ମଦୁଆ ଡ୍ରାଇଭର ସାବଧାନ
-
ନଜର ରଖିବ ଏନଫୋର୍ସମେଣ୍ଟ ଟିମ୍
-
ପ୍ରମୁଖ ବଣଭୋଜି ସ୍ଥଳୀରେ ଯାଞ୍ଚ
ଭୁବନେଶ୍ୱର : ପିକନିକ୍ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ପିକନିକ୍ ଋତୁରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକାର କଠୋର ଅନୁପାଳନ କରାଯିବ । ସମସ୍ତ ଆରଟିଓ ଏବଂ ଏଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ମୁଖ୍ୟତଃ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ମଦପିଇ ଗାଡ଼ି ଚଳାଇବା ଏବଂ ଦ୍ରୁତଗତିରେ ଗାଡ଼ି ଚଳାଇବା ଯୋଗୁଁ ପିକନିକ୍ ସ୍ପଟରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଯେଉଁଥିପାଇଁ ପର୍ଯ୍ୟଟକ ଗାଡ଼ି ଡ୍ରାଇଭରଙ୍କ ବ୍ରେଥ୍ ଆନାଲାଇଜରରେ ଟେଷ୍ଟ ହେବା ସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।
ଏଥିସହ ଏହି ମାର୍ଗଦର୍ଶିକାରେ ସଡ଼କ ସୁରକ୍ଷାର ଚାରିଟି ‘ଇ’ ଯଥା-ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ହେବ ଯେଉଁଥିରେ ଏସପି, ଆରଟିଓ, ସିଡିଏମଓଙ୍କର ମଧ୍ୟ ଭାଗିଦାରିତା ରହିବ। ବଣଭୋଜିର ଖୁସି ଯେମିତି ସଡ଼କ ଦୁର୍ଘଟଣା ଦୁଃଖରେ ପରିଣତ ନହେବ ସେନେଇ ଉଦ୍ୟମ କରାଯିବ। ଯେଉଁମାନେ ପିକନିକ୍ ପାଇଁ ବାହାରିଛନ୍ତି ସେମାନେ ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ କରନ୍ତୁ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରମୁଖ ବଣଭୋଜି ସ୍ଥଳରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଦଳ ମୁତୟନ କରାଯିବ । ଏଣୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ । ବେପରୁଆ ଗାଡ଼ି ଚାଳନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଭରଲୋଡିଂ, ଗାଡ଼ିରେ ଅସୁରକ୍ଷିତ ପରିବହନ, ଯାନର ବେଆଇନ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ ଏବଂ ପରିବହନ ବିଭାଗ ମିଳିତ ଭାବେ ଚେକିଂ ଉପରେ ଗୁରୁତ୍ୱ ଦେବେ । ପିକ୍ନିକ/ତୀର୍ଥଯାତ୍ରା ପାଇଁ ବାହାରୁଥିବା ଗାଡ଼ିଗୁଡିକ ଆରଟିଓଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ । ଅଧିକ ଭିଡ଼ ଥିବା ସ୍ଥାନରେ ଏମରଜେନ୍ସି କେୟାର ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ଗୋଲଡେନ ଆୱାରରେ ଚିକିତ୍ସା ଉପରେ ଗରୁତ୍ୱ ଦିଆଯିବ । ସ୍କୁଲ୍ ଏବଂ କଲେଜ ଛାତ୍ରଛାତ୍ରୀ ପିକନିକ୍ ଯିବା ପୂର୍ବରୁ ଶିକ୍ଷାନୁଷ୍ଠାନ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବେ । ପିକନିକ୍ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲର ଶିକ୍ଷକ ଏବଂ କଲେଜ ଅଧ୍ୟାପକ ମଧ୍ୟ ରହିବେ । ପର୍ଯ୍ୟଟନ ବିଭାଗ ପାର୍କିଂ, ସାଇନେଜ୍ ଓ ଯାତ୍ରୀ ସଂଖ୍ୟା ରେକର୍ଡ ରଖିବେ। ରାସ୍ତା ନିର୍ମାଣକାରୀ ସଂସ୍ଥା ଆବଶ୍ୟକୀୟ ରାସ୍ତା ମରାମତି କରିବେ । ସାଇନେଜ୍, ହାଜାର୍ଡ ମାର୍କର୍ ଓ ବାରିକେଡ୍ ସୁଧାର କରିବେ। ଏହି ସମୟରେ ଦ୍ରୁତଗତି, ଓଭରଲୋଡିଂ, ହେଲମେଟ୍, ସିଟ୍ ବେଲ୍ଟ୍ ପିନ୍ଧିବା ଏବଂ ପଦଚାରୀଙ୍କ ସୁରକ୍ଷା ଉପରେ ମଧ୍ୟ ସଚେତନତା କରାଯିବ । ସେହିଭଳି କୁହୁଡ଼ିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସଚେତନତା ଗ୍ରହଣ କରାଯିବ ।
Samir Kumar Rout