ଠକ ସର୍ଦ୍ଦାର ଅଜିତ୍କୁ ବାନ୍ଧିଲା ସିବିଆଇ
- ସହଯୋଗୀ ମିଙ୍କୁ ବି ବନ୍ଧାହେଲା
- ଜବତ ହେଲା ୩.୭ କୋଟି ଓ କେଜିଏ ସୁନା
- ୪ ଦାମୀ ଗାଡ଼ି, ୨୬ ସମ୍ପତ୍ତି କାଗଜ ବି ଜବତ
- ଠକର ମୁଖା ଖୋଲିଥିଲା ‘ସୂର୍ଯ୍ୟପ୍ରଭା’
ଭୁବନେଶ୍ୱର : ଅନ୍ତର୍ଜାତୀୟ ଠକ ସର୍ଦ୍ଦାର ଅଜିତ କୁମାର ପାତ୍ର ଓ ତା’ର ସହଯୋଗୀ ମିଙ୍କୁ ଲାଲ ଜୈନଙ୍କୁ ଆଜି ସିବିଆଇ ଗିରଫ କରିଛି । ଏହି ଠକର କଳା କାରନାମା ସମ୍ପର୍କରେ ଅତୀତରେ ଅନେକ ବାର ‘ସୂର୍ଯ୍ୟପ୍ରଭା’ ବିଶଦ ରିପୋର୍ଟ ମଧ୍ୟ ପ୍ରକାଶ କରିସାରିଛ।
ସିବିଆଇ ପକ୍ଷରୁ ଜାରି ପ୍ରେସ ବିବୃତ୍ତି ଅନୁଯାୟୀ, ଅଜିତ ଓ ମିଙ୍କୁ ଲାଲ ନିଜକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ମନ୍ତ୍ରଣାଳୟ, ବିଚାରବିଭାଗୀୟ ଅଧିକାରୀ ବୋଲି ମିଛ ପରିଚୟ ଦେଇ ଠକୁଥିଲେ । ସେମାନେ ମିଛ ପରିଚୟ ଦେଇ ଭିଆଇପି ପ୍ରୋଟକଲ ପାଇବା ସହ ସରକାରୀ ଘରେ ରହୁଥିଲେ । ହାଇ ସିକ୍ୟୁରିଟି ଜୋନ୍ରେ ବି ପ୍ରବେଶ କରିପାରୁଥିଲେ । ସେମାନେ ନିଜକୁ କେନ୍ଦ୍ରୀୟ ଏଜେନ୍ସୀ ଓ ଏନଫୋର୍ସମେଣ୍ଟ ଅଫିସର ଭାବେ ଦର୍ଶାଉଥିଲେ । ୨୦୨୫ ନଭେମ୍ବର ୪ରେ ଡିଜିଜିଆଇ ଜୟପୁର ପକ୍ଷରୁ ସାଇବଡ଼ିର ନେଟୱର୍କ ପ୍ରାଇଭେଟ ଲିମିଟେଡ଼ ବିନୋଦ ପରିହାରଙ୍କ ଅଫିସରେ ଚଢ଼ାଉ କରାଯାଇଥିଲା । ଗିରଫରୁ ବର୍ତ୍ତିବା ପାଇଁ ବିନୋଦ ତୁରନ୍ତ ଅଜିତ ଓ ମିଙ୍କୁ ସହ ଯୋଗାଯୋଗ କରିଥିଲା । ସେମାନେ ମାମଲା ରଫାଦଫା କରିବା ପାଇଁ ସେମାନେ ୧୮ ଲକ୍ଷ ଟଙ୍କା ଦାବି କରିଥିଲେ । ଗତ ନଭେମ୍ବର ୧୦ରେ ଅଜିତ ଓ ମିଙ୍କୁ, ଜଗଜିତ୍ ସିଂହ ଗିଲ ଜରିଆରେ ବିନେଦା ପରିହାର ପଠାଇଥିବା ୧୮ ଲକ୍ଷ ଟଙ୍କା ନେଉଥିଲେ । ପୂର୍ବରୁ ଛକି ବସିଥିବା ସିବିଆଇ ତାଙ୍କୁ ମାଡ଼ି ବସିବା ସହ ସେମାନଙ୍କ ଠାରୁ ସେହି ୧୮ ଲକ୍ଷ ଟଙ୍କା ସହ ଆଉ ୩.୭ କୋଟି ଟଙ୍କା, ୧ କେଜି ସୁନା, ୨୬ ସମ୍ପତ୍ତି ଡକ୍ୟୁମେଣ୍ଟ. ୪ ଦାମୀ ଗାଡ଼ି, ୧୨ ଗାଡ଼ି, ଡିଜିଟାଲ ଡିଭାଇସ ଆଦ ଜବତ କରାଯାଇଛି । ଦିଲ୍ଲୀ, ରାଜସ୍ଥାନ ଓ ଓଡ଼ିଶାରେ ଚଢ଼ାଉ କରି ସିବିଆଇ ଏହା ଜବତ କରିଛି ।