ସେପ୍ଟେମ୍ବରରେ ଟ୍ରମ୍ପଙ୍କୁ ଭେଟିବେ ମୋଦି


 ନୂଆଦିଲ୍ଲୀ: ଶୁଳ୍କ ଯୁଦ୍ଧ ମଧ୍ୟରେ ଆସନ୍ତା ମାସରେ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁଳ୍କ ବୃଦ୍ଧିକୁ ନେଇ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତକୁ ନେଇ ଜୋର ଧରିଛି ଚର୍ଚ୍ଚା ।  ମିଳିତ ଜାତିସଂଘର ଏକ ସଭାରେ ଯୋଗ ଦେବାକୁ ଆମେରିକା ଗସ୍ତ କରିବେ ମୋଦି । ଶୁଳ୍କ ବିବାଦ ଭିତରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ମୋଦି । ଦୁଇ ନେତାଙ୍କ ମଧ୍ୟରେ ଶୁଳ୍କ ସମେତ ଅଟକିଥିବା ଟ୍ରେଡ୍ ଡିଲ୍ ବାବଦରେ ଆଲୋଚନା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୩ରୁ ୨୭ ଯାଏ ନୁ୍ୟୟର୍କରେ ୟୁଏନ୍ଜିଏର ଗୁରୁତ୍ୱପର୍ଣ୍ଣ ବୈଠକ ବସୁଛି । ସେପ୍ଟେମ୍ବର ୯ ରେ ଆରମ୍ଭ ହେବ ୟୁଏନଜିଏର ୮୦ତମ ଅଧିବେଶନ । ପ୍ରଧାନମନ୍ତ୍ରୀ ଏହି ସାଧାରଣ ସଭାରେ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିପାରନ୍ତି । ଉଚ୍ଚÿସ୍ତରୀୟ ଜେନେରାଲ ବିତର୍କ ସେପ୍ଟେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ବ୍ରାଜିଲ ଅଧିବେଶନର ପ୍ରଥମ ବକ୍ତା ହେବ । ଏହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୩ରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହା ଟ୍ରମ୍ପଙ୍କ ଦ୍ୱିତୀୟଥର ରାଷ୍ଟ୍ରପତି ହେବା ପରେ ପ୍ରଥମ ଅଭିଭାଷଣ ହେବ । ଭାରତ ସହିତ ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ସରକାର ପ୍ରମୁଖମାନେ ସେପ୍ଟେମ୍ବର ୨୬ରେ ଜାତିସଂଘ ସାଧାରଣ ସଭାର ସାଧାରଣ ବିତର୍କକୁ ସମ୍ବୋଧିତ କରିବେ ।  ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ରୁଷିଆରୁ ତୈଳ କ୍ରୟ ଜାରି ରଖିବା ଆମେରିକା ପାଇଁ ବହୁତ ଚିନ୍ତାର ବିଷୟ ହୋଇଛି । ହ୍ୱାଇଟ୍ ହାଉସ୍ ବିଶ୍ୱାସ କରେ ଯେ ଏହି ରାଜସ୍ୱ ମସ୍କୋର ଯୁଦ୍ଧ ପ୍ରୟାସକୁ ଜାରି ରଖିଛି । ଟ୍ରମ୍ପ ଏହି ପ୍ରସଙ୍ଗରେ ଭାରତକୁ ସମାଲୋଚନା କରିଛନ୍ତି । ଆମଦାନୀ ହ୍ରାସ କରିବା ପାଇଁ ଚାପ ବୃଦ୍ଧି କରିଛନ୍ତି ।  ଆଶା କରୁଛି ଯେ ଆର୍ଥିକ ଚାପ ରୁଷକୁ ଯୁଦ୍ଧ ସମାପ୍ତ କରିବାକୁ ବାଧ୍ୟ କରିବ । ଭାରତ ଏହାର ଜବାବରେ ଆମେରିକାକୁ କପଟୀ ବୋଲି କହିଛି । କହିଛି ଯେ ଆମେରିକୀୟ କମ୍ପାନୀଗୁଡ଼ିକ ନିଜେ ରୁଷଠାରୁ ୟୁରାନିୟମ, ରାସାୟନିକ ଏବଂ ସାର କିଣୁଛନ୍ତି । ଏହି ବିବୃତ୍ତି କୂଟନୈତିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି । ଭାରତ ଅଗଷ୍ଟ ୧୫ରେ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହି ବୈଠକ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାର ସମ୍ଭାବ୍ୟ ଉପାୟ ବିଷୟରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ହେବ ।