ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ : ଜଣେ ମୃତ
ନୂଆଦିଲ୍ଲୀ : ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂର ୟାଲାମଞ୍ଚିଲିରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନର ଦୁଇଟି କୋଚରେ ଲାଗିଥିଲା ନିଆଁ।
ସୂଚନା ଅନୁଯାୟୀ, ରାତ୍ରି ପ୍ରାୟ ୧୨.୪୫ ସମୟରେ ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା । ଟ୍ରେନରେ ନିଆଁ ଲାଗିଥିଲା ସମୟରେ ଗୋଟିଏ ବଗିରେ ୮୨ଜଣ ଥିବାବେଳେ ଅନ୍ୟ ବଗିରେ ୭୬ ଜଣ ଯାତ୍ରୀ ଥିଲେ । କିନ୍ତୁ ବଗି ଈ୧ରୁ ଜଣକର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ନାମ ଚନ୍ଦ୍ରଶେଖର ସୁନ୍ଦରମ ବୋଲି ଚିହ୍ନଟ କରାଯାଇଛି । ଟ୍ରେନ୍ରେ ନିଆଁ ଲାଗିବା ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ଘଣ୍ଟାର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । କ୍ଷତିଗ୍ରସ୍ତ ଦୁଇଟି ବଗିକୁ ଟ୍ରେନରୁ ଅଲଗା କରାଯାଇଛି । ଅଗ୍ନିକାଣ୍ଡ ଫଳରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହଥିବା ବେଳେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
Samir Kumar Rout