ଟାଟାଷ୍ଟିଲ ଓ ଏଚଆଣ୍ଡୟୁଡି ବିଭାଗ ମଧ୍ୟରେ ବୁଝାମଣା ସ୍ୱାକ୍ଷର : ଅନୌପଚାରିକ ବସ୍ତିରେ ବାସୋପଯୋଗୀ ବସତି ସ୍ଥାପନ ପାଇଁ ଏମଓୟୁ
ଭୁବନେଶ୍ୱର : ଅନୌପଚାରିକ ବସ୍ତିରେ ଅନ୍ତର୍ଭୁକ୍ତୀକରଣ ଓ ବାସୋପଯୋଗୀ ସହରାଞ୍ଚଳ ବସତି ସ୍ଥାପନ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ (ଏଚଆଣ୍ଡୟୁଡିଡି) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ସାର୍ବଜନୀନ ଅଧିକାରକୁ ସୁନିଶ୍ଚିତ କରିବା ଏବଂ ଅନ୍ତର୍ଭୁକ୍ତୀକରଣ ସମାଜ ବିକାଶ ପାଇଁ ବ୍ୟାପକ ମଡେଲ ଗଠନ କରି ସହରାଞ୍ଚଳ ଅସମାନତା ହ୍ରାସ କରିବା ଉଦେ୍ଦଶ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଭୁବନେଶ୍ୱରର ରେଳ ଅଡିଟୋରିଅମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ମୁନିସିପାଲିଟି ପ୍ରଶାସନ ନିଦେ୍ର୍ଦଶକ ଅରିନ୍ଦମ ଡାକୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ ବୁଝଣାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ କହିଛନ୍ତି, “ଟାଟା ଷ୍ଟିଲ ଫାଉଣ୍ଡେସନ୍ ରାଜ୍ୟବ୍ୟାପୀ ଜନବସତି ଉପରେ ରୂପାନ୍ତରିତ ପ୍ରଭାବ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ଲଗାତାର କାର୍ଯ୍ୟ କରୁଛି । ଆଜିର ଏହି ଏମଓୟୁ ଏ ଦିଗରେ ଆଉ ଏକ ନୂଆ ପଦକ୍ଷେପ । ସହରାଞ୍ଚଳ ବସ୍ତିରେ ବସବାସ କରୁଥିବା ଲୋକମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ଜଣାଇବା ଓ ସେମାନଙ୍କୁ ସକ୍ଷମ କରିବା ଦିଗରେ କାର୍ଯ୍ୟ କରାଯିବ । ବୁଝାମଣାପତ୍ର ଅନୁଯାୟୀ ଟାଟା ଷ୍ଟିଲ ଫାଉଣ୍ଡେସନ ରାଜ୍ୟସ୍ତରୀୟ ମିଶନ ମ୍ୟାନେଜମେଣ୍ଟ ୟୁନିଟ୍ ଜାରି ରଖିବ ଏବଂ ୧୦ଟି ଜିଲ୍ଲା ଏବଂ ୧୯ଟି ପୌର ସଂସ୍ଥାରେ ସ୍ୱତନ୍ତ୍ର ଟିମ୍ ମୂତୟନ କରିବ । ଫଳରେ ପ୍ରାୟ ୨.୨୮ ଲକ୍ଷ ବସ୍ତି ପରିବାର ପ୍ରତ୍ୟକ୍ଷ ଭାବରେ ଉପକୃତ ହେବେ ।