ବ୍ଲକରେ ବନ୍ଧା ପଡ଼ିଛି ପଞ୍ଚାୟତ ବିକାଶ
ଯାଜପୁର : ବ୍ଲକର ବିନା ସହଯୋଗରେ ପଞ୍ଚାୟତ ବିକାଶ ସମ୍ଭବ ନୁହେଁ । ବ୍ଲକ୍ର ଉପରୁ ତଳୁ ସମସ୍ତଙ୍କ ସହଯୋଗରେ ହିଁ ପଂଚାୟତ ବିକାଶିତ ରୁପନେଇଥାଏ । କହିବାକୁ ଗଲେ କୈାଣସି ଗାଁର ବିକାଶ ନକ୍ସା ପଂଚାୟତରେ ପ୍ରସ୍ତୁତ ହେଉଥିଲେ ହେଁ ବ୍ଲକ ମଂଜୁରୀ ଜରୁରୀ ଥାଏ । ପଞ୍ଚାୟତ ବିକାଶ ପାଇଁ ରାଜ୍ୟରୁ ଆରମ୍ଭ କରି କେନ୍ଦ୍ର ସରକାର ବାର୍ଷିକ କୋଟି କୋଟି ଟଙ୍କା ଦେଉଥିଲେ ହେଁ ଅନେକ ବ୍ଲକରେ ଅଧକାରୀ ହୁଅନ୍ତୁ କି କର୍ମଚାରୀ ବଦଳିପାଲା ଯୋଗୁ ପଂଚାୟତ ବିକାଶରେ ବାଧା ସୃଷ୍ଟି କରିଥାଏ । ଯାହା ସୁକିନ୍ଦା ବ୍ଲକରେ ଘଟିଚାଲିଛି । ଆଦିବାସୀ ଅଧୂଷିତ ଅଞ୍ଚଳ ଭାବେ ପରିଚିତ ସୁକିନ୍ଦା । ତା ସହିତ କାଳିଆପାଣି ଖଣି ଅଞ୍ଚଳ ଏବଂ ବହୁ ଚର୍ଚିିତ ନଗଡ଼ା ରହିଛି ଉକ୍ତ ବ୍ଲକ ଅନ୍ତର୍ଗତରେ । କୌଣସି ପଞ୍ଚାୟତ ବିକାଶ ପାଇଁ ଲମ୍ବା ସମୟର ଆବଶ୍ୟକ ଥିବା ବେଳେ, କାର୍ଯ୍ୟ କରିବାକୁ ବଡିଓଙ୍କୁ ମଧ୍ୟ ସୁଯୋଗ ମିଳିବା କଥା । କିନ୍ତୁ ଏହି ବ୍ଲକରେ ବିଡିଓଙ୍କ ସ୍ୱଳ୍ପ ସମୟରେ ବଦଳି ପଞ୍ଚାୟତ ବିକାଶରେ ପ୍ରତିବନ୍ଧକ ସାଜୁଥିବାର ହୋଇଛି ଅଭିଯୋଗ । ବ୍ଲକ କାର୍ଯ୍ୟାଳୟ ନାମ ଫଳକରେ ସ୍ଥାନୀତ ତାଲିକା ଯାହା କହୁଛି ଗଲା ବର୍ଷକ ଭିତରେ ୪ଜଣ ବିଡ଼ିଓଙ୍କୁ ଏଠୁ ବଦଳି ହେବାକୁ ପଡ଼ିଲାଣି । ସ୍ୱଳ୍ପ ସମୟ ପାଇଁ ବିଡିଓଙ୍କ ଅବସ୍ଥାନ ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ ସାଜୁଛି କି ନାହିଁ ତାହା ସମୀକ୍ଷା କରିବାର ଯେତିକି ଆବଶ୍ୟକ ରହିଛି ସ୍ଥାୟୀ ଓ ଅସ୍ଥାୟୀ ଭିତରେ ବିକାଶ କେତେ ଅଗ୍ରଗତି କରେ ସରକାର ତର୍ଜମା କରିବା ଦରକାର । ସୁକିନ୍ଦା ବ୍ଲକ । ୨୫ଗୋଟି ପଂଚାୟତକୁ ନେଇ ଗଠିତ । ଗୋଟେ ପଟେ ଖଣି ଅଂଚଳତ ଗୋଟେ ପଟେ ଶିଳାଞ୍ଚଳ ଏବଂ ଅନ୍ୟପଟେ ନଦୀ ଅଞ୍ଚଳ । କୃଷି, ଖଣିଜ ସମ୍ପଦ ଏବଂ ଶିଳ୍ପକୁ ବାନ୍ଧି ରଖିଥିବା ସୁକିନ୍ଦାର ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । ତା ସହ ଖଣିଜ ପାଣ୍ଠି ରହିଛି । ଯେଉଁ ଅର୍ଥର ସଦବିନିଯୋଗ ସହ ପଞ୍ଚାୟତ ବିକାଶ ମଙ୍ଗୁଆଳ ବା ବିଡ଼ିଓଙ୍କ ଉପରେ ନିର୍ଭର କରିଥାଏ । ହେଲେ ଯଦି ଦେଖିବା ତେବେ ଗଲାବର୍ଷକରେ ୪ଜଣ ବିଡିଓଙ୍କୁ ବଦଳି