ଡାଲିଜାତୀୟ ଫସଲରେ ଆତ୍ମନିର୍ଭର ହେବ ଓଡିଶା

ଡାଲିଜାତୀୟ ଫସଲରେ ଆତ୍ମନିର୍ଭର ହେବ ଓଡିଶା

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଲୁପ୍ତପ୍ରାୟ ଖାଦ୍ୟର ପୁନରୁଦ୍ଧାର ବିଷୟରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ହେବା ଆହ୍ୱାନରେ ଅନୁପ୍ରାଣିତ ହୋଇ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଓଡ଼ିଶା କ୍ଲଷ୍ଟର ପଦ୍ଧତି ମାଧ୍ୟମରେ ରାଜ୍ୟରେ ହରଡ଼, କଳା ଚଣା ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛି ।

     ଆଇସିଆରଆଇଏସଏଟି ଦ୍ୱାରା ବିକଶିତ ଆଇସିପିଭି ୨୫୪୪୪ ନାମକ ଏକ ହରଡ଼ ପ୍ରଜାତି, ଯାହା ସବୁ ଋତୁରେ ଚାଷ କରାଯାଇପାରିବ । ଏହା ୪୫ ଡିଗ୍ରିଂ ସେଲସିୟସ୍‌ ପର୍ଯ୍ୟନ୍ତ ତୀବ୍ର ଉତ୍ତାପ ସହନଶୀଳ ଏବଂ ୧୨୦ ଦିନ ସମୟ ମଧ୍ୟରେ ଉତ୍ପାଦନ କରାଯାଇପାରିବା ଭଳି ପ୍ରଜାତି ବିକଶିତ ହୋଇଛି । ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପରିପ୍ରେକ୍ଷୀରେ ଏହି କିସମ ଏକ ଯୁଗାନ୍ତକାରୀ ପରିବର୍ତ୍ତକ ହୋଇପାରିବ । ଉପମୁଖ୍ୟମନ୍ତ୍ରୀ ଉପରୋକ୍ତ ବିକଶିତ ହରଡ଼ କିସମ ସହିତ ଡଙ୍ଗରରାଣୀ ଓ କାନ୍ଦୁଲ ଭଳି ପାରମ୍ପରିକ କିସମ ମଧ୍ୟ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ଏବେ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍‌ ଦ୍ୱାରା ବିଲୁପ୍ତ ପ୍ରାୟ କିସମ ବର୍ଗରେ ଆସୁଛି । ଡାଲିରେ ଆତ୍ମନିର୍ଭର ଅଧୀନରେ ଓଡ଼ିଶା ଏକ "ବିହନ କେନ୍ଦ୍ର’ ହେବା ଉଚିତ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।