ତାଳଦଣ୍ଡା କେନାଲ୍ର ସୌନ୍ଦର୍ଯ୍ୟକରଣ
କଟକ ଯୋବ୍ରା ଠାରୁ ମହାନଦୀର ତାଳଦଣ୍ଡା କେନାଲ୍ ଖୋଳାଯାଇଛି । ୧୮୬୬ ନଅଙ୍କ ଦୁର୍ଭିକ୍ଷ ପରେ ୧୮୬୯ ମସିହାରେ ଏହି କେନାଲ୍ ଖୋଳି ନଦୀ ପାଣିକୁ କୃଷିକ୍ଷେତ୍ରରେ ଜଳସେଚନ ଭାବରେ ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧିର ଉଦ୍ୟମ ହୋଇଥିଲା । ତେବେ ୧୮୬୨ ମସିହାରେ ଏହି କେନାଲ୍ ଖୋଳା ଆରମ୍ଭ ହୋଇଥିବା ବେଳେ ୧୮୬୯ରେ ଶେଷ ହୋଇଥିଲା । ୧୮୬୬ର ନଅଙ୍କ ଦୁର୍ଭିକ୍ଷ ଏହି କେନାଲ ଖୋଳା ଆରମ୍ଭ ଏବଂ ଶେଷ ମଧ୍ୟବର୍ତ୍ତୀ ଏକ ଘଟଣା କେବଳ ଏକ ସଂଯୋଗ ମାତ୍ର । ତେବେ ଯାହାବି ହେଉ, ସ୍ୱାଧୀନତା ପରବର୍ତ୍ତୀ ସମୟରେ ତାଳଦଣ୍ଡା କେନାଲ୍ ଖୋଳାଯାଇ ସେତେବେଳର କଟକ ଜିଲ୍ଲାର ମହାନଦୀ ବେସିନ୍ରେ ଏବଂ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଜଳସେଚନ ବ୍ୟବସ୍ଥା କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ମହାନଦୀର ଶାଖାନଦୀ ଗୁଡ଼ିକ ଜାଲ ଭଳି ବିଛେଇ ହୋଇଥିଲେ ମଧ୍ୟ ଏହା କୌଣସି ନଦୀରେ ନପଡ଼ି ସମୁଦ୍ର ପର୍ଯ୍ୟନ୍ତ ଯାଇଛି । କଟକ ମହାନଗରର ଜନସଂଖ୍ୟା ବୃଦ୍ଧି ପରେ ତାଳଦଣ୍ଡା କେନାଲ୍ର ଆରମ୍ଭ ସ୍ଥଳରୁ ହିଁ ପ୍ରଦୂଷଣ ଆରମ୍ଭ ହୋଇଗଲା । ସମୟକ୍ରମେ ଏହା ଏଭଳି ଦୂଷିତ ହେଲା ଯେ ସେଥିରେ ଗାଧୁଆପାଧୁଆ କରିବା ପାଇଁ ମଧ୍ୟ ଲୋକେ ଆଉ ଚାହିଁଲେ ନାହିଁ । ତେବେ ଏହି ୪/୫ ବର୍ଷ ଭିତରେ ତାଳଦଣ୍ଡା କେନାଲ୍ର ସୌନ୍ଦର୍ଯ୍ୟକରଣ ଏବଂ ପରିଷ୍କୃତି କାର୍ଯ୍ୟ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଏହି କେନାଲ୍କୁ କୌଣସି ପ୍ରକାରର ଅପରିଷ୍କାର କରାଯିବା କାର୍ଯ୍ୟକୁ ଏକ ଧର୍ତ୍ତବ୍ୟ ଅପରାଧ ଭାବରେ ଘୋଷଣା କରାଯାଇ ଏହାର ଦୁଇପଟେ ତାର ଜାଲିର ବାଡ଼ ଦିଆଯାଇଛି । ଏହା ସତ୍ତ୍ୱେ ଏହି କେନାଲ୍ ପାଣିରେ ଗାଡ଼ି ଧୋଇବା ଭଳି କାର୍ଯ୍ୟ ଏବଂ ଅପବ୍ୟବହାର କରାଯାଉଥିବା ଦେଖାଯାଉଛି । କଟକର କେନାଲ୍ର ଦୁଇପାଖରେ ଥିବା ରାସ୍ତାକୁ ସମ୍ପ୍ରସାରଣ କରାଯିବା ସହ କେନାଲ୍ର ଭିତର ପଟେ ସିନ୍ଥେଟିକ୍ କାନ୍ଥ ଦିଆଯାଇଛି । ପର୍ଯ୍ୟଟନ ବିଭାଗ ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରୁ ଏହି କେନାଲ୍ର ସୌନ୍ଦର୍ଯ୍ୟକରଣରେ ବିପୁଳ ଅର୍ଥ ଖର୍ଚ୍ଚ କରିଛି । ଏଭଳି ଏକ ଆଧୁନିକ ଦୃଷ୍ଟିଭଙ୍ଗୀସମ୍ପନ୍ନ କାର୍ଯ୍ୟକ୍ରମ ସରକାର ହାତକୁ ନେଇଥିବା ବେଳେ କେନାଲ୍ ଦୁଇକୂଳରେ ଥିବା ବାସିନ୍ଦାମାନେ ଏହାକୁ ଅପରିଷ୍କାର କରିବାରେ ଲାଗି ପଡ଼ିଲେଣି । ଏହାର ମୁଖ୍ୟ କାରଣ ହେଲା ସେମାନଙ୍କର ଦୈନନ୍ଦିନ ଜଳ ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ତାଳଦଣ୍ଡା କେନାଲ୍ର ଉପଯୋଗ ଦୁଇ କଡ଼ରେ ତାର ବାଡ଼ ଦିଆଯିବା ପରେ ଆଉ ମିଳୁନାହିଁ । ତେଣୁ ସେମାନେ ବାଧ୍ୟ ହୋଇ ଗାଡ଼ି ଧୁଆ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘରୋଇ କାର୍ଯ୍ୟ ଏହି କେନାଲ୍ ଜଳରେ ହିଁ କରୁଛନ୍ତି । ଏହି କେନାଲଟି ମୁଖ୍ୟତଃ ଚାଷ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ବର୍ତ୍ତମାନ ଏହାର ଜଳକୁ ବୋଟିଂ ଭଳି ଅନ୍ୟ କେତୋଟି ଉଦେ୍ଦଶ୍ୟରେ ବିନିଯୋଗ କରାଯିବା ନିମିତ୍ତ ସରକାର ଲକ୍ଷ୍ୟ ରଖିଛନ୍ତି । କେନାଲ୍ଟିର ନବୀକରଣ ସମୟରେ ସ୍ଥାନୀୟ ଲୋକଙ୍କର ଆବଶ୍ୟକତା ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ୍ ଥିଲା । ବର୍ତ୍ତମାନ ମଧ୍ୟ ସମୟ ଅଛି ସ୍ଥାନୀୟ ଲୋକଙ୍କର ବ୍ୟବହାର ପାଇଁ ବିଭିନ୍ନ ସ୍ଥାନରେ ଏହାର ଜଳକୁ କିଭଳି ବ୍ୟବହାର କରାଯିବ ଏବଂ ବ୍ୟବହାର ହୋଇ ସାରିଥିବା ଜଳ କିଭଳି ଭାବରେ ପରିଚାଳନା କରାଯିବ ସେ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକତା ପଡ଼ିଲାଣି ।
ସ୍ଥାନୀୟ ଲୋକମାନଙ୍କର ଆବଶ୍ୟକତା ଏବଂ ଜୀବନଜୀବିକାକୁ ଅଣଦେଖା କରି କୌଣସି ବି ଯୋଜନା ସଫଳ କରାଯାଇପାରିବ ନାହିଁ । ବର୍ତ୍ତମାନ ତାଳଦଣ୍ଡା କେନାଲ୍ ଜଳର ବ୍ୟବହାର କଟକ ଜିଲ୍ଲାର ସଦର ବ୍ଲକ୍ ସମେତ ଜଗତସିଂହପୁର ଜିଲ୍ଲାକୁ ମିଶାଇ ମୋଟ୍ ୬ଟି ଜିଲ୍ଲାକୁ ଜଳସେଚିତ କରୁଛି । ୮୩ କିଲୋମିଟର ଲମ୍ବା ଏହି କେନାଲ୍ର ଜଳର ସୁରକ୍ଷା ଦିଗରେ ସ୍ଥାନୀୟ ବାସିନ୍ଦାମାନେ ସହଯୋଗ କଲେ ଏହା ସେମାନଙ୍କର ଆର୍ଥôକ ବିକାଶ ସହିତ ସାମଗ୍ରିକ ଭାବରେ ଜଳବାୟୁ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ ।