ତହସିଲ କି ଖଣି ବିଭାଗ ପାଖରେ ଖବର ନାହିଁ ; ରେଙ୍ଗାଲି କେନାଲରୁ ବହୁ କୋଟିର ମାଟି ଲୁଟ

କଳିଙ୍ଗନଗର : ନାଁ ତହସିଲରେ ଖବର ଅଛି, ନାଁ ଖଣି ବିଭାଗ ଅନୁମତି ଦେଇଛି । ହେଲେ ମାସାଧିକ ଭିତରେ ରେଙ୍ଗାଲି କେନାଲରୁ ଲୁଟେରା ଲୁଟି ନେଲେଣି ବହୁ କୋଟି ଟଙ୍କାର ମାଟି । ଲୁଟ ମାଟି ସଂପ୍ରସାରିତ ୫୩ନଂ ଜାତୀୟ ରାଜପଥରେ ବିନିଯୋଗ ହେଉଛି । ଲୁଟେରା ନିଜକୁ ମନ୍ତ୍ରୀଙ୍କ ପାଖଲୋକ ବୋଲି ପରିଚୟ ଦେଇ ବେଫିକର ମାଟି ଲୁଟି ଚାଲିଥିବା ବେଳେ ପୁଲିସ ପାଖ ମାଡ଼ୁନି । ଖବର ମତେ  ରେଙ୍ଗାଲି ବାମ କେନାଲ କାର୍ଯ୍ୟ ଚାଲୁଥିବା ବେଳେ ନଡିଆଭଙ୍ଗା ଠାରେ ରାଜ୍ୟ ବାହାର ଠିକାସଂସ୍ଥା ଆଇରନ୍‌ ଟ୍ରାଙ୍ଗେଲ୍‌-ବ୍ୟାକ୍‌ବୋନ୍‌ ଏଠାରେ ୧୦୦.୫୦୦ ଠାରୁ ୧୦୭.୫୦୦ କିମି ପର୍ଯ୍ୟନ୍ତ କେନାଲ ଖୋଳିବା କାର୍ଯ୍ୟ ହାତେଇଛି । ଏହି ୭କିମି କେନାଲ କାର୍ଯ୍ୟ ପାଇଁ ୨୭୫ କୋଟି ଟଙ୍କା ମଂଜୁରୀ ହୋଇଛି । ପାଖାପାଖି ୩ଶହ କୋଟି ଟଙ୍କାର କାର୍ଯ୍ୟ କରୁଥିବା ଠିକାସଂସ୍ଥା କୋନାଲ ଖୋଳିବା ସମୟରେ ପ୍ରଚୁର ପରିମାଣର କଟ୍‌ ସ୍ପଏଲ୍‌ କୁହାଯାଉଥିବା ମାଟି ଏବଂ ମୋରମ ବାହାରୁଛି । ଯାହାକୁ ସଂପୃକ୍ତ ଠିକାସଂସ୍ଥା ରେଙ୍ଗାଲି କେନାଲ ପାଇଁ ଅଧିଗୃହିତ ହୋଇଥିବା ସ୍ଥାନରେ ପାହାଡ ଉଚ୍ଚର ମାଟି ମହଜୁଦ ରଖିଛି । ଯେଉଁ ମାଟି ରାଜ୍ୟ ସରକାରଙ୍କ ସମ୍ପତି ହୋଇଥିବା ବେଳେ ତାହାକୁ କେବଳ ଖୋଲା ନିଲାମ କରାଯାଇ ବିକ୍ରି କରାଯିବାର ନିୟମ ରହିଛି । ଏଦାୟିତ୍ୱ ଏବର ଲଘୁ ଖଣିଜ ବିଭାଗର । ହେଲେ ରେଙ୍ଗାଲି କେନାଲରୁ ଲୁଟ ହୋଇଥିବା ମାଟିର ନିଲାମ ଖଣି ବିଭାଗ ପକ୍ଷରୁ କରାଯାଇନଥିବା ବିଭାଗୀୟ ଅଧିକାରୀ ଜୟ ପ୍ରକାଶ ନାୟକଙ୍କ ଠାରୁ ସୂଚନା ମିଳିଛି । କେବଳ ଏହା ନୁହେଁ ମାଟି ଲୁଟ ସଂପର୍କରେ ଦାନଗଦୀ ତହସିଲ ପାଖରେ କୈାଣସି ଖବର ନଥିବା ଖୋଦ ତହସିଲଦାର ରଞ୍ଜିତ୍‌ ମଲ୍ଲିକ୍‌ ପ୍ରକାଶ କରିଛନ୍ତି । ବର୍ଷାଧିକ କାଳ ଧରି ମହଜୁଦ ହୋଇରହିଥିବା ମାଟିକୁ ଲୁଟିବାକୁ ନିଜକୁ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ପାଖଲୋକ ବୋଲି ପରିଚୟ ଦେଇ ନଡ଼ିଆଭଙ୍ଗାର ଜଣେ ନେତା ମାସେ ହେବ ବଡବଡ ହାଇୱାରେ ମାଟି ଗୁଡିକୁ ବୋହି ନେଇ ରାଜପଥରେ ଢାଳୁଥିବାର ଦେଖିବାକୁ ମିଳୁଛି । ନଡିଆଭଙ୍ଗା ମୈାଜାରୁ ମାସେ ଭିତରେ ପ୍ରାୟ ୩/୪ରୁ ଉର୍ଦ୍ଧ କୋଟି ଟଙ୍କାର ଲୁଟ ହୋଇ ସାରିଲାଣି ବୋଲି ଅନୁମାନ କରାଯାଉଛି । ଏନେଇ କେନାଲ ନିର୍ମାଣ କରୁଥିବା ଠିକାସଂସ୍ଥାର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ମନୋଜ ସାହୁଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରେ କହିଥିଲେ କି  ଜଣେ ବିଜେପି ନେତା ଟେଣ୍ଡର ପାଇ ମାଟି ନେଉଛନ୍ତି । ହେଲେ ଖଣି ବିଭାଗ ଅଧିକାରୀ କହୁଛନ୍ତି କାହାରିକୁ ନିଲାମ ନିଆଯାଇନି । ଆମକୁ ଅଭିଯୋଗ ମିଳିଛି, ତଦନ୍ତ ପରେ ଆଇନମତେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଣି ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।