ହେବାକୁ ପଡ଼ିଛି । ବିଡିଓ ଭାବେ କାର୍ଯ୍ୟ କରୁଥିବା ନମ୍ରଦା ମୋଦିଙ୍କ ଠାରୁ ଅଭିଶେକ ସ୍ୱାଇଁ, ମାନସରଂଜନ ତ୍ରିପାଠୀ ଏବଂ ରେସମା ଟେଟେଙ୍କ କାର୍ଯ୍ୟ ଦିବସକୁ ଅନୁଧ୍ୟାନ କଲେ ଏହା ଜଣାପଡ଼ିଯାଉଛି । ଜିଲାର ଅନ୍ୟ ସମସ୍ତ ବ୍ଲକ ଠାରୁ ଅଧିକ ଅର୍ଥ ଅନୁଦାନ ମିଳୁଥିବା ବ୍ଲକକୁ ଚଳାଇବାରେ ଅସ୍ଥାୟୀ ବିଡ଼ିଓ ଅବସ୍ଥାପିତ ହୋଇଛନ୍ତି ।୧୯୫୫ରୁ ଏଯାବଦ ୫୭ଜଣ ବିଡିଓ ଭାବେ କାର୍ଯ୍ୟ କରିଥିବା ବେଳେ ତନ୍ମଧ୍ୟରୁ ୨୦ଜଣ ଇନଚାର୍ଜ ବା ଅତିରିକ୍ତ ଦାୟିତ୍ୱରେ ବର୍ଷବର୍ଷ ଧରି କାର୍ଯ୍ୟ କରିଛନ୍ତି । ୧୯୫୫ଗାନ୍ଧୀ ଜୟନ୍ତୀରେ ସୁକିନ୍ଦା ବ୍ଲକରେ ବ୍ରଜସୁନ୍ଦର ସାହୁ ପ୍ରଥମ ବିଡ଼ିଓ ଭାବେ ନିଯୁକ୍ତି ପାଇଥିବା ବେଳେ ଜଣେ ଜଣେ ବିଡ଼ିଓ ହାରାହାରି୧୪ମାସ କାମ କରିଛନ୍ତି । ୫୭ଜଣ ବିଡ଼ିଓଙ୍କ ମଧ୍ୟରୁ ମାତ୍ର ୧୬ଜଣ ବିଡିଓ ବର୍ଷେ ବା ତା ଠାରୁ ଅଧିକ ସମୟ କାର୍ଯ୍ୟଭାର ସମ୍ଭାଳି ଥିବା ବେଳେ ୫୧ଜଣ ବିଡିଓ ବର୍ଷେ ବି ପୁରେଇ ପାରିନାହାଁନ୍ତି । ୨୦୨୪ଭଳି ଗୋଟିଏ ଗୋଟିଏ ବର୍ଷରେ ୪ଜଣରୁ ଅଧିକ ବିଡ଼ିଓ କାର୍ଯ୍ୟଭାର ସମ୍ଭାଳିଥିବା ନାମ ଫଳକ କହୁଛି । ସୁକିନ୍ଦାର ଦୃତ ବିକାଶ ପାଇଁ ସୁକିନ୍ଦା ବ୍ଲକରେ ଜଣେ ବିଡିଓଙ୍କୁ ଅନ୍ତତଃ ୩/୪ବର୍ଷ କାର୍ଯ୍ୟ କରିବାର ସୁଯୋଗ ଦେବାର ଆବଶ୍ୟକତା ନାହିଁକି? ହେଲେ ଯଦି ଦେଖିବା ୨୪ବର୍ଷର ବିଜେଡ଼ି ସରକାରରେ ଯାହା ଚାଲିଥିଲା ଏବର ବିଜେପି ସରକାରରେ ମଧ୍ୟ ତାହା ଚାଲିଛି । ବଦଳି ପାଲା ଯୋଗୁ ବିକାଶରେ ପ୍ରତିବନ୍ଧକ ଘଟୁଛି । ସଦ୍ୟ ବଦଳି ହୋଇଥିବା ରେସମା ଟେଟେଙ୍କ କଥା ଯଦି ଦେଖିବା ତେବେ ସେ ଗତ ଡ଼ିସେମ୍ବର ୧୨ତାରିଖରେ କାର୍ଯ୍ୟରେ ଯୋଗ ଦେଇ ଥିଲେ । ତାଙ୍କ ସ୍ଥାନରେ ନୂଆ ବିଡିଓ ନିଯୁକ୍ତି ଦିଆନଯାଇ ଦାନଗଦୀ ବିଡ଼ିଓ ପ୍ରଦୀପ କୁମାର ସେଠୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଦାନଗଦୀର ୨୩ ଏବଂ ସୁକିନ୍ଦାର ୨୫ କୁ ମିଶାଇ ବିଡ଼ିଓ ୪୮ପଂଚାୟତର ଉନ୍ନୟନ କାର୍ଯ୍ୟ କରିବା କଷ୍ଟକର ବ୍ୟାପାର ନୁହେଁ କି? ସରକାର ଏହାର ତର୍ଜମା କରିବା ସହ ପଂଚାୟତ ବିକାଶ ପାଇଁ ଗୁରୁତ୍ୱ ବହନ କରୁଥିବା ବିଡିଓଙ୍କ ବଦଳି କ୍ଷେତ୍ରରେ ଠିକଣା ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।