ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ଟିଏମସି ସାଂସଦ ମହୁଆଙ୍କ ନାଁରେ ଏଫଆଇଆର
ରାୟପୁର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ମହଙ୍ଗା ପଡିଛି । ଏନେଇ ଛତିଶଗଡ଼ର ରାୟପୁରରେ ମହୁଆଙ୍କ ନାଁରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି । ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୧୯୬ (ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ, ଭାଷା ଇତ୍ୟାଦି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋସôାହିତ କରିବା) ଓ ୧୯୭ ( ଜାତୀୟ ସଂହତି ପାଇଁ କ୍ଷତିକାରକ ଅଭିଯୋଗ, ଦାବି) ଅଧୀନରେ ଶନିବାର ମାନା ପୁଲିସ ଷ୍ଟେସନରେ ମହୁଆଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଅଭିଯୋଗକାରୀ ଗୋପାଳ ସାମନ୍ତୋ କହିଛନ୍ତି ଯେ, ମହୁଆଙ୍କ ମନ୍ତବ୍ୟ ଆପତ୍ତିଜନକ, ଅସାମ୍ବିଧାନିକ, ଗଣତନ୍ତ୍ର ପ୍ରତି ଲଜ୍ଜାଜନକ, ଘୃଣା ବଢାଇବା ଓ ଦେଶର ଏକତା ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ଏପରି ଜଣେ ବ୍ୟକ୍ତିଙ୍କୁ ତାଙ୍କ ପଦବୀରୁ ହଟାଯିବା ସହ ଦଣ୍ଡିତ ହେବା ଉଚିତ ।
ଟିଏମସି ସାଂସଦ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ସୀମା ସୁରକ୍ଷା ଉପରେ ନିଜର ଦାୟିତ୍ୱ ଏଡାଇ ଦେଉଛନ୍ତି । ସୀମା ସୁରକ୍ଷା ଦାୟିତ୍ୱ କେନ୍ଦ୍ରର । ତେଣୁ ଅଯଥାରେ ପଶ୍ଚିମବଙ୍ଗ ସରକାରକୁ ଦୋଷ ଦିଆନଯାଉ । ସାମନ୍ତୋ ଏହା ମଧ୍ୟ କହିଛନ୍ତି ଯେ ୧୯୭୧ ମସିହାରେ ରାୟପୁରର ମାନା କ୍ୟାମ୍ପ ଅଞ୍ଚଳରେ ବହୁ ସଂଖ୍ୟକ ବାଂଲାଦେଶୀ ଶରଣାର୍ଥୀଙ୍କୁ ବସତି କରାଯାଇଛି । ମହୁଆଙ୍କ ବୟାନ ସେମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି, କାରଣ ଏପରି ମନ୍ତବ୍ୟ ଅନ୍ୟ ସମ୍ପ୍ରଦାୟର ସେମାନଙ୍କ ବିରୁଦ୍ଧରେ କ୍ରୋଧ ସୃଷ୍ଟି କରିପାରେ ।