ଜେନ-ଜି ବିକଶିତ ଭାରତର ଶକ୍ତି : ମୋଦି
ନୂଆଦିଲ୍ଲୀ : ଜେନ୍-ଜିମାନଙ୍କର ଦୃଢ଼ ନିଶ୍ଚୟ ମନୋଭାବ ବିକଶିତ ଭାରତର ଶକ୍ତି । ‘ମନ୍ କୀ ବାତ’ରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ନଭେମ୍ବର କିଭଳି କ୍ରୀଡ଼ା ପାଇଁ ସୁପରହିଟ୍ ମାସ ଥିଲା ସେ କଥା ବଖାଣିବା ସହ, ମହୁ ଚାଷରେ ଭାରତର ରେକଡର଼୍, ଶୀତ ପର୍ଯ୍ୟଟନ ଆଦି ସମ୍ପର୍କରେ ଆଲୋକପାତ କରିଛନ୍ତି । ସେ କହିଥିଲେଯେ, ନଭେମ୍ବର ୨୬ରେ ସମ୍ବିଧାନ ଦିବସ ଅବସରରେ ସେଣ୍ଟ୍ରାଲ୍ ହଲ୍ରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂରଣ ହେବା ଉପଲକ୍ଷେ ସାରା ଦେଶରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡିକର ଭବ୍ୟ ଶୁଭାରମ୍ଭ ହେଲା । ନଭେମ୍ବର ୨୫ରେ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଧର୍ମଧ୍ୱଜା ଆରୋହଣ ହେଲା । ସେହିଦିନ କୁରୁକ୍ଷେତ୍ରର ଜ୍ୟୋତିସର୍ରେ ପାଞ୍ଚଜନ୍ୟ ସ୍ମାରକର ଲୋକାର୍ପିତ ହୋଇଛି ।
ହାଇଦ୍ରାବାଦରେ ଉଦଘାଟିତ ବିଶ୍ୱର ସବୁଠାରୁ ବଡ ଲିପ ଇଞ୍ଜିନ୍ ଏମ୍ଆର୍ଓ ଫ୍ୟାସିଲିଟି ଏୟାର କ୍ରାଫ୍ଟର ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍ କ୍ଷେତ୍ରରେ ଏକ ବଡ ପଦକ୍ଷେପ । ଗତ ସପ୍ତାହରେ ଆଇଏନ୍ଏସ୍ ମାହେକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଗତ ସପ୍ତାହରେ ହିଁ ଭାରତର ସ୍ପେସ୍ ଇକୋସିଷ୍ଟମକୁ ସ୍କାଏରୁଟ୍ର ଇନ୍ଫିନିଟି କ୍ୟାମ୍ପସ୍ ନୂତନ ଗତି ପ୍ରଦାନ କରିଛି । କୃଷିକ୍ଷେତ୍ରରେ ମଧ୍ୟ ଦେଶ ବଡ ଉପଲବ୍ଧି ହାସଲ କରିଛି । ଭାରତ ୩୫୭ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ କରି ଏକ ଐତିହାସିକ ରେକଡର଼୍ ସୃଷ୍ଟି କରିଛି । ଭାରତରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ନେଇ ଘୋଷଣା କରାଯାଇଛି । ଯେତେବେଳେ ସାଟେଲାଇଟ୍, ଜିଏସ୍ ସିଷ୍ଟମ୍ ଓ ନେଭିଗେଶନ୍ର କୌଣସି ସୁବିଧା ଉପଲବ୍ଧ ନଥିଲା ସେତେବେଳେ ମଧ୍ୟ ଆମ ନାବିକମାନେ ବଡ ବଡ ଜାହାଜରେ ଜଳଯାତ୍ରା ପାଇଁ ବାହାରି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚୁଥିଲେ ।
କିଛିଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ମୋର ଦୃଷ୍ଟି ଆକର୍ଷିତ କରିଥିଲା । ଏହି ଭିଡିଓଟି ଇସ୍ରୋର ଗୋଟିଏ ନିଆରା ଡ୍ରୋନ୍ ପ୍ରତିଯୋଗିତା ସମ୍ପର୍କିତ ଥିଲା । ଏହି ଭିଡିଓରେ ଆମ ଦେଶର ଯୁବବର୍ଗ ଏବଂ ବିଶେଷକରି ଆମ ଜେନ୍-ଜି ମଙ୍ଗଳ ଗ୍ରହ ଭଳି ପରିସ୍ଥିତିରେ ଡ୍ରୋନ୍ ଉଡାଇବାକୁ ଚେଷ୍ଟା କରୁଥିଲେ । ଡ୍ରୋନ୍ ଉଡୁଥିଲା, କିଛି ସମୟ ସନ୍ତୁଳନ ରକ୍ଷା କରିପାରୁଥିଲା, କିନ୍ତୁ ପରେ ହଠାତ୍ ତଳକୁ ଖସି ପଡୁଥିଲା । ଏଠି ଯେଉଁ ଡ୍ରୋନ୍ ଉଡୁଥିଲା, ସେଗୁଡିକରେ ଜିଏସ୍ ସହାୟତା ନଥିଲା । ମଙ୍ଗଳ ଗ୍ରହରେ ଜିଏସ୍ ସମ୍ଭବ ନୁହେଁ । ତେଣୁ, ଡ୍ରୋନକୁ କୌଣସି ସୂଚନା କିମ୍ବା ନିର୍ଦ୍ଦେଶ ବାହାରୁ ଦିଆଯାଇପାରିବ ନାହିଁ । ଏହି ପ୍ରତିଯୋଗିତାରେ ପୁଣେର ଯୁବବନ୍ଧୁମାନଙ୍କ ଗୋଟିଏ ଦଳ ଅଳ୍ପ କିଛି ସଫଳତା ହାସଲ କଲେ । ସେମାନଙ୍କ ଡ୍ରୋନ୍ ମଧ୍ୟ ଅନେକ ଥର ତଳେ ପଡିଲା, କ୍ରାଶ୍ ହେଲା, କିନ୍ତୁ ସେମାନେ ହାର୍ ମାନିନଥିଲେ । ଅନେକ ଥର ପ୍ରଚେଷ୍ଟା ପରେ ଏହି ଦଳର ଡ୍ରୋନ୍ ମଙ୍ଗଳ ଗ୍ରହ ଭଳି ପରିସ୍ଥିତିରେ କିଛି ସମୟ ଉଡିବାରେ ସଫଳତା ଲାଭ କଲା । ଆପଣମାନେ ମହୁର ମଧୁରତା ସହ ବେଶ୍ ପରିଚିତ ଥିବେ । କିନ୍ତୁ, ପ୍ରାୟତଃ ଆମେ ଏ କଥା ଜାଣି ପାରୁନା ଯେ, ଏହା ପଛରେ କେତେ ଲୋକଙ୍କ ପରିଶ୍ରମ ରହିଛି, କେତେ ପରମ୍ପରା ରହିଛି ଏବଂ ପ୍ରକୃତି ସହ କେତେ ସୁନ୍ଦର ତାଳମେଳ ରହିଛି ।
ଜାମ୍ମୁ-କାଶ୍ମୀରର ପାହାଡିଆ ଅଞ୍ଚଳରେ ବଣ-ତୁଳସୀ ଯାହାର ଅନ୍ୟନାମ ସୁଲାଇ, ଏହି ସୁଲାଇ ଫୁଲରୁ ଏଠାରେ ମହୁମାଛିମାନେ ଗୋଟିଏ ନିଆରା ମହୁ ତିଆରି କରନ୍ତି । ଏହି ମହୁର ରଙ୍ଗ ଧଳା ଏବଂ ଏହା ରାମ୍ବନ୍ ସୁଲାଇ ହନି ନାମରେ ପରିଚିତ । ଦକ୍ଷିଣ କନ୍ନଡ ଜିଲ୍ଲାର ପୁତ୍ତୁର୍ରେ ସେଠାକାର ବୃକ୍ଷରାଜି ମହୁ ଉତ୍ପାଦନ ପାଇଁ ଉତ୍କୃଷ୍ଟ ବିବେଚନା କରାଯାଏ । ଏଠାରେ ଗ୍ରାମଜନ୍ୟ ନାମକ ଚାଷୀ ସଂଗଠନ ଏହି ପ୍ରାକୃତିକ ଉପହାରକୁ ଏକ ନୂତନ ଦିଗ ପ୍ରଦାନ କରୁଛି । ଏହି ପ୍ରଚେଷ୍ଟାର ଲାଭ ଅଢେ଼ଇ ହଜାରରୁ ଅଧିକ ଚାଷୀଙ୍କୁ ମିଳିଛି । କର୍ଣ୍ଣାଟକର ହିଁ ତୁମ୍କୁର୍ ଜିଲ୍ଲାରେ ଶିବ୍ଗଙ୍ଗା କାଲଞ୍ଜିୟା ନାମକ ସଂସ୍ଥାର ପ୍ରଚେଷ୍ଟା ମଧ୍ୟ ବହୁତ ପ୍ରଶଂସନୀୟ । ସେମାନଙ୍କ ଦ୍ୱାରା ଏଠାରେ ପ୍ରତ୍ୟେକ ସଭ୍ୟଙ୍କୁ ଆରମ୍ଭରେ ଦୁଇଟି ମହୁ ବାକ୍ସ ଦିଆଯାଇଥାଏ । ଏଭଳି କାର୍ଯ୍ୟ ଦ୍ୱାରା ସେମାନେ ଅନେକ ଚାଷୀଙ୍କୁ ନିଜ ଅଭିଯାନରେ ସାମିଲ କରିପାରିଛନ୍ତି । ଏବେ ଏହି ସଂସ୍ଥା ସହ ଜଡିତ ଚାଷୀମାନେ ମିଶି ମହୁ ଉତ୍ପାଦନ କରୁଛନ୍ତି, ଏହାକୁ ସୁନ୍ଦର ଭାବେ ପ୍ୟାକ୍ କରି ସ୍ଥାନୀୟ ବଜାରକୁ ପହଞ୍ଚାଉଛନ୍ତି । ଏହିଭଳି ଅନ୍ୟ ଏକ ଉଦାହରଣ ହେଉଛି ନାଗାଲାଣ୍ଡର କ୍ଲିଫ୍ ହନି ହଂଟିଙ୍ଗ । ନାଗାଲାଣ୍ଡର ଚୋକ୍ଲାଙ୍ଗନ୍ ଗାଁରେ ଖିୟାମନି-ୟାଙ୍ଗନ୍ ଜନଜାତି ଶହ ଶହ ବର୍ଷ ଧରି ମହୁ ସଂଗ୍ରହ କାମ କରିଆସିଛନ୍ତି । ଏଠାରେ ମହୁମାଛି ଗଛ ଉପରେ ନୁହେଁ, ବରଂ ଉଚ୍ଚ ପଥର ଉପରେ ମହୁଫେଣା ତିଆରି କରିଥା’ନ୍ତି । ତେଣୁ, ମହୁ ସଂଗ୍ରହ କାର୍ଯ୍ୟ ମଧ୍ୟ ବିପଦପୂର୍ଣ୍ଣ ହୋଇଥାଏ । ଏଠାକାର ଲୋକେ ମହୁମାଛି ସହ ପ୍ରଥମେ ସୁମଧୁର ଭାବେ କଥାବାର୍ତ୍ତା କରିଥାଆନ୍ତି, ସେମାନଙ୍କଠାରୁ ଅନୁମତି ଲୋଡିଥାଆନ୍ତି । ସେମାନଙ୍କୁ ଜଣାଇଥାଆନ୍ତିଯେ, ଆଜି ସେମାନେ ମହୁ ସଂଗ୍ରହ କରିବାକୁ ଆସିଛନ୍ତି । ଏହାପରେ ହିଁ ସେମାନେ ମହୁ ସଂଗ୍ରହ କରିଥାଆନ୍ତି ।
ଆଜି ଭାରତ ମହୁ ଉତ୍ପାଦନରେ ନୂତନ ରେକର୍ଡ ସୃଷ୍ଟି କରୁଛି । ବିଗତ କିଛିବର୍ଷରେ ମହୁ ରପ୍ତାନୀ ମଧ୍ୟ ତିନିଗୁଣରୁ ଅଧିକ ବୃଦ୍ଧି ପାଇଛି । ହନି ମିଶନ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଖଦି ଗ୍ରାମୋଦ୍ୟୋଗ ମଧ୍ୟ ୨ ଲକ୍ଷ ୨୫ ହଜାରରୁ ଅଧିକ ମହୁ ବାକ୍ସ ଲୋକଙ୍କୁ ବିତରଣ କରିଛନ୍ତି । ଏହାଦ୍ୱାରା ହଜାର ହଜାର ଲୋକଙ୍କୁ ରୋଜଗାରର ନୂଆ ଅବସର ମିଳିପାରିଛି । ଅର୍ଥାତ୍ ଦେଶର ବିଭିନ୍ନ ଅଞ୍ଚଳରେ ମହୁର ମଧୁରତା ବୃଦ୍ଧି ପାଇଚାଲିଛି । ଯାହାକି ଚାଷୀମାନଙ୍କ ଆୟ ମଧ୍ୟ ବୃଦ୍ଧି କରୁଛି । ହରିୟାଣାର କୁରୁକ୍ଷେତ୍ରଠାରେ ମହାଭାରତ ଯୁଦ୍ଧ ହୋଇଥିଲା, ଏକଥା ଆମେ ସମସ୍ତେ ଜାଣିଛୁ । କିନ୍ତୁ, ଯୁଦ୍ଧର ସେହି ଅନୁଭୂତିକୁ ଏବେ ଆପଣ ସେଠାରେ ମହାଭାରତ ଅନୁଭବ କେନ୍ଦ୍ରରେ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ । ଏହି ଅନୁଭବ କେନ୍ଦ୍ରରେ ମହାଭାରତର କାହାଣୀକୁ ଥ୍ରୀ-ଡି, ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ ଏବଂ ଡିଜିଟାଲ୍ ଟେକ୍ନିକ୍ ଦ୍ୱାରା