ତାମିଲନାଡୁ ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅସମ୍ମାନ

ତାମିଲନାଡୁ ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅସମ୍ମାନ

ଗୃହ ଛାଡ଼ି ପଳାଇଲେ ରାଜ୍ୟପାଳ

ଚେନ୍ନାଇ : ତାଲମିଲନାଡୁ ବିଧାନସଭାରେ ଦେଖିବାକୁ ମଳିଛି ଅଭାବନୀୟ ଘଟଣା । ଜାତୀୟ ସଂଗୀତକୁ ଅସମ୍ମାନିତ କରାଯାଇଥିବା ଅଭିଯୋଗରେ ରାଜ୍ୟପାଳ ଆରଏନ ରବି ବିଧାନସଭା ଅଧିବେଶନର ଅଧାରୁ ବାହାରକୁ ଚାଲି ଆସିଲେ । ସେ ଏକ ନୂତନ ବିବାଦରେ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣ ପଢିବାକୁ ମନା କରି ଦେଇଥିଲେ । ପରେ ଲୋକଭବନ ପକ୍ଷରୁ ରାଜ୍ୟପାଳ କାହିଁକି ବିଧାନସଭା ଅଧାରୁ ଛାଡି ଚାଲି ଆସିଲେ ସେନେଇ ୧୩-ସୂତ୍ର କାରଣ ପ୍ରଦାନ କରାଯାଇଛି । ଜାତୀୟ ସଙ୍ଗୀତକୁ ଅପମାନିତ କରାଯାଇଥିଲା, ଓ ଅଭିଯୋଗ କରାଯାଇଥିଲା ଯେ ଭାଷଣରେ ବିଭିନ୍ନ "ଅସତ୍ୟ’ ଓ "ଅପ୍ରମାଣିତ ଦାବି’ ଥିଲା ।


 ଷ୍ଟାଲିନ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଭାଷଣରେ ଅନେକ ଅସମର୍ଥିତ ଦାବି ଓ ଭ୍ରମାତ୍ମକ ବିବୃତ୍ତି ରହିଛି । ଲୋକଙ୍କୁ ଅସୁବିଧାରେ ପକାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଣଦେଖା କରାଯାଇଛି ବୋଲି ବିବୃତ୍ତିରେ ଲେଖାଯାଇଛି । ପୁଣି ଥରେ ଜାତୀୟ ସଙ୍ଗୀତକୁ ଅପମାନିତ କରାଯାଇଛି ଓ ମୌଳିକ ସାମ୍ବିଧାନିକ କର୍ତ୍ତବ୍ୟକୁ ଅଣଦେଖା କରାଯାଇଛି । ରାଜ୍ୟ ବିଧାନସଭା ଅଧିବେଶନ ଜାତୀୟ ସଂଗୀତ ଗାନ ପରିବର୍ତ୍ତେ ତାମିଲ ଗୀତ ସହିତ ଆରମ୍ଭ ହୋଇଥିଲା । ଯାହାକୁ ରାଜ୍ୟପାଳ ବିରୋଧ କରିଥିଲେ । ଲୋକଭବନ ବିବୃତ୍ତିରେ ଅଭିଯୋଗ କରାଯାଇଛି ଯେ ଡିଏମକେ ସରକାରଙ୍କ ଦାବି ଯେ ତାମିଲନାଡୁ ୧୨ କୋଟି ଟଙ୍କାରୁ ଅଧିକ ବିପୁଳ ନିବେଶ ଆକର୍ଷିତ କରିଛି ତାହା "ସତ୍ୟଠାରୁ ବହୁ ଦୂରରେ’ ଓ ସମ୍ଭାବ୍ୟ ନିବେଶକଙ୍କ ସହିତ ହୋଇଥିବା ଅନେକ ଚୁକ୍ତି କେବଳ କାଗଜପତ୍ରରେ ରହିଛି । ପ୍ରକୃତ ନିବେଶ ଏହାର ଏକ ଅଂଶ ନୁହେଁ । ନିବେଶ ତଥ୍ୟ ଦର୍ଶାଉଛି ଯେ ତାମିଲନାଡୁ ନିବେଶକଙ୍କ ପାଇଁ କମ୍‌ ଆକର୍ଷଣୀୟ ହେଉଛି । ଚାରି ବର୍ଷ ପୂର୍ବେ ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁ ପ୍ରତ୍ୟକ୍ଷ ବିଦେଶୀ ନିବେଶର ଚତୁର୍ଥ ସର୍ବାଧିକ ପ୍ରାପ୍ତକର୍ତ୍ତା ଥିଲା । ଆଜି ଏହା ଷଷ୍ଠ ସ୍ଥାନରେ ରହିବା ପାଇଁ ସଂଘର୍ଷ କରୁଛି ବୋଲି ଏଥିରେ ଲେଖାଯାଇଛି । ବିବୃତ୍ତିରେ ଆହୁରି ଅଭିଯୋଗ କରାଯାଇଛି ଯେ ମାମଲାଗୁଡ଼ିକରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ସତ୍ତେ୍ୱ ମହିଳା ସୁରକ୍ଷା ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ୫୫ ପ୍ରତିଶତରୁ ଅଧିକ ପୋକ୍‌ସୋ ବଳାତ୍କାର ଓ ୩୩ ପ୍ରତିଶତରୁ ଅଧିକ ମହିଳା ନିର୍ଯାତନା । ଦଳିତଙ୍କ ବିରୁଦ୍ଧରେ ଅତ୍ୟାଚାର ଓ ଦଳିତ ମହିଳାଙ୍କ ବିରୁଦ୍ଧରେ ଯୌନ ହିଂସା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତଥାପି ଏହାକୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରାଯାଇଛି ବୋଲି ଲୋକଭବନ ବିବୃତ୍ତିରେ ଲେଖାଯାଇଛି ।


