ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର :  ଓଡ଼ିଶା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ କମିଟି ଦ୍ବାରା କରାଯାଇଥିବା ସୁଚିନ୍ତିତ ସୁପାରିସ୍‌ଗୁଡ଼ିକ ତୁରନ୍ତ ସରକାରୀ ଆଇନରେ ପରିଣତ କରାଯାଉ। ଶିକ୍ଷୟିତ୍ରୀଙ୍କୁ ମାସିକ ଋତୁସ୍ରାବ ଜନିତ ଛୁଟି ଦେବା ପାଇଁ ନିୟମ କରାଯାଉ। ସେହିପରି କନିଷ୍ଠ ଶିକ୍ଷକଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆଗାମୀ ୭ ଦିନ ମଧ୍ୟରେ ଏନ୍‌ଓସି ଦେବା ନିୟମ କରାଯାଉ। ନଚେତ ଆଗାମୀ ସପ୍ତାହରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ନିଷ୍ପତ୍ତି ନେବ ବୋଲି ରବିବାର ଶ୍ରମିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଚେତାବନୀ ଦିଆଯାଇଛି।  କର୍ମକର୍ତ୍ତାଙ୍କ କହିବା ଅନୁସାରେ, ପ୍ରାଥମିକ ଶିକ୍ଷା ହେଉଛି ଶିକ୍ଷାର ଅନ୍ତୁଡ଼ିଶାଳ। ପ୍ରାଥମିକ ଶିକ୍ଷକ ଏହାର ମେରୁଦଣ୍ଡ। ହେଲେ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ଉପଯୁକ୍ତ ମର୍ଯ୍ୟାଦା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗତ ଶନିବାର ସରକାରଙ୍କ ଦ୍ବାରା ଗଠିତ କମିଟି ପକ୍ଷରୁ ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ଏହି ଅନୁମୋଦନକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ଦାବି ହେଉଛି।