ଡାକ୍ତରଙ୍କ ଉପରେ ଆକ୍ରମଣକୁ ତୀବ୍ର ନିନ୍ଦା : କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଭିନ୍ନ ସଂଗଠନ
ଖଇରା : ଖଇରା ଅଞ୍ଚଳର ସୁନାମଧନ୍ୟ ଶିଶୁ ରୋଗ ବିଶେଷଜ୍ଞ ଡା ବ୍ରଜ ସୁନ୍ଦର ସ୍ୱାଇଁଙ୍କୁ ୬ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ ଘଟଣା ଖଇରା ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଏ ସମ୍ପର୍କରେ ବିଭିନ୍ନ ସଂଗଠନ ପକ୍ଷରୁ ଏକ ମିଳିତ ବୈଠକ ଖଇରା ବ୍ଲକ ଛକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସଂଠନର କର୍ମକର୍ତ୍ତା ଯୋଗ ଦେଇ ଆକ୍ରମଣକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ଯଦି ପୁଲିସ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ବିଫଳ ହୁଏ, ତେବେ ସମସ୍ତ ସଂଗଠନ ଏସ୍ପିଙ୍କ ଅଫିସ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦିଆଯାଇଥିଲା । ଉକ୍ତ ବୈଠକରେ ବିଭିନ୍ନ ସଂଗଠନରୁ ମୁକ୍ତିକାନ୍ତ ଶତପଥୀ, ମାନସ କୁମାର ମହାପାତ୍ର, ଜଗତାନନ୍ଦ ମହାପାତ୍ର, ଉପେନ୍ଦ୍ର ଦାସ, ପ୍ରଶାନ୍ତ କୁମାର ବେହେରା, ଜନ୍ମେଜୟ ଶତପଥୀ, ପୂର୍ଣ୍ଣଚନ୍ଦ୍ର ମୁଖି, ଅନାମ ଚରଣ ପଣ୍ଡା, ଅରୁଣ କୁମାର ସ୍ୱାଇଁ, ଅଭିରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗତ ବୁଧବାର ସନ୍ଧ୍ୟାରେ ଡା ସ୍ୱାଇଁ ସୋର କ୍ଲିନକରୁ କାମ ସାରି ଖଇରା ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ କଟୁରୀରେ ଆକ୍ରମଣ କରିଥିଲେ । ତେବେ ୨୪ଘଣ୍ଟା ପରେ ମଧ୍ୟ ପୁଲିସର ହାତ ଖାଲିଥିବାରୁ ସମଗ୍ର ଖଇରା ଓ ସୋର ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି । ଡା ସ୍ୱାଇଁଙ୍କ ଘର ଖଇରା ଥାନା ବାଉଁଶଗଡିଆ ପଞ୍ଚାୟତ ଅଧିନ ବଗେଇପୁର ଗ୍ରାମରେ ।