ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ଆକ୍ରମଣ : ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ ସହ ନିନ୍ଦା
ତଦନ୍ତ ପାଇଁ ଗଲେ ଅଧିକାରୀ
ଭୁବନେଶ୍ୱର : ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିନ୍ଦା କରିଛନ୍ତି । ଏହି ଘଟଣା ଉପରେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ପାଇଁ ସରକାର ତାମିଲନାଡୁକୁ ଜଣେ ଅଧିକାରୀଙ୍କୁ ଆଜି ପଠାଇଛନ୍ତି । ଘଟଣାର ନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ତାମିଲନାଡୁ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି । ପୀଡିତଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା, ସହାୟତା ପାଇବା ଓ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ।
ଓଡିଆ ଲୋକଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ରାଜ୍ୟ ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ରହିଛି ବୋଲି ସେ କହିଛନ୍ତି। ରାଜ୍ୟ ବାହାରେ କାମ କରୁଥିବା ପ୍ରତ୍ୟେକ ଓଡ଼ିଆ ଭାଇଭଉଣୀଙ୍କ ସୁରକ୍ଷା ଓ ଆତ୍ମସମ୍ମାନ ଆମ ପାଇଁ ସର୍ବୋପରି। ଆମର ସରକାର ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସମୟରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି ଯେ ତାମିଲନାଡୁକୁ ପଠାଯାଇଥିବା ଓଡ଼ିଶା ଅଧିକାରୀ ତଦନ୍ତ କରିବେ ଓ ରାଜ୍ୟ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବେ । ସେ କହିଛନ୍ତି ଯେ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାମିଲନାଡୁ ସରକାରଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଗତ୨୭ ତାରିଖରେ ତାମିଲନାଡୁର ତିରୁତ୍ତନୀରେ ରେଳବାଇ କ୍ୱାର୍ଟର୍ସ ନିକଟରେ ଏହି ଘଟଣା ଘଟିଥିଲା । ତିନି ଜଣ ନାବାଳକ ଜଣେ ଓଡ଼ିଆ ଯୁବକଙ୍କୁ ନିର୍ମମ ଭାବରେ ଆକ୍ରମଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଯୁବକ ଜଣକ ଏକ ଲୋକାଲ ଟ୍ରେନରେ ଚେନ୍ନାଇରୁ ତିରୁତ୍ତନୀ ଯାତ୍ରା କରୁଥିବା ସମୟରେ ସୋସିଆଲ ମିଡିଆ ରିଲ୍ ତିଆରି କରିବାକୁ ନେଇ ଚାରି ଜଣ ନିଶାଗ୍ରସ୍ତ ନାବାଳକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଟ୍ରେନଟି ତିରୁତ୍ତନୀରେ ପହଞ୍ଚିବା ପରେ ନାବାଳକମାନେ ଓଡ଼ିଆ ଯୁବକଙ୍କୁ ବାହାରକୁ ଟାଣି ଆଣି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାମିଲନାଡୁ ପୁଲିସ ଚାରି ଜଣ ନାବାଳକଙ୍କୁ ଅଟକ ରଖିଛି । ସେମାନେ ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ନାବାଳକମାନଙ୍କୁ ପଚରାଉଚରା କରୁଛନ୍ତି ।
Samir Kumar Rout