ଲାଲକିଲ୍ଲା ବିସ୍ଫୋରଣ : ସନ୍ଦିଗ୍ଧର ମାଆଭାଇ ସମେତ ୬ ଅଟକ

ଲାଲକିଲ୍ଲା ବିସ୍ଫୋରଣ : ସନ୍ଦିଗ୍ଧର ମାଆଭାଇ ସମେତ ୬ ଅଟକ

ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ କାରରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ପରେ ଜମ୍ମୁ ଓ କାଶ୍ମୀର ପୁଲିସ ଉପତ୍ୟକାର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ପଚରାଉଚରା ପାଇଁ ଛଅ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ଅଟକ ବ୍ୟକ୍ତିଙ୍କ ମଧ୍ୟରେ ଡକ୍ଟର ମହମ୍ମଦ ଉମର ନବୀଙ୍କ ଦୁଇ ଭାଇ ଓ ମାଆ ଅଛନ୍ତି । ଯିଏ କାର ଚଳାଉଥିବା ସନ୍ଦେହ କରାଯାଉଛି । ତଦନ୍ତ ସମୟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ଜଣାପଡିବା ପରେ ସୋମବାର ସନ୍ଧ୍ୟାରେ ଜମ୍ମୁ କାଶ୍ମୀର ପୁଲିସ ପୁଲୱାମାରେ ତାଙ୍କ ବାସଭବନରେ ଚଢାଉ କରିଥିଲା । ତାଙ୍କ ଘରୁ ମୋବାଇଲ୍‌ ଫୋନ୍‌ ଓ ଲାପଟପ୍‌ ସମେତ ଇଲେକ୍‌ଟ୍ରୋନିକ୍‌ ଉପକରଣଗୁଡ଼ିକୁ ପୁଲିସ ନେଇଯାଇଛି । ଉମର ପ୍ରାୟ ୮ ମାସ ତଳେ ଅନନ୍ତନାଗର ସରକାରୀ ମେଡିକାଲ୍‌ କଲେଜରେ ଚାକିରି ଛାଡ଼ି ଫରିଦାବାଦର ଅଲ୍‌ ଫଲାହ ମେଡିକାଲ ପ୍ରତିଷ୍ଠାନ ସହିତ ଜଡିତ ଥିଲେ। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ) ଏବଂ ଅନସାର ଅଘଜୱାତ-ଉଲ୍‌-ହିନ୍ଦ (ଏଜିୟୁଏଚ) ର ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍‌କୁ ହରିୟାଣା ପୁଲିସ ଏବଂ ୟୁପି ପୁଲିସ ସହାୟତାରେ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ଧରାପଡ଼ିବା ପରେ ଅଲ୍‌ ଫଲାହ ଚର୍ଚ୍ଚାରେ ରହିଛି । ସନ୍ଦିଗ୍ଧଙ୍କ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଭାଇମାନଙ୍କୁ ପଚରାଉଚରା କରାଯାଉଛି । ଦୁଇ ଭାଇ ଉମର ରସିଦ ଏବଂ ଅମିର ରସିଦ ଭାବରେ ଚିହ୍ନଟ କରାଯାଇଛି । ଭାଇଙ୍କ ମଧ୍ୟରୁ ଜଣେ ଇଲେକ୍ଟ୍ରିସିଆନ୍‌, ଅନ୍ୟ ଜଣେ ପ୍ଲମ୍ବର । ଦିଲ୍ଲୀ କାର ବୋମା ବିସ୍ଫୋରଣରେ ବ୍ୟବହୃତ ଆଇ ୨୦ ଅମିର ତାଙ୍କର ଜଣେ ବନ୍ଧୁ ତାରିକ୍‌ଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି । ଜଣେ ଟିପ୍ପର ଡ୍ରାଇଭର ତାରିକଙ୍କୁ ମଧ୍ୟ ପୁଲିସ ତଦନ୍ତ ପାଇଁ ଉଠାଇ ନେଇଛି ।


ଡ.ଶାହିନ ଶାହିଦ ଜେଇଏମ ମହିଳା ଶାଖା ମୁଖ୍ୟ


        ଫରିଦାବାଦରେ ଆତଙ୍କବାଦୀ ମଡ୍ୟୁଲ୍‌ ମାମଲାରେ ଗିରଫ ହୋଇଥିବା ଡାକ୍ତର ଶାହିନ ଶାହିଦଙ୍କୁ ଭାରତରେ ମାସୁଦ ଆଝାରଙ୍କ ନେତୃତ୍ୱାଧୀନ ଜୈଶ-ଏ-ମହମ୍ମଦ (ଜେଇଏମ୍‌)ର ମହିଳା ଶାଖା ପ୍ରତିଷ୍ଠା ଓ ନେତୃତ୍ୱ ନେବା ପାଇଁ ନିଯୁକ୍ତ କରାଯାଇଥିଲା ବୋଲି ଏକ ସୂତ୍ରରୁ ଜଣାପଡିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଉତ୍ତରପ୍ରଦେଶ ଲକ୍ଷେ୍ନøର ଡାକ୍ତର ଶାହିନଙ୍କୁ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନର ମହିଳା ବ୍ରିଗେଡ୍‌ ‘ଜମାତ-ଉଲ-ମୋମିନିନ୍‌' ବ୍ୟାନର ତଳେ ମହିଳା ନିଯୁକ୍ତି ଓ ଅପରେସନ୍‌ ନେଟୱାର୍କ ଗଠନ କରିବାର ଦାୟିତ୍ୱ ଦିଆଯାଇଥିଲା । ସୂତ୍ର ଅନୁସାରେ ପାକିସ୍ତାନରେ ମହିଳା ଶାଖାର ମୁଖ୍ୟ ଜେଇଏମ୍‌ ପ୍ରତିଷ୍ଠାତା ମାସୁଦ ଆଝାରଙ୍କ ଭଉଣୀ ସାଦିଆ ଆଝାର ତାଙ୍କୁ ଏହି କାର୍ଯ୍ୟ ଦେଇପାରି ଥାନ୍ତି । ତଦନ୍ତକାରୀମାନେ ବିଶ୍ୱାସ କରନ୍ତି ଯେ ଡାକ୍ତର ଶାହିନ ସୀମାପାର ହ୍ୟାଣ୍ଡଲରମାନଙ୍କ ସହିତ ଯୋଗାଯୋଗରେ ଥିଲେ ଓ ଗୁପ୍ତ ସୋସିଆଲ ମିଡିଆ ଚ୍ୟାନେଲ ଓ ସ୍ଥାନୀୟ ସମର୍ଥକମାନଙ୍କ ମାଧ୍ୟମରେ ଜେଇଏମର ମୌଳବାଦୀ ନିଯୁକ୍ତିର ନେଟୱାର୍କ ବିସ୍ତାର କରିବାରେ କାମ କରୁଥିଲେ ।