ଟିପିଏସ୍ଓଡିଏଲ୍ର ତାଲିମ କେନ୍ଦ୍ର ଉଦ୍ଘାଟିତ

 ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟାଟା ପାୱାର ଓ ଓଡ଼ିଶା ସରକାରଙ୍କର ଯୌଥ ଉଦ୍ୟୋଗ) ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଦୁଇଟି ନୂଆ ଅଫିସ ଓ ଗୋଟିଏ ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦ୍ଘାଟିତ ହୋଇଛି  । ଆସିକାର ତାଲୁକା ରୋଡ୍ଠାରେ ନୂଆ ଡିଭିଜନ୍ ଅଫିସ, ନୂଆଗାଁଠାରେ ନୂତନ ସେକ୍ସନ୍ ଅଫିସ୍ ଓ ସମରଝୋଳଠାରେ ଧନ୍ଦାମୂଳକ ତାଲିମକେନ୍ଦ୍ର ପ୍ରତିଷ୍ଠା ହୋଇଛି  । ଆସିକା ଇଲେକ୍ଟ୍ରିକାଲ୍ ଡିଭିଜନ୍(୧)ର ନୂତନ ଅଫିସ୍ ଆସିକା ଓ ଏହାର ଆଖପାଖ ଅଞ୍ଚଳର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣରେ ସହାୟକ ହେବା ସହ ସମୟସାପେକ୍ଷ ସେବା ଯୋଗାଇପାରିବ  । ଏଠାରେ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ରହିଥିବା ବେଳେ ଉପଭୋକ୍ତାଙ୍କ ନିମନ୍ତେ ବସିବା ସୁବିଧା ଓ କ୍ୟାସ୍ କାଉଣ୍ଟରର ବ୍ୟବସ୍ଥା ହୋଇଛି, ଯାହା ସହଜ ଓ ଉପଭୋକ୍ତା ଅନୁକୂଳ ସେବା ପ୍ରଦାନରେ ସକ୍ଷମ ହେବ । ସେହିଭଳି ସମରଝୋଳଠାରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ଗୋଷ୍ଠୀ ବିକାଶ କ୍ଷେତ୍ରରେ କମ୍ପାନୀ ନିଜର ପ୍ରତିବଦ୍ଧତାକୁ ଦର୍ଶାଇଛି  । ଯାହା ସ୍ଥାନୀୟ ଯୁବକମାନଙ୍କୁ ବ୍ୟାବହାରିକ ଓ ଶିଳ୍ପଭିତ୍ତିକ ୱେଲ୍ଡିଂ ପ୍ରଶିକ୍ଷଣ ପ୍ରଦାନ କରିବ  । ତାଲିମ ପରେ ସେମାନଙ୍କୁ ଦକ୍ଷତା ମାନପତ୍ର ଓ ନିଯୁକ୍ତି କ୍ଷେତ୍ର ଯୋଗାଇ ଦିଆଯିବ । ଅନ୍ୟପକ୍ଷରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଆସିକା ଅନ୍ତର୍ଗତ ନୂଆଗାଁ ଇଲେକ୍ଟି୍ରକାଲ୍ ସେକ୍ସନ-୧ର ନୂତନ ଅଫିସ ଉଦ୍ଘାଟିତ ହୋଇଛି  । ଏହି ନୂତନ ଭିତ୍ତିଭୂମି କର୍ମଚାରୀମାନଙ୍କୁ ଉନ୍ନତ କାର୍ଯ୍ୟକ୍ଷେତ୍ର ଯୋଗାଇଦେବା ସହ ଉପଭୋକ୍ତା ସେବାକୁ ସୁଦୃଢ଼ କରିବ  । ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ ନୂତନ ଭିତ୍ତିଭୂମି ଓ ତାଲିମ କେନ୍ଦ୍ରର ନିର୍ମାଣ ଉପଭୋକ୍ତା ସେବାରେ ଉନ୍ନତି ଆଣିବା ସହ ସ୍ଥାନୀୟ ସଂପ୍ରଦାୟକୁ ସଶକ୍ତ କରିବ ବୋଲି କହିଛନ୍ତି  ।