ଟଙ୍କା ବିଷୟରେ ପୁଲିସ୍କୁ ଜଣାଇନଥିଲେ ଜଷ୍ଟିସ୍ ବର୍ମା

 ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଘରୁ ଟଙ୍କା ଠାବ ମାମଲାରେ ଆସିଛି ନୂଆ ତଥ୍ୟ । ଘଟଣାର ତଦନ୍ତ ପାଇଁ ସର୍ବୋଚ୍ଚ ଅଦାଲତ ଗଠନ କରିଥିବା ତିନିଜଣିଆ କମିଟି କହିଛି ଜଷ୍ଟିସ୍ ବର୍ମାଙ୍କ ଘରୁ ଟଙ୍କା ଠାବ ମାମଲାରେ ଏକାଧିକ ପ୍ରମାଣ ମିଳିଛି । କିନ୍ତୁ ଏ ସମ୍ପର୍କରେ ସେ ଆଦୌ ପୁଲିସ୍ରେ ଅଭିଯୋଗ କରିନାହାନ୍ତି । ତାହା ହେଉଛି ତାଙ୍କର ପ୍ରଥମ ଭୁଲ୍ । ସେହିପରି ବର୍ତ୍ତମାନ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଥିବା ବେଳେ  ଏହା ଅପ୍ରାକୃତିକ ଏବଂ ଏହି ପଦରୁ ତାଙ୍କୁ ବହିଷ୍କୃତ ପାଇଁ ସୁପାରିଶ କରାଯିବ ବୋଲି ତଦନ୍ତ କମିଟି କହିଛି । ଏହି କମିଟି ତଦନ୍ତ ବେଳେ ଜଷ୍ଟିସ୍ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ମୋଟା ଅଙ୍କର ୫୦୦ ଟଙ୍କିଆ ପୋଡ଼ା ନୋଟ୍ ବଣ୍ଡଲ ଠାବ କରିଥିବା ସ୍ପଷ୍ଟ କରିଛି । 
ସେହିପରି ଦରପୋଡ଼ା ତଥା ଅଧାପୋଡ଼ା ବ୍ୟାଙ୍କ ନୋଟ୍ର ଭିଡିଓ  ଓ ଫଟୋ ପ୍ରମାଣ ସମେତ ପ୍ରତ୍ୟେକ୍ଷଦର୍ଶୀଙ୍କୁ ମଧ୍ୟ ଠାବ କରିଛି କମିଟି । ଜଷ୍ଟିସ୍ ବର୍ମାଙ୍କ ଝିଅଙ୍କ ଏଥିରେ ସମ୍ପୃକ୍ତି ସମେତ ମୋଟ ୫୫ଟି ପ୍ରମାଣ ଠାବ କରାଯାଇଛି ।  ତେବେ ଅଗ୍ନିକାଣ୍ଡ ଘଟଣା ଦିନ ଜଷ୍ଟିସ୍ ବର୍ମା ଘଟଣାସ୍ଥଳରେ ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଜାଣିବାକୁ ପାଇ ପୁଲିସ୍ରେ ଅଭିଯୋଗ ଦାୟର କରି ନ ଥିଲେ । ଏମିତିକି ତାଙ୍କ ପରିବାର ସଦସ୍ୟ ମଧ୍ୟ ଏ ଘଟଣା ସମ୍ପର୍କରେ ଜାଣିଶୁଣି ପୁଲିସ୍କୁ ଏତଲା ଦେଇ ନଥିଲେ ବୋଲି ତଦନ୍ତ କମିଟି କହିଛି । ତଦନ୍ତ ବେଳେ କମିଟିକୁ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଥିଲେ ଯେ, ପ୍ରଥମଥର ପାଇଁ ମୁଁ ଏତେ ପରିମାଣର ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଆଉ ମୁଁ ମୋ ଜୀବନରେ ଏତେ ଟଙ୍କା କେବେ ଦେଖି ନ ଥିଲି ।