରହ ହୋଇଛି । ଜିଲ୍ଲାପାଳ କହିଲେ ଯେ, ରାସ୍ତା ଦୁର୍ଘଟଣାରେ ବିଶେଷ କରି ବାଇକ୍ ଚାଳକ ଯୁବା ବର୍ଗଙ୍କ ଜୀବନ ହାନି ଘଟୁଥିବାରୁ ମଦ୍ୟପାନ ଏବଂ ବିନା ହେଲମେଟରେ ବାଇକ୍ ଚାଳନା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉ । ଅବକାରୀ ବିଭାଗ ଦ୍ୱାରା ଜୁନ୍ ସୁଦ୍ଧା ୪ କୋଟି ୭୭ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ବେଆଇନ୍ ମଦ କୋଠି, କଫସିରପ, ଗଞ୍ଜେଇ କାରବାରକୁ ଦୃଢ଼ ହସ୍ତରେ ଦମନ କରି କେସ୍ ସଂଖ୍ୟା ବଢାଇବା ପାଇଁ ଜିଲ୍ଲାପାଳ ଅବକାରୀ ଅଧିକ୍ଷକଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଖଣି ବିଭାଗ ଜୁନ୍ ସୁଦ୍ଧା ୧ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ୱ ଦେଇଛନ୍ତି । ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ମାସ ଶେଷ ସୁଦ୍ଧା ୧,୭୨,୪୧,୦୦୦ ଟଙ୍କା ଆଦାୟ ହୋଇଛିଳ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।