  ସେହିପରି ଶିକ୍ଷାର ମାନରେ ନିରନ୍ତର ହ୍ରାସ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ କୁପରିଚାଳନା ଆମ ଯୁବପିଢ଼ିଙ୍କ ଭବିଷ୍ୟତକୁ ପ୍ରତିକୂଳ ଭାବରେ ପ୍ରଭାବିତ କରୁଛି । ୫୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ବୋଲି କୁହାଯାଇଛି । ରାଜ୍ୟପାଳଙ୍କ କାର୍ଯ୍ୟକୁ ଏମକେ ଷ୍ଟାଲିନ୍‌ ତୁରନ୍ତ ନିନ୍ଦା କରି କହିଥିଲେ ଯେ ତାଙ୍କ ଦ୍ୱାରା ଏପରି ଆଚରଣ ଗ୍ରହଣୀୟ ନୁହେଁ । ରାଜ୍ୟପାଳ ପରମ୍ପରା ଓ ନୀତିର ଉଲ୍ଲଂଘନ କରି ଗୃହତ୍ୟାଗ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅଭିଭାଷଣରେ ରାଜ୍ୟପାଳଙ୍କ ମତାମତ ଅନ୍ତର୍ଭୁକ୍ତ କରିବା କିମ୍ବା ଅନ୍ୟ କିଛି କହିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟପାଳ ସରକାରଙ୍କ କାର୍ଯ୍ୟକୁ ସମର୍ଥନ କରିବା ଉଚିତ, କିନ୍ତୁ (ଆରଏନ ରବି) ଏହା ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି । ଷ୍ଟାଲିନ୍‌ ଆରଏନ ରବିଙ୍କୁ ଜାଣିଶୁଣି ଏପରି କାର୍ଯ୍ୟ କରିବାର ଅଭିଯୋଗ କରିଛନ୍ତି । କହିଛନ୍ତି ଯେ ତାଙ୍କ କାର୍ଯ୍ୟ ସଦନକୁ ଅପମାନ କରିବା ସହିତ ସମାନ ।