ମାସୁଦ୍ ବଂଶ ନିପାତ
ନୂଆଦିଲ୍ଲୀ: ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରର ବଂଶ ନିପାତ ହୋଇଯାଇଛି । ତା’ ପରିବାରର ୧୦ ସଦସ୍ୟ ଓ ୪ ସହଯୋଗୀ ମରିଯାଇଥିବା ନେଇ ନିଜେ ମାସୁଦ୍ ସୂଚନା ଦେଇଛି । ଗତକାଲି ରାତିରେ ଭାରତୀୟ ବାୟୁସେନା ପକ୍ଷରୁ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ମିସାଇଲ୍ ମାଡ଼ କରାଯାଇଥିଲା । ବିବିସି ଉର୍ଦ୍ଦୁର ରିପୋର୍ଟ ଅନୁଯାୟୀ, ମାସୁଦ୍ କହିଛିଯେ, ଆକ୍ରମଣରେ ତାର ବଡ ଭଉଣୀ ଓ ଭିଣୋଇଙ୍କର ମୃତୁ୍ୟ ହୋଇଛି । ସେହିପରି ତା’ ମା’, ଝିଅ, ସ୍ତ୍ରୀ, ଝିଆରୀ ଓ ପରିବାରର ୫ ପିଲାଙ୍କର ମୃତୁ୍ୟ ହୋଇଯାଇଛି । ସେହିପରି ମାସୁଦର ଘନିଷ୍ଠ ସହଯୋଗୀ ବି ମରି ଯାଇଛନ୍ତି । ପାକିସ୍ତାନର ବାହାଲୱପୁରରେ ମାସୁଦର ପରିବାର ରହୁଥିଲେ । ସୁଭାନ ଆହ୍ଲା କ୍ୟାମ୍ପ ଭାରତୀୟ ସେନାର ଆକ୍ରମଣରେ ଧ୍ୱସ୍ତ ହୋଇଯାଇଛି । ଏଠାରେ ଜୈସର ସମସ୍ତ ପ୍ରକାର ନିଯୁକ୍ତି, ପାଣ୍ଠି କାରବାର ହୋଇଥାଏ । ୨୦୦୧ ସଂସଦ ଆକ୍ରମଣ,୨୦୧୬ ପଠାନକୋଟ ଆକ୍ରମଣ ଓ ୨୦୧୯ ପୁଲୱାମ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛି ମାସୁଦ୍ । ଭାରତ ପୂର୍ବରୁ ମାସୁଦକୁ ଧରିବାରେ ସଫଳ ହୋଇଥିଲେବି ବହୁଚର୍ଚ୍ଚିତ ଇଣ୍ଡିଆନ୍ ଏୟାରଲାଇନ୍ ଫ୍ଲାଇଟ୍ ୮୧୪ ଅପହରଣ ବେଳେ ତାକୁ ଅନ୍ୟ ଦୁଇ ଆତଙ୍କବାଦୀ ସହ ମୁକ୍ତ କରାଯାଇଥିଲା ।