ପ୍ରଦର୍ଶିତ କରାଯାଉଛି । ଏହି ମାସର ଆରମ୍ଭରେ ସାଉଦି ଆରବରେ ପ୍ରଥମଥର କୌଣସି ସାର୍ବଜନୀନଦ ମଞ୍ଚରେ ଗୀତାର ଉପସ୍ଥାପନା କରାଯାଇଛି । ଇଉରୋପ୍ର ଲାଟ୍ଭିଆରେ ମଧ୍ୟ ଗୋଟିଏ ସ୍ମରଣୀୟ ଗୀତା ମହୋତ୍ସବର ଆୟୋଜନ କରାଗଲା । ଏହି ମହୋତ୍ସବରେ ଲାଟ୍ଭିଆ, ଏଷ୍ଟୋନିଆ, ଲିଥୁଆନିଆ ଏବଂ ଆଲ୍ଜିରିଆର କଳାକାରମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ।
ଡିସେମ୍ବର ୨ରୁ କାଶୀର ନମୋ ଘାଟରେ ଚତୁର୍ଥ କାଶୀ ତାମିଲ୍ ସଙ୍ଗମମ୍ ଆରମ୍ଭ ହେବାକୁ ଯାଉଛି । ତାମିଲ୍ ଭାଷା ହେଉଛି ମହାନ୍ ଓ ତାମିଲ୍ ଭାରତର ଗର୍ବ । ଯେତେବେଳେ ଭାରତର ସୁରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହୁଏ, ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରନ୍ତି । ଶୀତ ଆସିଯାଇଛି ଏବଂ ଶୀତ ସହିତ ଜଡିତ ପର୍ଯ୍ୟଟନର ସମୟ ମଧ୍ୟ ଆସିଛି । ପୃଥିବୀର ଅନେକ ଦେଶ ଶୀତକାଳୀନ ପର୍ଯ୍ୟଟନକୁ ନିଜ ଅର୍ଥନୀତିର ବହୁତ ବଡ ଆଧାର କରିଦେଇଛନ୍ତି । ଆମ ଦେଶରେ ମଧ୍ୟ ଶୀତ ପର୍ଯ୍ୟଟନର ସବୁ ସମ୍ଭାବନା ରହିଛି । ଆମ ପାଖରେ ପାହାଡ ଅଛି, ସଂସ୍କୃତି ଅଛି ଏବଂ ଦୁଃସାହସିକ କ୍ରୀଡାର ଅସୀମ ୧୦ ସମ୍ଭାବନା ଅଛି । ଭାରତୀୟ କ୍ରୀଡା ଦୃଷ୍ଟିରୁ ଏହି ମାସଟି ସୁପରହିଟ୍ ରହିଛି । ଏହି ମାସର ଆରମ୍ଭ ଭାରତୀୟ ମହିଳା ଟିମ୍ ଦ୍ୱାରା ଆଇସିସି ମହିଳା ବିଶ୍ୱକପ୍ ବିଜୟରୁ ହୋଇଥିଲା । କିନ୍ତୁ ତା’ପରେ ମଧ୍ୟ ମଇଦାନରେ ଅଧିକ ଆକ୍ସନ୍ ଦେଖିବାକୁ ମିଳିଛି । କିଛିଦିନ ପୂର୍ବ ଟୋକିଓରେ ଡିଫ୍-ଅଲିମ୍ପିକ୍ସ ହୋଇଥିଲା ଯେଉଁଠାରେ ଭାରତ ସର୍ବୋତ୍ତମ ପ୍ରଦର୍ଶନ କରି ୨୦ଟି ପଦକ ଜିତିଛି । ଆମର ମହିଳା ଖେଳାଳିମାନେ କବାଡି ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି । ୱାର୍ଲ୍ଡ ବକ୍ସିଂ କପ୍ ଫାଇନାଲ ରେ ମଧ୍ୟ ଆମର ଖେଳାଳିମାନଙ୍କର ପ୍ରଦର୍ଶନ ଅସାଧାରଣ ରହିଥିଲା, ଯେଉଁଥିରେ ସେମାନେ ୨୦ଟି ପଦକ ଜିତିଛନ୍ତି । ଯାହା ବିଷୟରେ ଆହୁରି ଅଧିକ ଚର୍ଚ୍ଚା ହେଉଛି, ତାହା ହେଉଛି ଆମର ମହିଳା ଦଳ ବ୍ଲାଇଣ୍ଡ କ୍ରିକେଟ୍ ୱାର୍ଲ୍ଡ କପ୍ ଜିତିବା । ବଡ କଥା ହେଉଛି ଆମର ଏହି ଦଳ ଗୋଟିଏ ମ୍ୟାଚ୍ ବି ନହାରି ଟୁର୍ଣ୍ଣାମେଣ୍ଟ ଜିତିଛି ।