୧୦୮ ବର୍ଷ ବୟସରେ ସେଲୁନରେ କେଶ କାଟି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଜାପାନର ପୂର୍ବବର୍ତ୍ତୀ ଟୋଚିଗି ରାଜ୍ୟ ନାକାଗାଓ୍ବା ସହରରେ ୧୦୮ ବର୍ଷୀୟା ମହିଳା ଶିତ୍‌ସୁଇ ହାକୋଇଶି ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ବାରିକ ଭାବେ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନ ପାଇଛନ୍ତି। ଗୁରୁବାର ନାକାଗାଓ୍ବା ସହରରେ ଥିବା ହାକୋଇଶିଙ୍କ ସେଲୁନରେ ଜିଡବ୍ଲ୍ୟୁଆର୍‌ର ଅଧିକାରୀମାନେ ତାଙ୍କୁ ସବୁଠାରୁ ବୟସ୍କ ମହିଳା ବାରିକ ଭାବେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ମୁହୂର୍ତ୍ତକୁ ହାକୋଇଶିଙ୍କ ନିୟମିତ ଗ୍ରାହକ ଏବଂ ସ୍ଥାନୀୟ ଲୋକେ ମିଶି କେକ୍‌ କାଟି ସେଲିବ୍ରେଟ୍‌ କରିଥିଲେ। ସେହିପରି ଏହି ବିଶେଷ ମୁହୂର୍ତ୍ତ ପାଇଁ ହାକୋଇଶିଙ୍କ ସେଲୁନକୁ ବିଭିନ୍ନ ପ୍ରକାର ଫୁଲରେ ସଜାଯାଇଥିଲା।
ହାକୋଇଶି ନାକାଗାଓ୍ବାରେ ଜନ୍ମ ଗ୍ରହଣ କରିଥିଲେ। ୧୯୩୬ରେ ମାତ୍ର ୨୦ ବର୍ଷ ବୟସରେ ସେଲୁନ ଖୋଲିବା ପାଇଁ ତାଙ୍କୁ ଲାଇସେନ୍ସ ମିଳିଥିଲା। ତାଙ୍କ ସ୍ବାମୀ ମଧ୍ୟ ଜଣେ କେଶ କଟାଳି ଥିଲେ। ସେ ସ୍ବାମୀଙ୍କ ସହ ମିଶି ଜାପାନର ରାଜଧାନୀ ଟୋକିଓରେ ନିଜ ପ୍ରଥମ ସେଲୁନ ଖୋଲିଥିଲେ। ତେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାସହ ସେ ନିଜ ଦୋକାନ ମଧ୍ୟ ହରାଇଥିଲେ। ଫଳରେ ହାକୋଇଶି ନିଜ ବାପଘର ନାକାଗାଓ୍ବାକୁ ଫେରି ଆସିଥିଲେ। ସେ ନାକାଗାଓ୍ବାରେ ନୂତନ ସେଲୁନ ଆରମ୍ଭ କରି ନିଜ ୨ ପିଲାଙ୍କ ଲାଳନ ପୋଷଣ କରିଥିଲେ। ଏହି ସେଲୁନ ବର୍ତ୍ତମାନ ମଧ୍ୟ ଚାଲିଛି। ଜିଡବ୍ଲ୍ୟୁଆର୍‌ରେ ସ୍ଥାନ ପାଇ ହାକୋଇଶି କହିଛନ୍ତି, ନିଜ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ତାଙ୍କୁ ଆଶ୍ୱସ୍ତି ମିଳିଥାଏ। ଏହି ସମୟକୁ ସେ ଖୁବ୍‌ ଉପଭୋଗ କରିଥାନ୍ତି। ତେଣୁ ବର୍ତ୍ତମାନ ସେ ଏହି ସେବାରୁ ନିବୃତ୍ତ ରହିବା ନେଇ ଚିନ୍ତା କରିନାହାନ୍ତି ବୋଲି ହାକୋଇଶି କହିଛନ୍ତି। ଯେପର୍ଯ୍ୟନ୍ତ ତାଙ୍କ ସେଲୁନକୁ ଗ୍ରାହକ ଆସୁଥିବେ, ସେଯାଏ ସେ ସେମାନଙ୍କୁ ସେବା ପ୍ରଦାନ କରି ଚାଲୁଥିବେ ବୋଲି ଏହି ବୟସ୍କା କେଶ କଟାଳି କହିଛନ୍ତି। ପ୍ରକାଶ ଯେ, ୨୦୨୧ ମାର୍ଚ୍ଚରେ ଟୋକିଓ ଅଲିମ୍ପିକ୍ସ ପାଇଁ କରାଯାଇଥିବା ମଶାଲ ରିଲେରେ ଅଂଶଗ୍ରହଣ କରିବାକୁ ହାକୋଇଶିଙ୍କୁ ସୁଯୋଗ ମିଳିଥିଲା।