ଟ୍ରାନ୍ସଫର୍ମର ତଳ ପାଲଟିଛି ଡଷ୍ଟବିନ୍; ଅଘଟଣ ଘଟିଲେ ଦାୟୀ ରହିବ କିଏ? 

 ବ୍ୟାସନଗର,: ବ୍ୟାସନଗରବାସୀଙ୍କୁ ସବୁଜ ପରିବା ଯୋଗାଉଥିବା ସ୍ଥାନଟି ହେଲା ଗ୍ରୀନ ମାର୍କେଟ । ଯାହା ପୌରାଞ୍ଚଳର ଡାକବଙ୍ଗଳା ଛକରେ ଅବସ୍ଥିତ । ଓଏସ୍ଆରଟିସି ଅଧିନରେ ରହିଛି ମାର୍କେଟଟି । ମାର୍କେଟକୁ ଦୈନିକ ଶହଶହ ସଂଖ୍ୟାର ଚାଷୀ ପନି ପରିବା ବିକ୍ରି କରିବାକୁ ଆସିଥାନ୍ତି । ଏହା ସହ ମାର୍କେଟରେ ରହିଛି ଏକାଧିକ ଗୋଦାମ । ବିଭିନ୍ନ ରାଜ୍ୟକୁ ଏଠାକୁ ଆସିଥାଏ ପନି ପରିବା ଏବଂ ଏଠୁ ମଧ୍ୟ ରାଜ୍ୟ ବାହାରକୁ ଯାଇଥାଏ । ଓଏସଆରଟିସିର ବସଷ୍ଟାଣ୍ଡ ଥିବା ସ୍ଥାନଟିକୁ ପ୍ରଥମେ ଜନୈକ ବ୍ୟକ୍ତି ଲିଜ୍ରେ ନେଇ ମାର୍କେଟ କରିଥିଲେ । ପରେ ମାର୍କେଟକୁ ନିଜେ ପରିଚାଳନା କରୁଛି ଓଏସଆରଟିସି । ଦୈନିକ ଏକାଧିକ ବୋଝେଇ ଗାଡ଼ି ପରିବା ଏଠାକୁ ଆସିଥାଏ ଏବଂ ଏଠାରୁ ବିଭିନ୍ନ ପ୍ରାନ୍ତକୁ ଯାଇଥାଏ । ଏହା ଫଳରେ ବହୁ ପରିମାଣର ପଚା, ପୋକରା ପରିବା ବାହାରିଥାଏ । ଯାହାକୁ ନିଦ୍ଧିଷ୍ଟ ସ୍ଥାନରେ ପକାଇବା ବଦଳରେ ବ୍ୟବସାୟୀ ଦଳା-ଡ଼ାକବଙ୍ଗଳା ରାସ୍ତା କଡ଼କୁ ଡ଼ଷ୍ଟବିନ ଭାବେ ବ୍ୟବହାର କରୁଛନ୍ତି । ଗ୍ରୀନ ମାର୍କେଟକୁ ଲାଗି ରହିଥିବା ଏକ ବିଦୁ୍ୟତ ଟ୍ରାନ୍ସଫରମର ତଳ ଅଂଶ ଫାଙ୍କା ରହିଥିବାରୁ ବ୍ୟବସାୟୀ ଉକ୍ତ ସ୍ଥାନରେ ପ୍ରତିଦିନ ପଚା, ପୋକରା ଏବଂ ବିଭିନ୍ନ ପ୍ରକାରର ଅଳିଆ ଆଣି ପକାଇବାରେ ଲାଗିଛନ୍ତି । ଯାହା ପରିବେଶକୁ ଦୁର୍ଗନ୍ଧମୟ କରୁଛି । ପଚାଶଢା ପରିବାର ଖାଇବାକୁ ଗୋରୁ, ଗାଈ ଠାରୁ ଆରମ୍ଭ କରି ଷଣ୍ଢ ପର୍ଯ୍ୟନ୍ତ ଭିଡ଼ ଜମାଉଛନ୍ତି । ଯାହା କୌଣସି ସମୟରେ ବିଦୁ୍ୟତ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ତେବେ ଗ୍ରୀନ ମାର୍କେଟର ବ୍ୟବସାୟୀଙ୍କ ଠାରୁ ଓଏସଆରଟିସି ଭଡ଼ା ସୂତ୍ରରେ ମାସିକ ଲକ୍ଷାଧିକ ଟଙ୍କା ନେଉଥିବା ବେଳେ ସ୍ୱଚ୍ଛତା ପ୍ରତି ଧ୍ୟାନ ନଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୌର ପ୍ରଶାସନ ପକ୍ଷରୁ ଯଦିଓ ଅଳିଆ ଆବର୍ଜନାକୁ ଉଠାଇ ନିଆଯାଉଛି, କିନ୍ତୁ ଟି୍ରପ ଟି୍ରପ ନେବା ଦୈନିକ ସମ୍ଭବ ହେଉନି । ପୌର ପ୍ରଶାସନ ଗ୍ରୀନ ମାର୍କେଟରୁ ଟଙ୍କାଟିଏ ରାଜସ୍ୱ ପାଉନଥିବା ବେଳେ ଓଏସଆରଟିସି ମଧ୍ୟ ଏଥିପ୍ରତି ସଚେତନ ହେଉନି । ଡ଼ଷ୍ଟବିନ ଯୋଗୁ ଉପୁଜୁଥିବା ପରିବେଶ ପ୍ରତି କର୍ତ୍ତୃପକ୍ଷ ଗୁରୁତର ସହ ଧ୍ୟାନ ଦେବାକୁ ପରିବେଶବିତ ଦାବି କରିଛନ୍ତି ।