ଚୌଦ୍ୱାରରୁ ଚମ୍ପଟ, ମଥୁରାରୁ ଗିରଫ
ଟାଙ୍ଗି-ଚୌଦ୍ୱାର : ଚୌଦ୍ୱାର ସ୍ଥିତ ରାଜ୍ୟର ସର୍ବବୃହତ ମଣ୍ଡଳ କାରାଗାରରୁ ଫେରାର ୨ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କ ମଧ୍ୟରୁ ଜଣକୁ କମିଶନରେଟ ପୁଲିସ ଉତ୍ତରପ୍ରଦେଶର ବୃନ୍ଦାବନରୁ ଗିରଫ କରିଛି । ବୃନ୍ଦାବନର ମଥୁରାରୁ ଅଭିଯୁକ୍ତ ମଧୁକାନ୍ତକୁ ଗିରଫ କରିବାରେ କମିଶନରେଟ ପୁଲିସ ସଫଳ ହୋଇଛି । ସେଠାରେ ଏକ ଗେଷ୍ଟ ହାଉସରେ ନାଁ ବଦଳାଇ ମଧୁକାନ୍ତ କାମ କରୁଥିଲା । ଶନିବାର ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଏସ ଦେବଦତ୍ତ ସିଂହ ଏହି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟଜଣେ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି ।
ପୁଲିସ ସୂଚନା ମୁତାବକ, ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତ୍ରିରେ ଚୌଦ୍ୱାର ସର୍କଲ ଜେଲରୁ ୨ କଏଦୀ ଅଭିଯୁକ୍ତ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର ହୋଇଯାଇଥିଲେ । ଲୁହା ରଡ଼, କମ୍ବଳ ଓ ରଶି ବ୍ୟବହାର କରି ଉଭୟ ଅନ୍ଧକାରର ସୁଯୋଗ ନେଇ ପାଚେରୀ କାନ୍ଥ ଡେଇଁ କେଉଁଆଡେ଼ ପଳାଇ ଯାଇଥିଲେ । ଏ ସଂପର୍କରେ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ମଧୁକାନ୍ତ ଓ ତା’ ସହଯୋଗୀକୁ ଧରାଇଦେଲେ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାପରେ କମିଶନରେଟ ପୁଲିସର ଏକ ୨୬ ଜଣିଆ ସ୍ୱତନ୍ତ୍ର ଅଣ୍ଡର କଭର ଟିମ ଗଠନ କରାଯାଇ ଭାରତର ବିଭିନ୍ନ ରାଜ୍ୟରେ ସେମାନଙ୍କୁ ଖୋଜାଖୋଜି କରାଯାଇଥିଲା । ମଧୁକାନ୍ତ ଓ ରାଜା ଆନ୍ତଃରାଜ୍ୟ ଡକାୟତି ଟିମର ସଦସ୍ୟ ଥିଲେ ବୋଲି ପୁଲିସ କମିଶନର ସୂଚନା ଦେଇଛି ।
ଚୌଦ୍ୱାର ଜେଲରୁ ଫେରାର ହେବା ପରେ ଉଭୟ ଅଭିଯୁକ୍ତ ଟ୍ରେନ ଯୋଗେ ପୁରୀ ଅଭିମୁଖେ ପଳାଇଥିଲେ । ଗୋଟିଏ ଦିନ ପରେ ସେମାନେ ପୁଣି ଟ୍ରେନ ଯୋଗେ ବିହାର ପଳାଇ ଯାଇଥିଲେ ବୋଲି ସିପି ଶ୍ରୀ ସିଂହ ସୂଚନା ଦେଇଛନ୍ତି । ଏହାପରେ ୨ ଅଭିଯୁକ୍ତ ଅଲଗା ଅଲଗା ହୋଇଯାଇଥିଲେ । ପୁଲିସ ବିଭିନ୍ନ ଉତ୍ସ ଓ ଅଭିଯୁକ୍ତଙ୍କ ପରିବାରବର୍ଗଙ୍କ ଠାରୁ ପଚରା ଉଚରା କରି ସେମାନଙ୍କୁ ଧରିବା ପାଇଁ ଭାରତର ବିଭିନ୍ନ ଦ୍ଭ ରାଜ୍ୟରେ ଛାନଭିନ ଜାରି ରଖିଥିଲେ । କମିଶନରେଟ ପୁଲିସର ସ୍ୱତନ୍ତ୍ର ଗୁପ୍ତ ଟିମ ସେମାନଙ୍କୁ ପାଟନା, ନୋଏଡ଼ା ଓ ନାଗାଲାଣ୍ଡରେ ଖୋଜାଖୋଜି କରିଥିଲେ । ଫେରାର ଅଭିଯୁକ୍ତ ମଧୁକାନ୍ତ ବୃନ୍ଦାବନରେ ଏକ ଗେଷ୍ଟ ହାଉସରେ କାମ କରୁଥିଲା । ମଧୁକାନ୍ତ ନିଜ ନାଁ ଓ ବେଶ ବଦଳାଇ ବାସୁ ପାଣ୍ଡେ ନାଁରେ ସେଠାରେ କାମ କରୁଥିଲା ବୋଲି ପୁଲିସ ସୂଚନା ଦେଇଛି । କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମ ଅଭିଯୁକ୍ତ ମଧୁକାନ୍ତ କୁମାର ରାଣା ଓରଫ ମଧୁକାନ୍ତ ସିଂହଙ୍କୁ ୧୩ ଫେବୃଆରୀ ୨୦୨୬ରେ ଉତ୍ତରପ୍ରଦେଶ ବୃନ୍ଦାବନର ଏକ ଅତିଥି ଗୃହରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ମଧୁକାନ୍ତ (୨୪)ର ଘର ବିହାର ରାଜ୍ୟ ସରଣ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଅଭିଯୁକ୍ତ ରାଜ ସାହାଣୀକୁ ଶିଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଘଟଣାର ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ, ୨୦୨୫ ଜାନୁଆରୀ ୪ ତାରିଖରେ ଯାଜପୁର ଜିଲ୍ଲା ପାଣିକୋଇଲିଠାରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟପାଟ ପାଇଁ ଅଭିଯୁକ୍ତମାନେ ୨ ଜଣକୁ ହତ୍ୟା କରିଥିଲେ । ସେତେବେଳେ ସାଧାରଣ ଲୋକେ ଅଭିଯୁକ୍ତ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ ଘଟଣା ସ୍ଥଳରୁ ଧରି ପୋଲିସର ଜିମା ଦେଇଥିଲେ । ପୁଲିସ ଉଭୟ ୨ ବିହାରୀ ଅଭିଯୁକ୍ତକୁ ଗିରଫ କରି ଯାଜପୁର ରଗଡ଼ି ଜେଲକୁ ପଠାଇ ଦେଇଥିଲେ । ଜେଲରେ ଥିବାବେଳେ ଅଧିକ ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତଙ୍କୁ ଚୌଦ୍ୱାର ଜେଲର ୨ଟି ସ୍ୱତନ୍ତ୍ର ସେଲରେ ରଖା ଯାଇଥିଲା ।